Unknown

 

 

 

 

 

 

 

 

 

 

 

କନ୍ଧ ସଂସ୍କୃତିର ଅନାଲୋଚିତ ଅଧ୍ୟାୟ

ରଘୁନାଥ ରଥ

 

ମୋ ନନା ସ୍ୱର୍ଗତ କାଶିନାଥ ରଥ

ବୋଉ ସ୍ୱର୍ଗତ ହେମଲତା ଦେବୀଙ୍କୁ

 

ନନା : ଓ ବୋଉ :

 

ଆଜିର ପବିତ୍ର ମହାଳୟା ତିଥିରେ ତମେ ଦୁହେଁ ବେଶି ବେଶି ମନେ ପଡ଼ୁଛ । ତମେ ଦୁହେଁ ଥିଲାବେଳେ ମୋ ପାଇଁ ତମର କିଛି ଅଦିଆ ରହିନି । ମୁଁ କିନ୍ତୁ କିଛିବି ଦେଇ ପାରିନି, ପୁଅ ହିସାବରେ ନିଜର ଦାୟିତ୍ୱ ମନେ କରି ଯାହା କିଛି ପାଇଛି, ଯାହା କିଛି କରିଛି ସବୁ ତୁମ ଦୁହିଁଙ୍କ ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦକୁ ପାଥେୟ କରି । ମୁଁ ଜାଣେନା ତମେ ଦୁହେଁ ଏବେ କେଉଁଠି କେଉଁ ଅଦୃଶ୍ୟ ପୃଥିବୀରେ ? ତମର ସେଇ ଅଦୃଶ ଇଲାକାର ପରିବ୍ୟାପ୍ତ ହାତରେ ଏହାକୁ ସମର୍ପି ଦେଉଛି । ଶ୍ରଦ୍ଧାରେ ଗ୍ରହଣ କରିବ ।

 

ରଘୁନାଥ

☆☆☆

 

ଅଭିମତ

 

‘‘ଫୁଲବାଣୀ’’ ନାମ ଉଚ୍ଚାରଣ ମାତ୍ରେଇ ଦୁଇଟି କଥା ସ୍ୱତଃ ମନରେ ଜାଗରିତ ହୋଇଥାଏ । ପାହାଡ଼, ଜଙ୍ଗଲ ଘେରା ମାଳ ଅଞ୍ଚଳରେ ‘କୁଇ’ ଭାଷାଭାଷୀ ‘କନ୍ଧ’ ସମ୍ପ୍ରଦାୟର ଜନବସତି । ଛଅଗୋଟି ଜିଲ୍ଲା ଏହାକୁ ଘେରି ରହିଥିଲେହିଁ ପ୍ରାକୃତିକ ଶୋଭା ଦୃଷ୍ଟିରୁ ଅନନ୍ୟା ହୋଇଥିଲେହେଁ, ଶତକଡ଼ା ୬୧ ଭାଗରୁ ଅଧିକ ଅଧିବାସୀ ‘ଆଦିବାସୀ’ ହୋଇଥିଲେହେଁ–‘‘ଅବହେଳିତ’’ ଶବ୍ଦଟି ଭାବ-ଅଭାବ ମଧ୍ୟରୁ ଅହେତୁକଭାବେ ଏଥିସହିତ ଯୋଡ଼ି ହୋଇଯାଇଥାଏ ।

 

ଅଥଚ ଏଠାରେ ପର୍ବପର୍ବାଣୀ, ଓଷାବ୍ରତ, ନତ୍ୟଗୀତ ଯେଉଁଭଳି କର୍ଣ୍ଣ ପ୍ରୀତିପଦ, ସେଇଭଳି ପାରମ୍ପରିକ ମୌଖିକ ସାହିତ୍ୟର ଧାରା ମଧ୍ୟ ଚିତ୍ତ-ଉଲ୍ଲାସକାରୀ । ଏକ ଐତିହ୍ୟ-ସମ୍ପନ୍ନ ଜନଜାତି ‘‘କନ୍ଧ’’ ସମାଜ ଓ ସଂସ୍କୃତିକୁ ଭିତ୍ତି କରି ଅନେକ ଗବେଷଣାତ୍ମକ ରଚନା ପ୍ରକାଶିତ ହୋଇ ସାରିଛି । ଏପରିକି ବିଦେଶାଗତ କେତେକ ଗବେଷକ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି ।

 

ଏ ପରିପ୍ରେକ୍ଷୀରେ ଏହି ପୁସ୍ତକ ‘‘କନ୍ଧ ସଂସ୍କୃତିର ଅନାଲୋଚିତ ଅଧ୍ୟାୟ’’ ଏକ ନୁତନ ସ୍ୱାକ୍ଷର ବହନ କରିଥିବାର ମନେ ହୋଇଥାଏ । ହୁଏତ ଏଇଥିପାଇଁ ଯେ, ଲେଖକଙ୍କର ଅଧ୍ୟୟନ, ଅନୁଶୀଳନ, ଦୀର୍ଘକାଳ ରହଣୀ ତଥା ଗବେଣାତ୍ମକ ମନୋଭାବ ।

 

ବୃତ୍ତି ଦୃଷ୍ଟିରୁ ଅଧ୍ୟୟନ ସହିତ କୌଣସି ସମ୍ପର୍କ ନ ଥିଲେହିଁ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇ ନ ଥିଲେହେଁ–ଫୁଲବାଣୀରେ ମୋର ଦୀର୍ଘ ରହଣୀ ସମୟରୁ ଲେଖକଙ୍କର ଅଧ୍ୟୟନ ପ୍ରତି ଅନୁରାଗ ତଥା ଗବେଷଣା ପ୍ରତି ଅନୁରୋକ୍ତି ସହିତ ମୁଁ ପରିଚିତ । ଏଥିପୂର୍ବରୁ କେତେକ ପ୍ରବନ୍ଧ ପ୍ରକାଶିତ ହୋଇଥିଲେହେଁ–ଏହି ପୁସ୍ତକରେ ସନ୍ନିବେଶିତ ଅନେକ ବିଷୟ ଯଥାର୍ଥରେ ଅନାଲୋଚିତ ହୋଇଥିବାର ମନେ ହୋଇଥାଏ ।

 

ମୋର ନିଜସ୍ୱ ମତାମତକୁ, ପାଠକମାନଙ୍କ ଉପରେ ଲଦିଦେବା ଅପେକ୍ଷା, ପାଠକମାନଙ୍କ ନିର୍ଭୀକ ନିଜସ୍ୱ ମତାମତ ପାଇଁ ଗଭୀର ଆଶା ରଘୁଛି । ଶେଷରେ, ଲେଖକଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ରହୁଛି ।

 

 

ଡ଼ଃ. ଶ୍ରୀଶ ପଟେଲ

ଭୁବନେଶ୍ୱର

ପ୍ରାଧ୍ୟାପକ, ନୃତତ୍ତୱ ବିଭାଗ

୬ ଅକ୍ଟୋବର ୧୯୯୩

ବି. ଜି. ବି. କଲେଜ, ଭୁବନେଶ୍ୱର–୧୪

☆☆☆

 

ଆମ ତରଫୁର ପଦେ

 

ଯେବେଠୁ ମଣିଷ ସହବାସ ସୂତ୍ରରେ ବଞ୍ଚିବା ଶିଖିଛି, ସେବେଠୁ ସେ ନିଜସ୍ୱ ସ୍ୱଭାବକୁ ସିଦ୍ଧ କରି ସଭ୍ୟତା ଗଢିଛି । ସମୟ ପ୍ରଭାବରେ ମଣିଷର ରୂଚି ବଦଳିଛି ଓ ସେ ନିଜସ୍ୱ ବିକଶିତ ପ୍ରଜ୍ଞାକୁ ନେଇ ନିଜକୁ ସଂସ୍କାର କରିଛି ଥରକୁ ଥର । ଏଇ ପରିବର୍ତ୍ତିତ ସଭ୍ୟତାର ସଂସ୍କାର ସଂପନ୍ନ ଆତ୍ମାଟି ସମୟକ୍ରମେ ପରିଚିତ ହୋଇଛି ସଂସ୍କୃତ ନାମରେ । ଏହି ସଭ୍ୟତା ଓ ସଂସ୍କୃତିର ଆଦି ସ୍ରଷ୍ଟାମାନଙ୍କୁହିଁ ଆମେ ଆଦିବାସୀ ବା ଆଦିମ ଅଧିବାସୀ କହିଥାଉଁ ।

 

ସମୟକ୍ରମେ ଏହି ମୂଳ ଆଦିବାସୀ ଗୋଷ୍ଟୀରୁ ସୃଷ୍ଟି ହୋଇଛି ଅନେକ ଗୋଷ୍ଠୀ ଉପଗୋଷ୍ଠୀ ଓ ଅନେକ ସଭ୍ୟତା ଅନେକ ସଂସ୍କୃତି ପରିବେଶ ଓ ପରିସ୍ଥିତିକୁ ନେଇ କିଏ ଅଧିକ ଉନ୍ନତ ରୂଚି ସଂପନ୍ନ ହୋଇଛିତ ଆଉ କିଏ ନିଜ ପ୍ରଜ୍ଞାର ପ୍ରସାର ଘଟାଇ ଅନେକ ସ୍ରୋତର ସମିଶ୍ରଣରେ ପ୍ରସାରିତ ହୋଇ ଅନ୍ୟ କବାଟ ବଢେଇ ଆଗୁଆ ମଣିଷ ଗୋଷ୍ଠୀ ପାଲଟି ଯାଇଛି । ଆଉ କିଏ ନିଜକୁ ପ୍ରସାରିତ କରିବାର ସୁଯୋଗ ନପାଇ ଏବେବି ରହିଯାଇଛି ସେଇ ପ୍ରାଗ୍‌ ଐତିହାସିକ ଜୀବନ ଜାଇଁବା ଧାରା ଭିତରେ ଏମାନଙ୍କୁ ଆମେ ଆର୍ଯ୍ୟ, ଦ୍ରାବିଡ଼ ତଥା ଆଦିବାସୀଭାବରେ ଭାଗ ଭାଗ କରି ଚିହ୍ନିଛୁ । ଗୋଟାଏ ଉତ୍ସରୁ ଅନେକ ସ୍ରୋତ । କିଏ ନଈ, କିଏ ସମୁଦ୍ରତ ଆଉ କିଏ ନାଳଟିଏ ହୋଇ ରହିଯାଇଛି ପୁର୍ବବତ୍‌ । ସବୁ ସୁଅର ଯେଉଁଠି ମିଳନ ଘଟିଛି ସେଇଟାକୁ ଆମେ ମହାସାଗର କହିଛୁ । ମହାସାଗର ଜଳରୁ ନଈ, ନାଳ, ସମୁଦ୍ରର ସ୍ୱତନ୍ତ୍ର ସତ୍ତା ଖୋଜି ପାଇତା ଏତେଟା ସହଜ ନୁହେଁ । ସେମାନଙ୍କୁ ଚିହ୍ନିବାକୁ ହେଲେ ଆମକୁ ମୁହାଁଣ ମୁହଁରୁ ଏମାନଙ୍କ ଗତି ପଥର ସନ୍ଧାନ ନେଇ ମୂଳ ଉତ୍ସ ପାଖରେ ପହଞ୍ଚିବାକୁ ହେବ । ସେଇଠି ବାରି ହେବ ସେମାନଙ୍କ ସ୍ୱତନ୍ତ୍ର ସତ୍ତା ଓ ତା ଜଳରେ ଥିବା ସ୍ୱାବର ଭିନ୍ନତା । ଏଇ ସତ୍ୟଟିକୁ ଉପଲବଧ୍‌ କରିଛନ୍ତି ’କନ୍ଧ ସଂସ୍କୃତିର ଅନାଲୋଚିତ ଅଧ୍ୟାୟ’ କେତୋଟିକୁ ଆଲୋଚନା ପରିସରକୁ ଆଣିଥିବା ଆଲୋଚକ ବନ୍ଧୁ ଶ୍ରୀଯୁକ୍ତ ରଘୁନାଥ ରଥ । ଶ୍ରୀଯୁକ୍ତ ରଥଙ୍କ ଆଲୋଚନା ପ୍ରସଙ୍ଗକୁ ନେଇ ଏପରି କହିବାର ତାତ୍ପର୍ଯ୍ୟ ହେଉଛି ବ୍ୟକ୍ତି ତଥା ଗୋଷ୍ଠୀର କ୍ରିୟା ପ୍ରକ୍ରିୟା, ଚିନ୍ତା ତଥା ଚେତନାର ଗୋଟାଏ ପ୍ରଭାବ ନିଜସ୍ୱ ପରଧି ଭିତରେ ଥାଏ । ଏମାନଙ୍କ ଜୈବ ପ୍ରେରଣାର ସ୍ୱାତନ୍ତ୍ରତା ହୁଏତ ସାମାଗ୍ରିକ ଭାବେ ବୌଦ୍ଧିକ ସ୍ଫୁରଣରେ ସହାୟକ ହୋଇଥାଇପାରେ । ମାତ୍ର ମୂଳ ଉତ୍ସରୁ ଉତ୍ପନ୍ନ ନାଳଟିଏ ନଈ ବା ସମୁଦ୍ର ପାଲଟି ଗଲାବେଳେ ଆଉ କେଉଁଠି କେମିତି ନାଳଟିଏ ନାଳଟିଏହିଁ ହୋଇ ରହିଯାଏ କାହିଁକି ? ସିଏ କ’ଣ ଅନୁମୂଳ ଗରିବେଶଟିଏ ପାଇଥିଲେ ନଈଟିଏ କି ସମୁଦ୍ରଟିଏ ପାଲଟି ଯାଇ ନଥାନ୍ତା କି ? ତେବେ ସେ ଯାହା ହେଉନା କାହିଁକି ନାଳଟିର ମଧ୍ୟ ଉପଯୋଗୀତର ତ ରହିଛି । ଏ ନାଳଟି ହୁଏତ ଅନ୍ୟ କେଉଁ ଏକ ବିରାଟ ନଈ କି ସମୁଦ୍ରର ସ୍ରଷ୍ଟା ବି ହୋଇଥାଇପାରେ । ଏଣୁ ଏହାର ମୂଳ ଉତ୍ସକୁ ଅନୁସନ୍ଧାନ କରିବା, ବା ଏହାର ଗତିପଥକୁ ନିୟନ୍ତ୍ରଣ ମୁକ୍ତ କରି ଏଇ ଛୋଟ ନାଳର ଧାରାଟିକୁ ମଧ୍ୟ ସମୟୋପଯୋଗୀ କରି ନଈତୁଲ୍ୟ ଏହାର ସ୍ରୋତକୁ ମହାସାଗରାଭିମୁଖି କରେଇବାର ଆବଶ୍ୟକତା ରହିଛି ।

 

ଏହି ପରିପ୍ରେକ୍ଷୀରେ ବିଚାର କରାଯାଇ ପାରେ ଆମ ଓଡ଼ିଶାର ବିଭିନ୍ନ ଆଦିବାସୀ ଜନଗୋଷ୍ଠୀଙ୍କ ସଂପର୍କରେ । ଏଇଠି ବାଷଠିଟି ଗୋଷ୍ଠୀର ଆଦିବାସୀ ଜନଜାତି ବସବାସ କରନ୍ତି । ସଂପ୍ରତ୍ତି ଏମାନଙ୍କ ସଂଖ୍ୟା ସବୁଦାୟ ଜନ ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ । ଏମାନଙ୍କର ନିଜସ୍ୱ ସ୍ୱତଂନ୍ତ୍ର ସଂସ୍କୃତି ରହିଛି । ଏମାନଙ୍କ ସଂସ୍କୃତିର ବିଶେଷତ୍ୱ ତଥା ଅବଦାନ ଓ ଅଣଆଦିବାସୀ ବା ଆମ ଓଡ଼ିଆ ସଂସ୍କୃତି ସହ ସମନ୍ୱୟକୁ ବିଚାର କରାଗଲାବେଳେ ଦେଖାଯାଏ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ତଥା ଭୂମିକା ଏ ରାଜ୍ୟର ଉନ୍ନତିସାଧନ କ୍ଷେତ୍ରରେ ରହିଛି । ଅତୀତ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଦେଖାଯାଏ ଏମାନେହିଁ ଏହି ଉତ୍କଳୀୟ ସଂସ୍କୃତିର ମୂଳପିଣ୍ଡ ଅଥଚ ଏମାନଙ୍କ ସାମାଜିକ, ଅର୍ଥନୈତିକ ଓ ସଂସ୍କୃତିକ ସ୍ଥିତିକୁ ବିଚାରକୁ ନେଇ ଏ ସଂପର୍କରେ ଐତିହାସିକ ତଥା ନୃତାତ୍ତ୍ୱିକ ଦୃଷ୍ଟି କୋଣରୁ ବିଶେଷ ଆଲୋଚନା ହୋଇ ପାରି ନାହିଁ । ଯାହା କିଛି ବା କାଁ ଭାଁ ହୋଇଛି ତାହା କିଛି ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଇ ଦୃଷ୍ଟି କୋଣରୁ ଶ୍ରୀଯୁକ୍ତ ରଘୁନାଥ ରଥ କନ୍ଧ ଆଦିବାସୀ ଜନ ଗୋଷ୍ଠୀର ସାଂସ୍କୃତିକ ପରଂପରା, ସାମାଜିକ ସମ୍ପର୍କ, ବୈବାହିକ ସମ୍ପର୍କ, ସାମଜିକ ଶୃଙ୍ଖଳା ଆଦିକୁ ନେଇ ଯେଉଁ କେତୋଟି ଉପାଦେୟ ଆଲୋଚନା ନିଜସ୍ୱ ଅନୁଭୂତି ଓ ଗବେଷଣାମୂଳକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ କରିଛନ୍ତି ଏହାକୁ ସେ ପୁସ୍ତକଟିଏ ଆକାରରେ ପ୍ରକାଶ କରିବାର ସୁଯୋଗ ପାଇ ନଥିବାରୁ ତାଙ୍କ ମନର କ୍ଷୋଭ ବନ୍ଧୁଭାବରେ ମୋ ନିକଟରେ ପ୍ରକାଶ କରିଥିଲେ । ଏପରି କିଛି ଉପାଦେୟ ଆଲୋଚନାର ସାମାଜିକ ମୂଲ୍ୟ ଓ ଆବଶ୍ୟକତା ସାଂପ୍ରତିକ ସମାଜ ପାଇଁ ରହିଥିବା ଅନୁଭବ କରି ସତ୍ତା ପରିବାରର ବନ୍ଧୁମାନଙ୍କୁ ଆମ ଅନୁଷ୍ଠାନ ତରଫରୁ ସହଯୋଗ ଭିତିକ ପ୍ରଚେଷ୍ଟାରେ ଉକ୍ତ ପୁସ୍ତକଟିର ପ୍ରକାଶନ ଦାୟିତ୍ୱ ନିଆଯିବାକୁ ପରାମର୍ଶ ଦେଇଥିଲେ । ଆଲୋଚନାକ୍ରମେ କିଛିଟା ଆର୍ଥିକ ସମସ୍ୟା ସଂପର୍କିତ କଥା ଉଠିଥିଲା । ଏହାକୁ ଏଡ଼ାଇ ଯିବାକୁ ଆମେ ଶ୍ରୀଯୁକ୍ତ ରଥଙ୍କଠାରୁ ମଧ୍ୟ କିଛିଟା ଆର୍ଥିକ ସହଯୋଗ ଆଶା କଲୁ ଓ ସେ ସାଦରେ ଆମ ପ୍ରସ୍ତାବ ଗ୍ରହଣ କରି ନେଲେ ।

 

ପରିଶେଷରେ ତାଙ୍କର କୋରାପୁଟ ରହଣି ଅବସରରେ ଏଇ ପୁସ୍ତକଟି ପ୍ରକାଶ କରିବା ପାଇଁ ସ୍ଥିର କରାଯାଇ ଅନୁଷ୍ଠାନ ତରଫରୁ ମୋ ଉପରେ ଅନ୍ୟାନ୍ୟ ସମସ୍ତ ଦାୟିତ୍ୱ ବ୍ୟସ୍ତ କରାଗଲା । ଯାହାହେଉ ବନ୍ଧୁମାନଙ୍କ ସହଯୋଗ ଯେ. ଇ. ଏଲ. ସି ମୁଦ୍ରାଣ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ଏକ ନିର୍ଦ୍ଧାରିତ ସମୟରେ ପୁସ୍ତକଟି ପ୍ରକାଶ ପାଇ ପାରିଥିବାରୁ ମୁଁ ଏଇ ଅବସରରେ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ସାଧୁବାଦ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପୁସ୍ତକଟିର ଉପାଦେୟତା ଯୋଗୁଁ ଏହା ପାଠକ ମହଲରେ ବିଶେଷଭାବେ ଆଦୃତ ହେବ ବୋଲି ଆଶା ଓ ବିଶ୍ୱାସ ରଖୁଛି ତଥା ଶ୍ରୀଯୁକ୍ତ ରଥଙ୍କ ଠାରୁ ଆଗାମୀ ଦିନମାନଙ୍କରେ ଆହୁରି ଅନେକ କିଛି ନୂତନ ତଥ୍ୟ ସଂବଳିତ ଗବେଷଣା ଧର୍ମୀ ସୃଷ୍ଟି ସଂଭାରର ଆଶା ରଖୁଛି ।

 

କୋରାପୁଟ

ଶ୍ରୀ ଜଳଧାର ସ୍ୱାଇଁ

ତା -୧୬-ଅକ୍ଟୋବର-୧୯୯୩

ସଭାପତି–ସତ୍ତା ସାହିତ୍ୟ ସଂସଦ

କୋରାପୁଟ-୭୬୪୦୨୦

 

☆☆☆

 

ପ୍ରଥମ ପାହାଚ

 

ସଂସ୍କୃତି ଏକ ବହୁ ବ୍ୟାପକ ଶବ୍ଦ । ଏହାର ଏକ ଶାଶ୍ୱତ ମୂଲ୍ୟବୋଧ ରହିଛି । ଏଣୁ କୌଣସି ସଂସ୍କୃତି ସଂପର୍କରେ ଜ୍ଞାତ ହେବା ହେଲେ ଏହାର ପ୍ରକୃତ ତଥ୍ୟବଳୀକୁ ତଥା ସତ୍ୟତାକୁ ଉଦ୍ଦ ଘାଟିତ କରିବାକୁହିଁ ହେବ ଏବଂ ଏଥିପାଇଁ ନିଷ୍ଠାର ସହିତ ଅନୁଧ୍ୟାନ କରିବା ନିମନ୍ତେ ସମାଜର ଗଭୀରତମ ପ୍ରଦେଶକୁ ପ୍ରବେଶ କରି ଏହାର ଶାଶ୍ୱତ ମୂଲ୍ୟବୋଧ ସହିତ ପରିଚିତ ହେବାକୁହିଁ ପଡ଼ିବ । ଆମ ରାଜ୍ୟରେ ସଂପ୍ରତ୍ତି ପରିବର୍ତ୍ତନର ସ୍ରୋତରେ ଆଦିମତମ ମଣିଷ ଗୋଷ୍ଠୀ ବା ଆଦିବାସୀ ଜନଗୋଷ୍ଠୀର ପ୍ରାଚୀନ ସଂସ୍କୃତି ତଥା ପରମ୍ପରା କ୍ରମଶଃ ବିଲପ୍ତ ପ୍ରାପ୍ତ ହୋଇଆସୁଥିବା ବେଳେ କନ୍ଧ ମାଳର କନ୍ଧ ସଂସ୍କୃତି ସଂପର୍କରେ କିଛି ଜାଣିବାର ସୁଯୋଗ ମୋତେ ମିଳିଥିଲା ଏବଂ ଏହା ମୋ ଭିତରେ ଏହି ସଂସ୍କୃତିର ବାସ୍ତବ ତଥ୍ୟାବଳୀ ଅନୁସନ୍ଧାନ ପାଇଁ ଆଗ୍ରହ ସୃଷ୍ଟି କରିଥିଲା । ଫଳତଃ କନ୍ଧ ସମାଜର ଗଭୀରତମ ପ୍ରଦେଶକୁ ପ୍ରବେଶ କରି ମୁଁ କିଛି ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ପାରିଛି ଏବଂ ପ୍ରବେଶ କରି ମୁଁ କିଛି ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ପାରିଛି ଏବଂ ସେହି ତଥ୍ୟାବଳୀକୁ କେତୋଟି ଅଧ୍ୟାୟରେ ଉକ୍ତ ପୁସ୍ତକରେ ସନ୍ନିବେଶିତ କରିଛି । ମୋର ବିଶ୍ୱାସ ଏହା ଅଧୁନା ପରିବର୍ତ୍ତନ ସ୍ରୋତରେ ପ୍ରଭାବିତ କନ୍ଧ ସମାଜକୁ ସେମାନଙ୍କ ସଂସ୍କୃତିର ବିଭିନ୍ନ ଦିଗ ସଂପର୍କରେ ଯେତିକି ସଚେତନ କରିବ, ସେହି ପରିମାଣରେ ପାଠକ ତଥା ଗବେଷକ ମାନଙ୍କୁ ମଧ୍ୟ ଆଗ୍ରହାନ୍ୱୀତ କରି ପାରିବ ।

 

କନ୍ଧ ସମାଜ ଓ ସଂସ୍କୃତି ସଂପର୍କରେ ଏଯାବତ୍‌ ଅନେକ ଗବେଷଣା କରାଯାଇଥିଲେବି ଉକ୍ତି ପୁସ୍ତକରେ ସଂକଳିତ ଅଧ୍ୟାୟ ଗୁଡ଼ିକ ପ୍ରାୟତଃ ଅନାଲୋଚିତ ରହିଯାଇଛି । ଏକ୍ଷେତ୍ରରେ ଏହି ଅନାଲୋଚିତ ଦିଗ ଗୁଡ଼ିଙ୍କୁ ଆଲୋଚନା ପରିସର ମଧ୍ୟକୁ ଆଣିବା ପାଇଁ ମୁଁ ଯେଉଁ ଚେଷ୍ଟା କରିଛି ଏବଂ ଯେତିକି ତଥ୍ୟ ପାଇଛି ତାହା ସର୍ବଶେଷ ନ ହୋଇପାରେ, ଏସଂସ୍କୃତି ସଂପର୍କରେ ଆହୁରି ଅନେକ କିଛି ଜାଣିବାକୁ ବାକି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଟିଏ ସଂସ୍କୃତି ସଂପର୍କରେ ସଂପୂର୍ଣ୍ଣ ଗବେଷଣା ପାଇଁ ଜଣେ ଗବେଷକର ସମସ୍ତ ଜୀବନକାଳ ପର୍ଯ୍ୟପ୍ତ ନୁହେଁ ବୋଲି ମୋର ବିଶ୍ୱାସ ।

 

ଏଇ ପୁସ୍ତକରେ ସନ୍ନିବେଶିତ ଅଧ୍ୟାୟ ଗୁଡ଼ିକ ମୋର ଗବେଷଣା କ୍ଷେତ୍ର ଫୁଲବାଣୀ ଜିଲ୍ଲାର, ଫୁଲବାଣୀ, ଟିକାବାଲି, ଚକାପାଦ ଓ ଘୁ : ଉଦୟଗିରି ପଞ୍ଚାୟତ ସମିତ ଅଞ୍ଚଳ ମାନଙ୍କରେ ବସବାସ କରୁଥିବା କନ୍ଧ ଜନଜାତିର ପ୍ରତିଫଳନ ହୋଇଥିଲେ ମଧ୍ୟ ତାହା ମଧ୍ୟଦେଇ ସାମଗ୍ରିକ ଭାବେ ଓଡ଼ିଶାର କନ୍ଧ ଜନଜାତିର ସଂସ୍କୃତିକୁ ଉପଲବ୍‌ଧ କରାଯାଇ ପାରିବ ବୋଲି ଆଶା ଓ ବିଶ୍ୱାସରେ ହିଁ ଏ ପୁସ୍ତକଟିର ପରିକଳ୍ପନା କରାଯାଇଛି । ବ୍ୟୟ ବହୁଳତାକୁ ଏଡ଼େଇବାକୁ ଯାଇ ଗବେଷଣା କାଳରେ ସଂଗୃହୀତ ସମସ୍ତ ତଥ୍ୟଭିତ୍ତିକ ପ୍ରସ୍ତୁତ ଅଧ୍ୟାୟ ଗୁଡ଼ିକ ଉକ୍ତ ପୁସ୍ତକରେ ସନ୍ନିବେଶିତ କରାଯାଇ ପାରୁନାହିଁ । ତେଣୁ ଅବଶିଷ୍ଟ ଅନାଲୋଚିତ ଅଧ୍ୟାୟ ଗୁଡ଼ିକ ଭବିଷ୍ୟତରେ ସୁଯୋଗ ମିଳିଲେ ପ୍ରକାଶ କରିବାର ଆଶା ଓ ବିଶ୍ୱାସ ରଖୁଛି ।

 

ଉକ୍ତ ପୁସ୍ତକରେ ସ୍ଥାନ ପାଉଥିବା ବିଷୟ ଗୁଡ଼ିକ ମଧ୍ୟରୁ କେତେକ ପୂର୍ବରୁ ଅରଣ୍ୟ, ପ୍ରଗତିବାଦୀ, ବାର୍ତ୍ତାଉର୍ମି, ପ୍ରଜାତନ୍ତ୍ର ପ୍ରତିଭା ଇତ୍ୟାଦି ପତ୍ର ପତ୍ରିକାରେ ପ୍ରକାଶ ପାଇଁ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଏଇ ଅବସରରେ ମୁଁ ସେହି ସବୁ ପତ୍ର ପତ୍ରିକାର ସଂପାଦକ ମାନଙ୍କୁ କୃତଜ୍ଞତା ଜଣାଉଛି ।

 

ଏଇ ପୁସ୍ତକ ପ୍ରକାଶନ ଅବସରରେ ମୁଁ ଅନ୍ୟ ଯେଉଁମାନଙ୍କ ନିକଟରେ କୃତଜ୍ଞ ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ନିଜ ସଂସ୍କୃତି ସଂପର୍କରେ ମୋତେ ବହୁ ତଥ୍ୟ ଯୋଗେଇଥିବା ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର କହଁର, ଟିକାବାଲି ନିକଟସ୍ଥ ଉପରଖୋଲ ଗ୍ରାମ ନିବାସୀ । ଶ୍ରୀଯୁକ୍ତ କହଁର ନିଜ ସଂସ୍କୃତିର ବହୁ ପ୍ରଥା ଓ ପରମ୍ପରା କ୍ରମେ ଲୁପ୍ତପ୍ରାପ୍ତ ହୋଇ ଆସୁଥିବା ଲକ୍ଷ୍ୟ କରି ତଥା ସଂସ୍କୃତିରେ ଏଯାବତ୍‌ ପ୍ରଚଳିତ ଥିବା କେତେକ ଅନ୍ଧ ବିଶ୍ୱାସର ଦୂରିକରଣ ପାଇଁ ପ୍ରବଳ ଆଗ୍ରହ ଥିବାରୁ ସେ ବହୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୋ ସହିତ ଆଲୋଚନାରତ ରହି ନିଜ ସଂସ୍କୃତି ସଂପର୍କରେ ବହୁ ମୂଲ୍ୟମାନ ତଥ୍ୟ ଓ ସୂଚନା ପ୍ରଦାନ କରିଥିବାରୁ ମୁଁ ତାଙ୍କ ନିକଟରେ ଋଣୀ ରହୁଛି ।

 

ଉକ୍ତ ପ୍ରବନ୍ଧ ଗୁଡ଼ିକ ଯେ ଦିନେ ପୁସ୍ତକ ଆକାରରେ ପ୍ରକାଶ ପାଇବ ଏ ସଂପର୍କରେ ମୁଁ ଚିନ୍ତା କରିବାର ସୁଯୋଗ ପାଇ ନଥିଲି । ଅଥଚ କୋରାପୁଟ ସହରକୁ ସରକାରୀ କାର୍ଯ୍ୟରେ ଆସିଥିବା ଅବସରରେ ଏ ସଂପର୍କିତ କିଛି ପ୍ରବନ୍ଧ ଅବସର ସମୟରେ ଆଲୋଚନା ପାଇଁ ମୋର ଅନ୍ୟତମ କବି ବନ୍ଧୁ ତଥା ସତ୍ତା ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ ଜଳଧର ସ୍ୱାଇଁଙ୍କ ଦୃଷ୍ଟିକୁ ଆଣିଥିଲି । ଆଗ୍ରହର ସହିତ ସେ ପ୍ରବନ୍ଧ ଗୁଡ଼ିକ ପଢି ତୃଟି ସୁଧାରିବା ସହ ଉପଯୁକ୍ତ ପରାମର୍ଶ ଦେଇ ଏହାକୁ ପୁସ୍ତକ ପ୍ରକାଶ କରିବା ଉପଯୋଗୀ ପାଣ୍ଡୁ ଲିପିରେ ପରିଣତ କରି ଏଇଟିକୁ ପୁସ୍ତକଭାବେ ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଉତ୍ସାହିତ କରିଥିଲେ । ଏ ଦିଗରେ ମୋର ଅସାମର୍ଥ୍ୟ ପ୍ରକାଶ କରିବାରୁ ତାଙ୍କ ପରାମର୍ଶ କ୍ରମେ ସତ୍ତା ସାହିତ୍ୟ ସଂସଦ, କୋରାପୁଟ ଉକ୍ତ ନିକଟରେ ମୁଁ ବିଶେଷଭାବେ କୃତଜ୍ଞ ।

 

ବିଶେଷ କରି ସତ୍ତା ସାହିତ୍ୟ ସଂସଦର ସଂପାଦକ ବନ୍ଧୁ ଆଡ଼୍‌ଭୋକେଟ ଜୟନ୍ତ କୁମାର ମିଶ୍ର ଆଗ୍ରହର ସହିତ ଅନୁଷ୍ଠାନର ସହଯୋଗ କ୍ରମେ ପୁସ୍ତକଟିକୁ ପ୍ରକାଶନ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ସଙ୍ଗେ ସଙ୍ଗେ ‘ସତ୍ତା’ ପରିବାର ତରଫୁର ଅକୁଣ୍ଠ ସହଯୋଗ ପାଇଥିବାରୁ ମୁଁ ଶ୍ରୀଯୁକ୍ତ ମିଶ୍ରଙ୍କ ସମେତ ସତ୍ତା ପରିବାରର ଅନ୍ୟାନ୍ୟ ବନ୍ଧୁ ଯଥା–ଶ୍ରୀଯୁକ୍ତ କୈଳାସ ଷଡ଼ଙ୍ଗୀ, ଶ୍ରୀଯୁକ୍ତ ଦେବରଞ୍ଜନ ରଥ, ରବି ଶତପଥୀ, ବୀଣା ନାୟକ ପ୍ରଭୃତି ବନ୍ଧୁମାନଙ୍କ ନିକଟରେ ବିଶେଷଭାବେ ଋଣୀ ରହୁଛି ।

 

ପୁସ୍ତକଟି ନିମନ୍ତେ ପ୍ରଚ୍ଛଦ ଚିତ୍ର ଓ ବ୍ଳକ ପ୍ରସ୍ତୁତିରେ ଶ୍ରୀଯୁକ୍ତ ଉମାକାନ୍ତ ମହାରଣା ଓ ଅକ୍ଷର ସଜ୍ଜାକ୍ଷେତ୍ରରେ ଶ୍ରୀଯୁକ୍ତ ରବିନ ମହାନନ୍ଦିଅଙ୍କ ଆଗ୍ରହ ନିକଟରେ ମୁଁ କୃତଜ୍ଞ । ମୋର ପୁସ୍ତକ ପ୍ରକାଶନ ପାଇଁ ଯିଏ ସବୁ ଠାରୁ ଅଧିକ ଆଗ୍ରହାନ୍ୱିତ ଓ ଆନନ୍ଦିତ ସେ ହେଉଛିନ୍ତି ମୋର ଚିରମଙ୍ଗଳକାମୀ ଡ଼କ୍ନର ଶ୍ରୀଶ ପଟେଲ (ବିଭାଗୀୟ ମୂଖ୍ୟ ନୃତତ୍ତ୍ୱ ବିଭାଗ, ବି .ଜେ. ବି. ମହାବିଦ୍ୟାଳୟ, ଭୁବନେଶ୍ୱର) ତାହାଙ୍କ ବହୁମୂଲ୍ୟ ସମୟ ବ୍ୟୟ କରି ପୁସ୍ତକଟି ନିମନ୍ତେ ଅଭିମତଟିଏ ପ୍ରସ୍ତୁତ କରି ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ । ତାହାଙ୍କ ଅନାବିଳ ସ୍ନେହ ଆଶୀର୍ବାଦ ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ ।

 

ଏ ପୁସ୍ତକଟିର ପ୍ରକାଶନ ଅବସରରେ ମୁଁ ଅନ୍ୟ ଯେଉଁମାନଙ୍କ ନିକଟରେ କୃତଜ୍ଞ ସେମାନେ ଡ଼କ୍ଟର ରବିନାରାୟଣ ଦାଶ (ଅଧ୍ୟକ୍ଷ, ଜୟଦେବ ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର) ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର (ସହକାରୀ ନିର୍ଦ୍ଦେଶକ, ଦକ୍ଷିଣ ଓଡ଼ିଶା ଶିକ୍ଷାଗବେଷଣା ପରିଷଦ, ଭୁବନେଶ୍ୱର) ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପୃଷ୍ଟି, ଶ୍ରୀଯୁକ୍ତ ନରେନ୍ଦ୍ରନାଥ ସାହୁ, (ସହକାରୀ କ୍ୟୁରେଟର, ଜୟଦେବ ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର) ପ୍ରଭୃତି ମୋର ପ୍ରକାଶିତ ପ୍ରବନ୍ଧଗୁଡ଼ିକ ପଢି ମୋର ବିଭିନ୍ନ ଦିଗରୁ ଅଧିକ ଗବେଷଣା ପାଇଁ ଉତ୍ସାହ ପ୍ରଦାନ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ରହୁଛି ।

 

ସାହିତ୍ୟ ସୃଷ୍ଟିସକ୍ଷମ ନ ହୋଇବି ସାହିତ୍ୟ ପ୍ରତି ପ୍ରଗାଢ ମମତା ଥିବା ମୋର ସହକର୍ମୀ ଶ୍ରୀ ଧବଳେଶ୍ୱର ସେଠୀଙ୍କୁ ସ୍ମରଣ ନ କଲେ ଅକ୍ଷମଣୀୟ ଅପରାଧ ହେବ । ତାଙ୍କ ସାହାଯ୍ୟ ସହାନୁଭୂତି ଓ ସକ୍ରିୟ ସହଯୋଗ ପାଇଁ ମୁଁ ତାଙ୍କ ନିକଟରେ ନିଶ୍ଚିତଭାବରେ ୠଣୀ । ଏତଦ୍‌ବ୍ୟତୀତ ମୋର ଅନ୍ୟାନ୍ୟ ସହକର୍ମୀ ଶ୍ରୀ ଘନଶ୍ୟାମ ବେହେରା, ଗୀତିକାର ପୁରନ୍ଦର କର, ଶ୍ରୀ ଯଦୁମଣି ଦଳାଇ, ଶ୍ରୀ ଭଜମନ ନାୟକଙ୍କ ସାହାଯ୍ୟ ଓ ସହଯୋଗ ଉକ୍ତ ପ୍ରକାଶନ ଦିଗରେ ମଧ୍ୟ କିଛି କମ୍‌ ନୁହେଁ । ଏଣୁ ଏଇ ଅବସରରେ ସେମାନଙ୍କ ନିକଟରେ ମୋର କୃତଜ୍ଞତା ପ୍ରକାଶ କରୁଛି ।

 

ଅନ୍ୟପକ୍ଷରେ ମୋର ଧର୍ମପତ୍ନୀ ଶ୍ରୀମତୀ ବସନ୍ତ ମଞ୍ଜରୀ ରଥ, ପାହାଙ୍କ ଅକୁଣ୍ଠ ସାହାଯ୍ୟ ଓ ପ୍ରେରଣା ପାଇ ମୁଁ ଲେଖନୀଧରି ପାରିଛି ଏ ପୁସ୍ତକ ତାହାରି ଫଳ ଶ୍ରୁତିମାତ୍ର । ଏଣୁ ଏହି ଅବସରରେ ମୁଁ ତାଙ୍କ ନିକଟରେ ମୋ ୠଣ ସ୍ୱୀକାର କରୁଛି ।

 

ଅବଶେଷରେ ଯେ. ଇ. ଏଲ. ସି. ପ୍ରେସର ପରିଚାଳକ ଶ୍ରୀଯୁକ୍ତ ମଙ୍ଗଳଦାନ କଚିମ ଓ ତାଙ୍କ ସହକର୍ମୀବୃନ୍ଦଙ୍କ ନିଷ୍ଠାପର ଉଦ୍ୟମ ତଥା କାର୍ଯ୍ୟଦକ୍ଷତା ଯୋଗୁଁ ଉକ୍ତ ପୁସ୍ତକଟି ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକାଶ ପାଇ ପାରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ କୃତଜ୍ଞତା ସ୍ୱୀକାର କରୁଛି ।

 

କୋରାପୁଟ (ଶାବର ଶ୍ରୀକ୍ଷେତ୍ର)

ରଘୁନାଥ ରଥ

୧୫ ଅକ୍ଟୋବର ୧୯୯୩

 

☆☆☆

 

ବିଷୟ ସୂଚୀ

 

୧.

କନ୍ଧମାନଙ୍କ ଆଦି ବାସସ୍ଥଳୀ

୨.

ଶାରିରୀକ ଗଠନ

୩.

ସାମାଜିକ ସଂପର୍କ

୪.

ଦୈନିକ ଚଳଣି

୫.

କନ୍ଧ ସଂସ୍କୃତି ଓ ସଲପ ଗଛ

୬.

କନ୍ଧମାଳରେ ଶିକ୍ଷା ପ୍ରସାର

୭.

ମାଛଧରା ପ୍ରଣାଳୀ

୮.

ମାଟିଗୁରୁ ନିଯୁକ୍ତି ପ୍ରକ୍ରିୟା

୯.

ଝାଙ୍କର ନିଯୁକ୍ତି

୧୦.

ବଳଦ ବଳି

୧୧.

ସାରଡ଼ା ଆଃପା

୧୨.

କନ୍ୟା ଟଣା

୧୩.

ବହୁପତ୍ନୀ ଗ୍ରହଣ ପ୍ରଥା

୧୪.

ବିଧବା ବିବାହ ଓ ଛାଡ଼ପତ୍ର

୧୫.

ଅପମୃତ୍ୟୁରେ ଶୁଦ୍ଧିକ୍ରିୟା

☆☆☆

 

କନ୍ଧମାନଙ୍କ ଆଦିବାସସ୍ଥଳୀ

 

କନ୍ଧ ସମାଜର ପ୍ରଚଳିତ କିମ୍ବଦନ୍ତୀରୁ ଜଣାଯାଏ କନ୍ଧମାଳରେ ପୂର୍ବରୁ କୁରୁମ ଜାତିର ଲୋକେ ବସବାସ କରୁଥିଲେ । କନ୍ଧମାନେ କନ୍ଧମାଳରେ ପ୍ରବେଶ କଲାପରେ କୁରୁମ ଜାତିର ଲୋକଙ୍କୁ ଯୁଦ୍ଧରେ ପରାସ୍ତ କରି ତଡ଼ିଦେଇ ସ୍ଥାୟୀ ବାସିନ୍ଦାଭାବେ କନ୍ଧମାଳରେ ରହିଗଲେ । କନ୍ଧମାଳରେ କନ୍ଧମାନେ ମୂଖ୍ୟତଃ ଦକ୍ଷିଣରୁ ବା ଗଞ୍ଜାମ ଜିଲ୍ଲାର ମାଳାଞ୍ଚଳରୁ ଆସି କନ୍ଧମାଳରେ ପ୍ରବେଶ କରିଥିବା ସମ୍ପର୍କରେ ସେମାନଙ୍କ ମଧ୍ୟରୁ କଥିତଥିବା ବହୁ ପ୍ରବାଦରୁ ଜାଣିବାକୁ ମିଳିଥାଏ ।

 

ସଂପ୍ରତ୍ତି କନ୍ଧମାଳ ଅଞ୍ଚଳ କନ୍ଧମାନଙ୍କର ବହୁ ପୁରାତନ ବାସସ୍ଥଳୀ ହୋଇଥିଲେ ମଧ୍ୟ ସେମାନେ ଏହି ଅଞ୍ଚଳର ମୂଳ ବାସିନ୍ଦା ନୁହନ୍ତି ଏଥିରେ ସନ୍ଦେହ ନାହିଁ । ତେବେ ଏମାନଙ୍କ ଆଦିବାସିସ୍ଥଳୀ କେଉଁଠାରେ ଥିଲା ସେ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଏମାନେ ପ୍ରାୟ ଅଢେଇ ହଜାର ବର୍ଷ ପୂର୍ବରୁ ହିମାଳୟ ପାଦଦେଶ ଅଞ୍ଚଳମାନଙ୍କରେ ବସବାସ କରୁଥିଲେ ଓ କ୍ରମଶଃ ସେହି ମୂଳ ସ୍ରୋତରେ ବିଚ୍ଛିନ୍ନ ଏକ ସ୍ରୋତ ସମୟ କ୍ରମେ ବିନ୍ଧ୍ୟଗିରି ପଥ ଦେଇ ଓଡ଼ିଶାରେ ପ୍ରବେଶ କରି ଏହି କନ୍ଧମାଳ ଅଞ୍ଚଳକୁ ନିଜର ସ୍ଥାୟୀ ବାସସ୍ଥଳୀଭାବେ ଗ୍ରହଣ କରି ନେଇଛି ।

 

ମୂଳତଃ କନ୍ଧମାନଙ୍କ ନୃତତ୍ତ୍ୱବିତ୍‌ମାନେ ପ୍ରୋଟୋ ଆଷ୍ଟ୍ରୋଲଏଡ଼ ଗୋଷ୍ଠୀ ଭୁକ୍ତ କରିଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ମଙ୍ଗୋଲଏଡ଼ ଲକ୍ଷଣ ମଧ୍ୟ ଦେଖାଯାଇଥାଇ । ଏଣୁ ଗବେଷକ ଶ୍ରୀ କ୍ରିଷନ ଶର୍ମାଙ୍କ ମତାମତ ଅନୁଯାୟୀ କନ୍ଧମାନଙ୍କୁ ମଙ୍ଗୋଲଏଡ଼ ମିଶ୍ରିତ ପ୍ରୋଟୋ ଆଷ୍ଟ୍ରୋଲଏଡ଼ ଗୋଷ୍ଠୀ ଭାବେ ଗ୍ରହଣ କରିବା ଅଧିକ ଯୁକ୍ତିସଂଗତ ମନେ ହୁଏ । ହରପ୍‌ପା ଓ ମହେଞ୍ଜୋଦାରରୁ ପ୍ରାପ୍ତ ନରକଙ୍କାଳ ପରୀକ୍ଷାରୁ ସେଠାରେ ଅନ୍ୟାନ୍ୟ ଜନଗୋଷ୍ଠୀ ସହିତ ଏହି ପ୍ରୋଟ୍ରୋ ଆଷ୍ଟ୍ରୋଲଏଡ଼ ଓ ମଙ୍ଗୋଲଏଡ଼ ଗୋଷ୍ଠୀ ବସବାସ କରୁଥିବା ଜଣାଯାଏ । ଏଣୁ କନ୍ଧ ବା କୁଇ ଗୋଷ୍ଠୀର ଲୋକେ ଶ୍ରୀଷ୍ଟ ପୂର୍ବ ୨୫୦୦ ବର୍ଷ ପୂର୍ବରୁ ହରପ୍‌ପା ଓ ମହେଞ୍ଜୋଦାର ସଭ୍ୟତା ସମୟରେ ଥିବା ଅନୁମାନ କରାଯାଇପାରେ ।

 

ଉକ୍ତ ସଭ୍ୟତାର ବିଲୟ ଘଟିବା ଫଳରେ ସେଠାରେ ଅଧିବାସୀମାନେ ସୈନ୍ଧବ ଗାଙ୍ଗେୟ ଉପତ୍ୟକାକୁ ଚାଲିଯାଇ ବସବାସ କରିଥିବା ସମ୍ପର୍କରେ ଐତିହାସିକ ପ୍ରମାଣ ରହିଛି । ସମ୍ଭବତଃ ସେହି ସମୟରୁ କନ୍ଧମାନେ ହିମାଳୟ ପାଦଦେଶରେ ବସବାସ କରିବାକୁ ଲାଗିଲେ ବୋଲି ଅନୁମାନ କରାଯାଇଥାଏ । ଗୋର୍ଖାଲି ଭାଷା ସହିତ କୁଇ ଭାଷାର ଯଥେଷ୍ଟ ସାମଞ୍ଜସ୍ୟ ଥିବା ସମ୍ପର୍କରେ ପୂର୍ବତନ ଭାରତୀୟ ସୈନ୍ୟ ବାହିନୀର କର୍ମଚାରୀ ଶ୍ରୀ ସତ୍ୟବାଦୀ କହଁର (ଟିକାବାଲି ନିକଟସ୍ଥ ଉପରଖୋଲ ମୌଜାର ଅଧିବାସୀ) ଯେ କି ନିଜେ କନ୍ଧ ବଂଶୋଭବ ଅଟନ୍ତି, ତାଙ୍କଠାରୁ ପ୍ରତ୍ୟକ୍ଷ ଆଲୋଚନାକ୍ରମେ ଏଇ ଲେଖକ ଜାଣିବାକୁ ପାଇଛନ୍ତି ।

 

ହିମାଳୟ ପାଦେଶ ଅଞ୍ଚଳରୁ କୌଣସି ଅଜ୍ଞାତ କାରଣ ବଶତଃ ସେମାନଙ୍କ ଏକ ସ୍ରୋତ ଦକ୍ଷିଣ ଦିଗକୁ ଓ ଅନ୍ୟ ଏକ ସ୍ରୋତ ପୂର୍ବ ଦିଗକୁ ଗତି କରିଥିବା ଅନୁମାନ କରାଯାଏ । କନ୍ଧ ସମାଜରେ ପ୍ରଚଳିତ ଏକ ଢଗକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେମାନେ ହିମାଳୟ ପାଦଦେଶରୁ ଦକ୍ଷିଣକୁ ଆସି ବିନ୍ଧ୍ୟଗିରି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ ।

 

‘‘ହିମାଳୟ ଅନ୍ଧ୍‌ ବିଞ୍ଜଗିରର କନ୍ଧ୍‌

ଅଠେ ଜେଲେଁ କଁ ଠେଁ ବସଲ୍ୟ କଲାସୁର୍‌ ମନ୍ଧ’’

 

ବିନ୍ଧ୍ୟଗିରି ଅଞ୍ଚଳରୁ ସେମାନଙ୍କ ଗତି ଓଡ଼ିଶାକୁ ହୋଇଥିବା ଜଣାଯାଏ । ଇତିହାସରେ ସେମାନଙ୍କୁ ବିନ୍ଧ୍ୟ ମୌଳିକ ଭାବରେ ନାମିତ କରାଯାଇଛି । ଏହି ବିନ୍ଧ୍ୟ ମୌଳିକଙ୍କ ଦ୍ୱାରା ଐତିହାସିକ ଓଡ଼ିଶା ଭୁଖଣ୍ଡରେ ଅଷ୍ଟାଦଶ ଅଟବୀ ବା ଅଠରଟି ଆଟବିକ୍‌ ରାଜ୍ୟ ଗଠିତ ହୋଇଥିବା ସମ୍ପର୍କରେ ଇତିହାସରୁ ଜଣାଯାଏ । ଏହି ଅଷ୍ଟାଦଶ ଅଟବୀକ୍‌ ରାଜ୍ୟକୁ ପରବର୍ତ୍ତୀ ସମୟରେ ଓଡ଼ିଶାର ଭୌଗିଳିକ ମାନଚିତ୍ରରେ ଅଠରଟି ଗଡ଼ଜାତ ରାଜ୍ୟଭାବରେ ଚିହ୍ନିତ କରାଯାଇଥିଲା । ଯାହା ସମୟର ପରିବର୍ତ୍ତନକ୍ରମେ ପରିବର୍ତ୍ତିତରୂପ ନେଇ ଆଧୁନିକ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲାସହିତ ମିଶି ରହିଛି । ଓଡ଼ିଶା ଭୂଖଣ୍ଡର ଏହି ଆଟବୀକ୍‌ ରାଜ୍ୟ ସମ୍ପର୍କରେ ଅଶାକଙ୍କ ଶିଳାଲେଖ (ଖ୍ରୀ.ପୂ. ୨୬୧)ରୁ ଜଣାଯାଏ ।

 

ବସ୍ତର ଅଞ୍ଚଳରେ ଡ଼ୋରଲା ମୁରିଆ ଓ ପାହାଡ଼ ମାରିଆ ଆଦିବାସୀଙ୍କସହ କନ୍ଧମାନଙ୍କ ଶାରୀରିକ ସମାଞ୍ଜସ୍ୟଥିବା ଗବେଷଣାରୁ ଜଣାଯାଇଛି । ଏଣୁ ବିନ୍ଧ୍ୟ ଅଞ୍ଚଳରୁ ଓଡ଼ିଶାକୁ କନ୍ଧମାନେ ଆସିଥିବା ଯୁକ୍ତିର କିଛିଟା ସତ୍ୟତା ରହିଛି ବୋଲି ଅନୁମାନ କରାଯାଏ ।

 

ସମ୍ଭବତଃଳ କନ୍ଧମାନେ ମଧ୍ୟ ପ୍ରଦେଶରୁ ପ୍ରଥମେ କଳାହାଣ୍ଡି ଅଞ୍ଚଳରେ ପ୍ରବେଶ କରି ଏକ ସ୍ରୋତ ଉତ୍ତର-ପୂର୍ବ ଦିଗରେ ଓ ଅନ୍ୟ ଏକ ସ୍ରୋତ ଦକ୍ଷିଣ-ପୂର୍ବ ଦିଗରେ ଗତି କରିଥିବା ଅନୁମାନ କରାଯାଏ । ଉତ୍ତର ପୂର୍ବ ଦିଗରେ ଗତି କରିଥିବା ସ୍ରୋତଟି କଳାହାଣ୍ଡି, ପାଟଣା, ସୋନପୁର, ବଉଦ, ସମ୍ବଲପୁର, ଢେଙ୍କେନାଳ ଅଞ୍ଚଳରେ ବସତି ସ୍ଥାପନ କରିଥିବାବେଳେ ଦକ୍ଷିଣ-ପୂର୍ବ ଦିଗରେ ଗତି କରିଥିବା ସ୍ରୋତଟି ଫୁଲବାଣୀ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ବେଲଘର ଅଞ୍ଚଳକୁ ସୀମାରେଖା କରି କୋରାପୁଟ, ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶ ଯାଏ ଗତି କରିଥିବା ଅନୁମେୟ । ଗଞ୍ଜାମ ଅଞ୍ଚଳରୁ କ୍ରମଶଃ ସେମାନେ ସଂପ୍ରତି କନ୍ଧମୂଳଭାବେ ପରିଚିତ ମାଳ ଅଞ୍ଚଳରେ ପ୍ରବେଶ କରିଥିବା ଅନୁମିତ ହୁଏ ।

 

ଶ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ଆଦିବାସୀ ଗୋଷ୍ଠୀଙ୍କ ଅବସ୍ଥାନ ସମ୍ପର୍କରେ ଐତିହାସିକ ପ୍ରମାଣ ଥିଲେ ମଧ୍ୟ କନ୍ଧମାଳ ଅଞ୍ଚଳକୁ କନ୍ଧ ଗୋଷ୍ଠୀର ଆଗମନ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ବେଳକୁ ହୋଇଥିବା ସମ୍ଭବ । କାରଣ ଟିକାବାଲା ନିକଟସ୍ଥ ଡ଼ୁଙ୍ଗିଠାରେ ଥିବା କେତେକ ପ୍ରନ୍ୱତାତ୍ତିକ ଅବଶେଷରୁ ସେଗୁଡ଼ିକ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ କାଳର ହୋଇଥିବା ଅନୁମାନ କରାଯାଇପାରେ । ଏହି ପ୍ରନ୍ୱତାତ୍ତିକ ଅବଶେଷ ଗୁଡ଼ିକ ଅନୁଧ୍ୟାନ କଲାପରେ ମୋର ଦୃଢ ବିଶ୍ୱାସ ଆସିଛି ଯେ ହୁଏତ କନ୍ଧମାନଙ୍କ କନ୍ଧମାଳ ଅଞ୍ଚଳକୁ ଆସିବା ଅତିବେଶୀରେ ଆଉ ଶହେ ବର୍ଷ ପୂର୍ବରୁ ବା ଖ୍ରୀଷ୍ଟାୟ ସପ୍ତମ ଶତାବ୍ଦୀ ବେଳକୁ ହୋଇ ଥାଇପାରେ ।

 

ହିମାଳୟ ପାଦଦେଶରୁ ପୂର୍ବ ଦିଗକୁ ଗତି କରିଥିବା ସ୍ରୋତଟି ସମ୍ଭବତଃ ଭାରତସୀମା ପାରହୋଇ ଚୀନ ଦେଶର ସିଚୁଆନ ପ୍ରଦେଶରେ ପ୍ରବେଶ କରିଥିବା ଅନୁମିତ ହୁଏ । ଏବେବି ସିଚୁଆନ ପ୍ରଦେଶର ଉତ୍ତର ଚେଙ୍ଘୁଡ଼ୁ ଅଞ୍ଚଳରେ ଏକଲକ୍ଷ (୧୦୦୦୦୦) କ୍ୱିଆଙ୍ଗ (Qiang) ଜାତିର ଆଦିବାସୀ ବାସ କରୁଥିବା ଜଣାଯାଏ ଏବଂ ଥାଇଲାଣ୍ଡର ଏକଲକ୍ଷ ଷାଠିଏ ହଜାର (୧୬୦୦୦୦) କୁଇ (kui) ଆଦିବାସୀ ଗୋଷ୍ଠୀ ବାସ କରୁଥିବା ଜଣାଯାଏ । ବୋର୍ଣ୍ଣିତ ଦ୍ୱୀପର କାୟନ ଆଦିବାସୀମାନଙ୍କର ମଧ୍ୟ ଏଇ କୁଇ ସମ୍ପ୍ରଦାୟ ସହିତ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । କାୟନ ଆଦିବାସୀ ରମଣୀମାନେ କୁଇ ଆଦିବାସୀ ଗୋଷ୍ଠୀ ପରି ମଧ୍ୟ ସେମାନଙ୍କ ଦେହ ଓ ମୁହଁରେ ଚିତା କୁଟାଉଥିବା ଜଣାଯାଏ ।

 

ଚୀନ ଦେଶର ସିଚୁଆନ ପ୍ରଦେଶର କ୍ୱିଆଙ୍ଗ, ଥାଇଲାଣ୍ଡର କୁଇ ଓ ବୋର୍ଣ୍ଣି ଓ ଦ୍ୱିପପୁଞ୍ଜର କାୟନ ଆଦିବାସୀମାନଙ୍କସହ ତଥା ହିମାଳୟ ପାଦଦେଶ ଅଞ୍ଚଳର ଆଦିବାସୀମାନଙ୍କ ଶାରୀରିକ, ସାଂସ୍କୃତିକ ତଥା ଭାଷାତାତ୍ତ୍ୱିତ ଗବେଷଣା ପୁଙ୍ଖାନୁପୁଙ୍ଖଭାବରେ କରାଯାଇ କନ୍ଧମାନଙ୍କସହ ମେଳ କରାଗଲେ କନ୍ଧମାନଙ୍କ ଆଦି ବାସସ୍ଥଳି ନିର୍ଣ୍ଣୟ କରିବା ଅପେକ୍ଷାକୃତ ସହଜ ହୋଇପାରେ ।

☆☆☆

 

ଶାରୀରିକ ଗଠନ

 

ଗବେଷକମାନେ କନ୍ଧମାନଙ୍କୁ ଭାଷାତାତ୍ତ୍ୱିକ ଦୃଷ୍ଟିକୋଣୁରୁ ଦ୍ରାବିଡ଼ ଶ୍ରେଣୀଭୁକ୍ତ କରିଥାନ୍ତି ଏବଂ ଗୋଷ୍ଠୀଭିତ୍ତିକ (Racial) ଦୃଷ୍ଟିରୁ ସେମାନଙ୍କୁ ପ୍ରୋଟୋ ଆଷ୍ଟ୍ରୋଲଡ଼ଏ ଗୋଷ୍ଠୀଭାବେ ଚିହ୍ନିତ କରନ୍ତି ।

 

କନ୍ଧମାନଙ୍କ ଶାରୀରିକ ଗଠନ ସମ୍ପର୍କରେ ୧୮୩୬ ଖ୍ରୀଷ୍ଟାବ୍ଦରେ କ୍ୟାପଟେନ୍‌ ମ୍ୟାକ ଫରସନ (Captain Mc. pherson) ଲେଖିଛନ୍ତି ତାଙ୍କର ଶରୀର ଗଠନ ଏପରି ଯେ ଏହା ଅତି କଠିନ, ଶ୍ରମ କରିବାକୁ ଏବଂ ଅଭାବ ସହ୍ୟ କରିବାକୁ ଉପଯୁକ୍ତ । ସେମାନେ ବଳବାନ । ହାତ, ଗୋଡ଼ ଓ ଦେହର ମାଂସପେଶିଗୁଡ଼ିକ ଖୁବ୍‌ ଭୟରୂପ ବାହାରକୁ ଜଣାପଡ଼େ । ଚମଡ଼ା ପରିଷ୍କାର ଏବଂ ଚକ୍‌ ଚକ୍‌ । ରଙ୍ଗ ଗାଢ ତମ୍ବାଳିଆ ଗୋଇଠି ଏବଂ ଗୋଡ଼ର ପଛଭାଗ ଏକ ରେଖାରେ ରହେ । ହିନ୍ଦୁମାନଙ୍କ ପାଦ ଅପେକ୍ଷା କିଛି ବଡ଼ । ପାଦର ଭିତରେ ପାଖ ବେଶୀ ବଙ୍କା ନ ହେଲେ ମଧ୍ୟ ସେ ଅସାଧାରଣଭାବେ ଦୌଡ଼ିପାରେ । କପାଳ ଉଚ୍ଚ ଏବଂ ଚଉଡ଼ା । ଗାଲର ହାଡ଼ ବାହାରକୁ ଉଚ୍ଚ ଦେଖାଯାଏ । ନାକ ସାଧାରଣତଃ ଅଗ୍ରଭାଗରେ ଓସାରିଆ ଏବଂ କ୍ୱତିତ ବଙ୍କା । ପାଟିଟା ବଡ଼ । ଏସବୁ ଆକାର ପ୍ରକାର ଦୃଢତା ବୃଦ୍ଧିମତା ଓ ରସିକତାର ଚିହ୍ନ । ସେମାନେ ନ୍ୟୂନତା କଅଣ ଜାଣନ୍ତି ନାହିଁ । (୧)

 

ମ୍ୟାକ ଫରସନଙ୍କ ବର୍ଣ୍ଣନା ସହିତ ପ୍ରୋଟୋ ଆଷ୍ଟ୍ରୋଲଏଡ଼ (proto Austroloid)ଙ୍କ ବର୍ଣ୍ଣନାର ସାମାଞ୍ଜସ୍ୟ ଦେଖାଯାଏ । କାରଣ ପ୍ରୋଟୋ ଆଷ୍ଟ୍ରୋଲଏଡ଼ମାନଙ୍କ ଶରୀର ଗଠନ ପରି କନ୍ଧମାନଙ୍କ ଶରୀରର ବର୍ଣ୍ଣ କଳାମିଶ୍ରିତ ମାଟିଆ ବା କଳା, ବଡ଼ ଓ ଚେପଟା ନାକ, ମୋଟା ଓଠ, କମ ଉଚ୍ଚତା, ଲମ୍ବା ମୁଣ୍ଡ, କୁଞ୍ଚକୁଞ୍ଚିଆ ବାଳ ଇତ୍ୟାଦିର ସାମଞ୍ଜସ୍ୟ ରହିଛି ।

 

ଶର୍ମା, ଗୁହଙ୍କ ମତକୁ ଉଦ୍ଧର କରି କହନ୍ତି–According to Guha the Proto Austroloid type is Characterized by Short stafure, dark brown to black skin colour, progna tuism broad flat nose (platyrruime) more fleshy everted lips and wavy or even curly hair and dolichocephalicie .Long headed (2)

 

ଗବେଷଣାରୁ ଜଣାଯାଏ ଯେ ମଙ୍ଗ୍ଳୋ ଦ୍ରାବିଡ଼ିଆନଙ୍କ ପରି କନ୍ଧମାନଙ୍କ ସାଧାରଣ ଉଚ୍ଚତା ୧୫୬.୫ ସେଣ୍ଟିମିଟର ଏବଂ Risleyଙ୍କ ବିବରଣୀ ଅନୁଯାୟୀ ଓଡ଼ିଶାର ମଙ୍ଗ୍ଳୋ ଦ୍ରାବିଡ଼ିଆନଙ୍କ ନାକ ସହିତ କନ୍ଧମାନଙ୍କ ନାକର ଆକାର ନିକଟତର ଅଟେ ।

 

ଏହା ବ୍ୟତୀତ ମଧ୍ୟପ୍ରଦେଶର ବସ୍ତର ଅଞ୍ଚଳରେ ବାସ କରୁଥିବା ମୂରିଆମାନଙ୍କ ମୂଣ୍ଡର ମାପ ସହିତ କନ୍ଧମାନଙ୍କ ମୁଣ୍ଡର ମାପ ଶତକଡ଼ା ୮୨ ଭାଗ ସମାନ । କନ୍ଧମାନଙ୍କ ନାକରେ ଗଠନ ମଧ୍ୟ ମଧ୍ୟପ୍ରଦେଶ ବାସୀ ଡ଼ୋରଲା, ମୂରିଆ ଓ ଭକ୍ରାମାନଙ୍କ ନାକ ମାପର ଖୁବ୍‌ ନିକଟବର୍ତ୍ତୀ ଅଟେ । ପାହାଡ଼ି ମୂରିଆ ଓ ମୂରିଆମାନଙ୍କ ମୂହଁ ର ଗଠନସହ କନ୍ଧମାନଙ୍କ ମୁହଁର ଗଠନର ଶତକଡ଼ା ୩୯ ଭାଗ ସାଦୃଶ୍ୟ ରହିଛି ।

 

ଉଚ୍ଚତା ଅନୁସାରେ ଦେଖିବାକୁ ଗଲେ ମଧ୍ୟ କନ୍ଧମାନଙ୍କ ଉଚ୍ଚତା (୧୫୬.୫) ବସ୍ତରର ଡ଼ୋରଲା (୧୬୦.୦୧) ଭକ୍ରା (୧୬୦.୩୬ ସେମି)ଙ୍କର ଖୁବ୍‌ ନିକଟବର୍ତ୍ତୀ ଅଟେ । ତେଣୁ ତୁଳନାତ୍ମକ ଅଧ୍ୟୟନରୁ କନ୍ଧମାନେ ମଧ୍ୟପ୍ରଦେଶର ବସ୍ତର ଆଦିବାସୀଙ୍କସହ ସାଦୃଶ୍ୟ ଥିବା ଜଣାଯାଏ । ଏଣୁ ଶର୍ମାଙ୍କ ମତରେ–Kondo resemble with Bastar, Tribes living in their neighbor hood like Dorla, Muria, Hill Maria and Bhatra in their physical traits (3)

 

ଗବେଶଣାରୁ କନ୍ଧମାନଙ୍କ ଶାରୀରିକ ଓଜନ ଅନୁଯାୟୀ ଶରୀରରେ ଜଳ ଓ ଚର୍ବିର ପରିମାଣ ନିମ୍ନମତେ ସ୍ଥିର କରାଯାଇଛି (୪)

 

Adult male (ସାବାଳକ ପୁରୁଷ)

 

ଶରୀର ଓଜନ ଶାରିରୀକଜଳ ଶାରୀରିକ ଚର୍ବି ସାବାଳକ ପୁରୁଷ

(୨୫ ବର୍ଷ ବୟସ୍କ) ୭୦ କି.ଗ୍ରା ୫୮.୯% ୧୯.୬%

କନ୍ଧ ପୁରୁଷ (୨୦ରୁ ୫୦ ବର୍ଷ) ୪୭.୧ କି.ଗ୍ରା ୫୧.୦୨% ୨୬.୭୨%

 

Adult Female (ସାବାଳିକା ମହିଳା)

 

ସାବାଳିକା ମହିଳା

(୨୫ ବର୍ଷ ବୟସ୍କା) ୬୦ କି.ଗ୍ରା ୫୧.୩% ୨୯.୮%

କନ୍ଧ ମହିଳା (୧୮ରୁ ୪୫ ବର୍ଷ)

୪୧.୨୫ କି.ଗ୍ରା ୫୦.୫୫% ୨୫.୮

 

ଉପରୋକ୍ତ ହିସାବରୁ କନ୍ଧମାନଙ୍କର ମଧ୍ୟରେ ପୁଷ୍ଟିହୀନତା ରହିଥିବା ସ୍ପଷ୍ଟ ଅନୁମେୟ । ତେଣୁ ସେମାନେ ପୁଷ୍ଟିହୀନତା ଯୋଗୁଁ ନାନା ରୋଗ ବ୍ୟାଧିର ସମ୍ମୁଖୀନ ହୋଇଥାନ୍ତି ।

 

ଭାରତୀୟ ଜୀବନବୀମା ନିଗମ ଜଣେ ସାବାଳକ ବ୍ୟକ୍ତିର ଉଚ୍ଚତା ଅନୁସାରେ କେତେ ଓଜନ ରହିବା କଥା ସ୍ଥିର କରିଛନ୍ତି । ଉଚ୍ଚତା ସେ.ମିରେ ଓଜନ କେ.ଜିରେ ଉଚ୍ଚତା ସେ.ମିରେ ଓଜନ କେ.ଜିରେ

 

୧୪୬

୪୬.୬

୧୬୦

୫୩.୭

୧୪୮

୪୭.୪

୧୬୨

୫୪.୯

୧୫୦

୪୮.୩

୧୬୪

୫୬.୨

୧୫୨

୪୯.୨

୧୬୬

୫୭.୬

୧୫୪

୫୦.୩

୧୬୮

୫୯.୧

୧୫୬

୫୧.୪

୧୭୦

୬୦.୬

୧୫୮

୫୨.୫

୧୭୨

୬୨.୧

 

ଉପରୋକ୍ତ ପ୍ରସ୍ତାବିତ ଓଜନ ତୁଳନାରେ ଶତକଡ଼ା ୫୦.୯୪ ଭାଗ କନ୍ଧଙ୍କ ଓଜନ ୫ କିଲୋଗ୍ରାମ କମ ଓ ଶତକଡ଼ା ୮୩.୦୨ ଭାଗ କନ୍ଧଙ୍କ ଓଜନ ଏକ କିଲୋଗ୍ରାମ କମଥିବା ଜଣାଯାଏ । (୫) ଏଥିରୁ ମଧ୍ୟ ଜଣାଯାଏ ଯେ ଅଧିକାଂଶ କନ୍ଧ ପୁଷ୍ଟିହୀନତାର ଶୀକାର ହୋଇଥାନ୍ତି । ଏଣୁ କନ୍ଧମାନଙ୍କ ଜୀବନଯାତ୍ରା ତଥା ଆର୍ଥିକମାନର ଉନ୍ନତ ହେବା ଏକାନ୍ତ ବାଞ୍ଛନୀୟ ।

 

ସହାୟକ ଗ୍ରନ୍ଥସୂଚୀ–

 

୧. ମଲିକ, ମେଦିନୀପୁର–କନ୍ଧ ଓ କନ୍ଧମାଳ–ପୃ ୬

 

୨.Sharma, krisan–The Konds of Orissa 1979 New Delhi–p.5

 

୩. Ibid–page -94

 

୪. Ibid–page-103

 

୫. Ibid–page-96-97

☆☆☆

 

ସାମାଜିକ ସଂପର୍କ

 

ହିନ୍ଦୁ ପରିବାରପରି କନ୍ଧମାନେ ଏକାନ୍ନବର୍ତ୍ତୀ ପରିବାରରେ ବାସ କରନ୍ତି । ଗୋଟିଏ କନ୍ଧ ପରିବାରରେ ଗୋସେଇଁ ବାପା, ଗୋସେଇଁ ମାଆ, ବାପା, ମାଆ, ପୁଅ, ଝିଅ, ବିବାହିତ ପୁଅ, ବୋହୂ, ନାତି, ନାତୁଣୀ ଏକତ୍ର ବାସ କରୁଥିବା ଦେଖାଯାଏ । ମାତ୍ର ବହୁ କ୍ଷେତ୍ରରେ ପୁଅ ବିବାହ କରିବାର କିଛିଦିନ ପରେ ବାପା, ମାଆଙ୍କଠାରୁ ଅଲଗା ହୋଇ ରହିବା ଦେଖିବାକୁ ମିଳେ । କନ୍ଧ ସାମାଜିକ ଚଳଣିରେ ସାନ ପୁଅ ବାପାର ଘରେ ରହିବାର ଅଧିକାର ପାଇଥାଏ । ଏଣୁ ବଡ଼ ପୁଅମାନେ ଅଲଗା ଘର କରିବା ଠାରୁ ଅଲଗାଭାବରେ ରହିଥାନ୍ତି ।

 

କନ୍ଧ ସମାଜରେ ପରିବାରର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ବ୍ୟକ୍ତିଭାବରେ ଗୋସେଇଁ ବାପା ଓ ଗୋସେଇଁ ମାଆଙ୍କୁ ନିଆଯାଏ । କନ୍ଧ ଭାଷାରେ ଗୋସେଇଁ ବାପାଙ୍କୁ ଆକେ ଓ ଗୋସେଇଁ ମାଆଙ୍କୁ ଆତା କହନ୍ତି । ସେମାନେ ସବଳ ଥିବାଯାଏ ଶକ୍ତି ମୂତାବକ ଘରର ବିଭିନ୍ନ କାମ କରିଥାନ୍ତି । ନଚେତ୍‌ ପରିବାରର ଅନ୍ୟମାନେ କାମକୁ ଗଲେ ଘର ଜଗିବା ଓ ପରିବାରର ଛୋଟ ଛୋଟ ଛୁଆମାନଙ୍କୁ ପାଖରେ ରଖି ସେମାନଙ୍କୁ ଖେଳାଇବା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ଅବସର ସମୟରେ ସେମାନେ ନାତିନାତୁଣୀ ମାନଙ୍କୁ ବିଭିନ୍ନ ଗପ, ଗୀତ, ଢଗଢମାଳି ଶୁଣାଇଥାନ୍ତି । କୌଣସି କାମ କରିବା ପାଇଁ ସେମାନଙ୍କୁ ପରିବାରର କେହି ବାଧ୍ୟ କରି ନଥାନ୍ତି । ପୁଅ ବୋହୁ ନାତିନାତୁଣି ଆଦିଙ୍କୁ ସେମାନଙ୍କ ଭୁଲ କାର୍ଯ୍ୟ ଦେଖିଲେ ଏମାନେ ସତର୍କ କରିଦେବା ଓ ସେ ସଂପର୍କରେ ବୁଝାଇ ଦେବାକୁ ଏମାନେ ନିଜର ଦାୟିତ୍ୱ ବୋଲି ଭାବନ୍ତି । ଅସମର୍ଥ ହେଲେ ଏମାନେ ଚଲାବୁଲା ପାଇଁ ବାଡ଼ି ଖଣ୍ଡିଏ ଧରିଥାନ୍ତି । ପରିବାରର ଅନ୍ୟମାନେ ସେମାନଙ୍କ ସେବା କରିବାକୁ ପରମ କର୍ତ୍ତବ୍ୟ ବୋଲି ମନେ କରନ୍ତି । ଭୋଜିଭାତ ପର୍ବପର୍ବାଣୀମାନଙ୍କରେ ପ୍ରଥମେ ସେମାନଙ୍କୁ ଖାଇବାକୁ ଦିଆଯାଇଥାଏ ।

 

ବାପାଙ୍କୁ ଏମାନେ ପରିବାରର କର୍ତ୍ତା ଓ ମାଆଙ୍କୁ ପରିବାରର କର୍ତ୍ତ୍ରୀଭାବେ ଗ୍ରହଣ କରି ଥାଆନ୍ତି । ବାପାକୁ ଆବା ଓ ମାଆକୁ ୟା ବା ଆଜାଭାବରେ ସମ୍ବୋଧନ କରାଯାଏ । ବାପା ଘରର ଉନ୍ନତି ଓ ଚାଷବାସ ଦେଖିବା, ଅନ୍ୟାନ୍ୟ ସଦ୍ୟଙ୍କ ଅସୁସ୍ଥତାରେ ଚିକିତ୍ସା କରାଇବା, ଗୃହପାଳିତ ପଶୁମାନଙ୍କ ଦାୟିତ୍ୱ ନେବା ଆଦି କାର୍ଯ୍ୟ କରିଥାନ୍ତି ଓ ପୁଅଝିଅଙ୍କ ବିବାହ, ବନ୍ଧୁବାନ୍ଧବ ଶଂଖୋଳିବା, ପିତାମାତାଙ୍କ ଶୁଦ୍ଧିକ୍ରିୟା କରିବା, ବନ୍ଧୁବାନ୍ଧବଙ୍କ ବିଭିନ୍ନ ଭୋଜିଭାତ ଓ ସାମାଜିକ ଉତ୍ସବରେ ଯୋଗଦେଇ ନିଜର ଦାୟିତ୍ୱ ତୁଲାଇଥାନ୍ତି । ମାଆ ଘରର ସମସ୍ତ କାର୍ଯ୍ୟ ସହିତ ଚାଷ ସମୟରେ ତଳି ଭାଙ୍ଗିବା, ଧାନ ରୋଇବା, ଧାନ କାଟିବା ଓ ବୋହିବା, ଶସ୍ୟ ଅମଳ କରିବା, ହାଟକୁ ବିକ୍ରି ନିମନ୍ତେ ମୁଣ୍ଡରେ ଶସ୍ୟାଦି ଜିନିଷ ବହିନେବା ଓ ଅନ୍ୟାନ୍ୟ କାମରେ ସାହାଯ୍ୟ କରିବା ସହିତ ଘରର ସମସ୍ତ ସଦସ୍ୟଙ୍କ ସୁଖ ସୁବିଧା ଦେଖିଥାନ୍ତି ।

 

କୁଇ ସମାଜରେ ଧୋବା ଭଣ୍ଡାରି ଓ ବଢେଇ ଜାତି ସେବାୟତଭାବରେ କାମ କରିବା ଦେଖାଯାଏ ନାହିଁ । କାରଣ ଅତୀତରେ କନ୍ଧମାନେ ଜନ୍ମଠାରୁ ମୃତ୍ୟୁଯାଏ ବାଳ, ନିଶ ଓ ଦାଢି କାଟିବା ବା କ୍ଷୌର ହେବାର ଆବଶ୍ୟକତା ଉପଲବ୍‌ଧ କରୁ ନଥିଲେ । ଆଜି କାଲି ଜଣେ ଅନ୍ୟ ଜଣଙ୍କ ବାଳ କାଟିବା, ନିଜେ ଦାଢି କ୍ଷୌର ହେବା କିମ୍ବା ଭଣ୍ଡାର ପାଖରେ ଯାଇ କ୍ଷୌରହେବା ଦେଖାଯାଏ । ସେପରି ସ୍ତ୍ରୀମାନେ ପାଉଁଶ ଦେଇ ବାହାର ଚୁଲିରେ ଲୁଗା ସଫା କରନ୍ତି ଏବଂ ପୁରୁଷମାନେ ବଢେଇ କାମ କରିଥାନ୍ତି । ସେମାନେ ଘର ତିଆରି କରିବା ଓ ଦରକାରୀ କାଷ୍ଠ ଉପରଣ ନିଜେ ତିଆରି କରିବା ପିଲାଦିନରୁ ଅଭ୍ୟାସ କରନ୍ତି । ବାପା ମାଆମାନେ ପୁଅଝିଅକୁ ଅଧିକ ସ୍ନେହ କରନ୍ତି । ସେମାନେ ଖେଳିବା ପାଇଁ କାଠରେ ଛୋଟ ଲଙ୍ଗଳ, ଡ଼ଙ୍ଗା ଇତ୍ୟାଦି ତିଆରି କରି ଦେଇଥାନ୍ତି । ବିଭିନ୍ନ ପ୍ରକାର ଗୀତ ଓ ଗପ ଶୁଣାଇ ଅଝଟ ହେଲାବେଳେ ବୋଧ କରନ୍ତି ।

 

ଶାରୀରିକ ଅସୁସ୍ଥତାରେ ଔଷଧ ଉପରେ ସେମାନଙ୍କର ଯେତେଟା ଗୁରୁତ୍ୱ ନଥାଏ, ତାଠାରୁ ଅଧିକ ଗୁରୁତ୍ୱ ଦିଆଯାଏ ଗୁଣିଆ ଦ୍ୱାରା ପୂଜା ଦେଇ ଦେବତାଙ୍କ ସନ୍ତୋଷ ବିଧାନ ଉପରେ । ସେମାନଙ୍କର ବିଶ୍ୱାସ ଯେ ଦେବତାଙ୍କ କୋପ ଯୋଗୁଁ ନାନା ପ୍ରକାର ରୋଗ ବ୍ୟାଧି ହୋଇଥାଏ । ଦେବତାଙ୍କୁ ସନ୍ତୁଷ୍ଟ କରାଗଲେ ରୋଗ ଭଲ ହୋଇଯିବ । ତେଣୁ ସେମାନେ ରୋଗ ହେଲେ ମଦ, କୁକୁଡ଼ା, ଛେଳି, ଘୁଷୁରୀ ଇତ୍ୟାଦି ବଳି ଦେଇ ଗୁଣିଆ ବା ଗୁରୁମାନଙ୍କ ଦ୍ୱାରା ଦେବତାଙ୍କୁ ପୂଜା ଦେଇଥାନ୍ତି । ଏହା ସତ୍ତ୍ୱେବି କେତେକ ଜଡ଼ିତ୍ୟୁଟିର ବ୍ୟବହାର କରାଯାଇ ରୋଗ ଉପଶମ ନିମନ୍ତେ ଚେଷ୍ଟା କରିଥାନ୍ତି ।

 

ଗ୍ରାମର ରକ୍ତ ସଂପର୍କୀୟ ବଡ଼ ବାପା, ବଡ଼ ମାଆ , କକା, ଖୁଡ଼ି, ଗୋସେଇଁ ବାପା, ଗୋସେଇଁ ମାଆ ପ୍ରଭୃତି ମାନ୍ୟ ଲୋକମାନଙ୍କୁ କନିଷ୍ଠମାନେ ଭୟ ଓ ଭକ୍ତି କରନ୍ତି । ବୟସ୍କମାନଙ୍କ ଗୋଷ୍ଠୀରେ କନିଷ୍ଟମାନେ ବସିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ସହ ମଦ ପିଇବାକୁ ବି ସଂକୋଚବୋଧ କରନ୍ତି । ବୟସ୍କମାନେ ମଦ ପିଉଥିବାବେଳେ ଯଦି କେହି ଯୁବକ ସେଠାରେ ଆସି ବସେ, ବୟସ୍କମାନେ ତାକୁ ଉଦ୍ଦେଶ୍ୟ କରି ଥଟ୍ଟାରେ ମଦ ବାଣ୍ଟୁଥିବା ଲୋକକୁ କହନ୍ତି ‘‘ବଡ଼ ବୁଢା ଆସିଗଲା, ତାକୁ ଆଗେ ମଦ ଦେ’’ । ଏପରି କଥା ଶୁଣିଲା ପରେ ଯୁବକଟିର ଲଜ୍ଜାରେ ମୁଣ୍ଡ ନଇଁଯାଏ ଏବଂ ସ୍ଥାନ ଛାଡ଼ି ସେ ଚାଲିଯିବାକୁ ବାଧ୍ୟ ହୋଇଥାଏ । ଏଥିରୁ କୁଇ ସମାଜର ଜ୍ୟେଷ୍ଠ କନିଷ୍ଠଙ୍କ ମଧ୍ୟରେ ସଂପର୍କ ସହଜରେ ଜାଣି ହୁଏ । ମଦ ପିଇ ବୟସ୍କମାନଙ୍କ ଆଗକୁ ଆସିବା କିମ୍ବା ବୟସ୍କମାନଙ୍କ ସାମ୍‌ନାରେ ଧୁମ୍ରପାନ କରିବା ଅପରାଧରୂପେ ବିବେଚିତ ହୋଇ ନଥାଏ । ରକ୍ତ ସଂପର୍କୀୟମାନଙ୍କ ବ୍ୟତୀତ ଗ୍ରାମର ଅନ୍ୟାନ୍ୟ ବୟସ୍କମାନଙ୍କୁ ଜାତି ବର୍ଣ୍ଣ ନିର୍ବିଶେଷରେ ସମ୍ମାନ ଦେବାର ପରଂପରା କୁଇ ସମାଜରେ ରହିଛି ।

 

ମୋଟ ଉପରେ କହିବାକୁ ଗଲେ କୁଇ ସମାଜରେ ପାରିବାରିକ ଜୀବନ ଅତି ମଧୁର ଓ ପରସ୍ପର ମଧ୍ୟରେ ସଂର୍ପକ ନିବିଡ଼ ଏବଂ ଅନ୍ୟ ଯେ କୌଣସି ଜାତି ବା ଗୋଷ୍ଠୀର ପାରିବାରିକ ବନ୍ଧନ ଅପେକ୍ଷା ଅତୁଳନୀୟ । କୁଇ ବାଳକବାଳିକାଙ୍କ ଗୁରୁଜନଙ୍କ ପ୍ରତି ଭୟ ଓ ଭକ୍ତି ଦେଖିଲେ ଅଭିଭୂତ ହେବାକୁ ହୁଏ । ଯାହା ଆଧୁନିକ ସଭ୍ୟ ସମାଜରେ ଦୁଷ୍ପ୍ରାପ୍ୟ କହିଲେ ଚଳେ । ଭାଇ ଭାଇ ପୃଥକ ହୋଇ ଚଳୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ କ୍ୱଚି୍ ଦେଖିବାକୁ ମିଳିଥାଏ । ସାମାଜିକ ସର୍ପକ ମଧ୍ୟ ସେହିପରି ମଧୁର ।

 

ଏପରି ମଧୁର ସଂର୍ପକ ରହିପାରିବାର ମୂଖ୍ୟ କାରଣ ହେଲା, ସେମାନେ ଆର୍ଥିକ ଦୃଷ୍ଟିରୁ ଖୁବ୍‌ ଅସ୍ୱଚ୍ଛଳ ହେଲେ ମଧ୍ୟ କେବେ ଅଭାବବୋଧ ଅନୁଭବ କରି ନଥାନ୍ତି । ଯାହାକି ସେମାନଙ୍କ ମାନସିକ ପ୍ରକ୍ରିୟାକୁ କଳୁଷିତ କରିବ । ସେମାନଙ୍କ ସଂପତ୍ତି ବୋଲି ବିଶେଷ କୌଣସି ଜିନିଷ ନଥାଏ । ତେଣୁ ଅର୍ଥ ବା ସଂପତ୍ତି ଲୋଭ ସେମାନଙ୍କ ମଧ୍ୟରେ ଦେଖାଯାଏ ନାହିଁ କି ଏଥିପାଇଁ କାହା ସହିତ କଳିତକରାଳ ହୁଏ ନାହିଁ । କନ୍ଧ ସମାଜରେ କଦବା କ୍ୱଚିତ୍‌ ଗୋଳମାଳ ଦେଖାଯାଇଥାଏ ନୈତିକ ଚରିତ୍ର ଦୃଷ୍ଟିରୁ କନ୍ଧମାନେ ଅନ୍ୟାନ୍ୟ ଆଦିବାସୀ ଗୋଷ୍ଠୀ ତୁଳନାରେ ଯଥେଷ୍ଟ ଉନ୍ମତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମାଆର ବାପା ଓ ମାଆ ଅର୍ଥାତ୍‌ ଅଜା ଓ ଆଇଙ୍କୁ ବି ଆଜେ ଓ ଆତା କହିଥାନ୍ତି । ମାମୁଁକୁ ମାମା ଓ ମାଇଁକୁ ଆମା କହନ୍ତି । ମଉସାକୁ ଆବା ଓ ମାଉସୀକୁ ଆଙ୍ଗ ସମ୍ବୋଧନ କରନ୍ତି । ମାଉସୀ ପୁଅ ଭାଇକୁ ତାଲିସା ଓ ମାଉସୀ ଝିଅ ଭଉଣୀକୁ ତାଲିସାଣି କହନ୍ତି । ପିଉସାକୁ ମାମା ଓ ପିଉସୀକୁ ଆମେ ଡ଼ାକନ୍ତି । ମାମୁଁ ଓ ପିଉସୀ ପୁଅକୁ ମ୍ରିଗି ଓ ଝିଅକୁ ମ୍ରିଗାଲି କହିଥାନ୍ତି । ମାମୁଁ, ମାଉସୀ, ପିଉସୀଙ୍କୁ ପୁଅ ଓ ଝିଅଙ୍କୁ ନିଜର ଆତ୍ମଜପରି ବ୍ୟବହାର କରିଥାନ୍ତି । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠକୁ ସମ୍ମାନ ଓ କନିଷ୍ଠକୁ ସ୍ନେହ କରନ୍ତି । ସେହିପରି ଅଜା ଆଉ ମଉସା ମାଉସୀ ଓ ପିଉସୀଙ୍କୁ ଭୟ ଭକ୍ତି ଓ ସମ୍ମାନ କରିଥାନ୍ତି ।

 

ଶ୍ୱଶରୁ ଘର ଗାଁରେ ଜ୍ୱାଇଁ ସମସ୍ତଙ୍କ ଘରେ ଜ୍ୱାଇଁଭାବରେ ସମ୍ମାନ ପାଇଥାଏ । ଯାହା ଘରକୁ ଗଲେ ସେ ନିଆଁ ଓ ଧୂଙ୍ଗିଆ (ଧୂଆଁ ପତ୍ର) ଦେଇ ତାଙ୍କୁ ପ୍ରଥା ଅନୁରୂପ ସମ୍ମାନ ଦେଇଥାନ୍ତି । ସେହିପରି ଶ୍ୱଶର ଘର ଗାଁରୁ ଯେ କୌଣସି ବ୍ୟକ୍ତି ଜ୍ୱାଇଁର ଗ୍ରାମକୁ ଗଲେ ଜ୍ୱାଇଁବି ତାଙ୍କୁ ଅନୁରୂପ ସମ୍ମାନ ପ୍ରଦାନ କରନ୍ତି ।

 

ସଙ୍ଗାତ ବସିବା : - ସଙ୍ଗାତ ବସିବା, ମଇତ୍ର ବସିବା ପରମ୍ପରା ବି କୁଇ ସମାଜରେ ରହିଛି । ସଙ୍ଗାତକୁ କୁଇ ଭାଷାରେ ତଣେ କହନ୍ତି । କୁଇଁ ସମାଜରେ ଦୁଇ ପ୍ରକାର ସଙ୍ଗାତ ବସିବା ଦେଖାଯାଏ । (୧) ସମ ସଙ୍ଗାତ (୨) ବିଶ୍ୱାସୀ ସଙ୍ଗାତ ।

 

ସମ ସଙ୍ଗାତ :- ଜଣକ ପରିବାରରେ କ୍ରମାଗତଭାବେ ରୋଗ ବ୍ୟାଧି ଲାଗି ରହିଲେ ଗୁରୁଙ୍କୁ ଡ଼କାଇ କାରଣ ପଚାରାଯାଏ । ଗୁରୁ କୁଉଟା ଦେଖି (ସତ୍ୟତା ଜାଣିବା ପାଇଁ ଏକ ପଦ୍ଧତି) ଯଦି କହନ୍ତି ଯେ ସଙ୍ଗାତ ପିଠା ଆଣି ବଲାନି କଲେ ରୋଗ ବ୍ୟାଧି ଭଲ ହେବ, ତେବେ ନିଜ ଗାଁରେ ଯାହା ଘରେ ସମାନ ସଂଖ୍ୟକ ସଦସ୍ୟଥାନ୍ତି ତାହାଙ୍କ ଘରେ ସଙ୍ଗାତ ସ୍ଥାପନ କରାଯାଇ, ଧାନ ଆଣି, ପିଠାକରି, ପୂଜାଦେଇ ରୋଗ ବଲାନି କରାଯାଇ ଥାଏ । ନିଜ ଗାଁରେ ସେହିପରି ବ୍ୟକ୍ତି ନ ଥିଲେ ଅନ୍ୟ ଗ୍ରାମରେ ସେହିପରି ଏକ ପରିବାରର ସନ୍ଧାନ କରାଯାଇ ସେହି ପରିବାରସହ ସଙ୍ଗାତ ବସିଥାନ୍ତି ।

 

ବିଶ୍ୱାସୀ ସଙ୍ଗାତ : - ଯଦି ଯାହା ସହିତ ବିଶ୍ୱାସ ବଢିଯାଏ, ଉକ୍ତ ବିଶ୍ୱାସକୁ ସ୍ଥାୟୀ କରିବା ପାଇଁ ସଙ୍ଗାତ ବସାଯାଏ । ସେହି କ୍ଷେତ୍ରରେ ଉଭୟ ବ୍ୟକ୍ତି ପରସ୍ପରକୁ ନିଜ ନିଜ ଘରକୁ ଡ଼ାକିନେଇ ପିଠା ପଣା, ମଦ ମାଂସରେ ଆପ୍ୟାୟିତ କରି ସମ୍ପର୍କକୁ ଦୃଢ କରିଥାନ୍ତି ।

 

ଏହି ଉଭୟ ପ୍ରକାର ସଙ୍ଗାତକୁ ଭୋଜିଭାତ, ଶୁଦ୍ଧିକ୍ରିୟା ବେଳେ ନିମନ୍ତ୍ରଣ କରାଯାଇଥାଏ । ତେବେ ଦ୍ୱିତୀୟ ପ୍ରକାର ସଙ୍ଗାତ ସହିତ ଅଧିକ ଆନ୍ତରିକତା ଥାଏ । ବିଶ୍ୱାସୀ ସଙ୍ଗତାମାନେ ପରସ୍ପରର ସୁଖ ଦୁଃଖରେ ସମଭାଗୀ ହୋଇଥାନ୍ତି । ଆପଦ ବିପଦବେଳେ ବିନା ଡ଼ାକରାରେ ପାଖରେ ଠିଆ ହୁଅନ୍ତି । ଏପରି ସଙ୍ଗାତ ଭାଇଠାରୁ ବି ଅଧିକ ବିବେଚିତ ହୋଇଥାନ୍ତି ।

 

ଥଟ୍ଟା ପରିହାସ : - ଅଜା ଆଇମାନେ ନାତି ନାତୁଣିମାନଙ୍କୁ ଥଟ୍ଟା ପରିହାସ କରିଥାନ୍ତି । ଦିଅର ଭାଉଜ ଥଟ୍ଟା ପରିହାସ ମଧ୍ୟ କୁଇ ସମାଜରେ ସ୍ୱୀକୃତ । ତେବେ ଦିଅର ଭାଉଜକୁ ମାତୃତୁଲ୍ୟ ମନେ କରିଥାଏ । ସମନ୍ଧ ଓ ସମନ୍ଧିଣି ଜ୍ୱାଇଁ, ଶଳା, ଶାଳୀ, ଶଳାଭାଉଜଙ୍କ ମଧ୍ୟରେ ଥଟ୍ଟା ପରିହାସ ପ୍ରଚଳିତ ଅଛି । ମାତ୍ର ବଡ଼ଶଳା ଓ ବଡ଼ଶଳା ଭାଉଜଙ୍କୁ ଗୁରୁଜନ ମନେ କରାଯାଉଥିବାରୁ ସେମାନଙ୍କୁ ଥଟ୍ଟା କରାଯାଏ ନାହିଁ ।

 

ସମ୍ମାନ ଦେବା ବିଧି : - ଗୁରୁଜନମାନଙ୍କୁ କନିଷ୍ଠମାନେ ସମ୍ମାନ ଦେବାର ବିଧି ରହିଛି । କୌଣସି ଦୂରସ୍ଥାନକୁ ଦୀର୍ଘଦିନ ପାଇଁ ଗଲାବେଳେ ଗୁରୁଜନମାନଙ୍କୁ ଆଜିକାଲି ହାତଯୋଡ଼ି ନମଷ୍କାର କରିବା ଦେଖାଯାଏ । ସେହି ପରି ବିଦେଶରୁ ଫେରିଲେ ବି ନମଷ୍କାର କରନ୍ତି । କିନ୍ତୁ ପୂର୍ବରୁ କନ୍ଧମାନଙ୍କ ମଧ୍ୟରେ ଏପରି ହାତଯୋଡ଼ି ନମଷ୍କାର କରିବା ପ୍ରଥା ନ ଥିଲା । ସେମାନେ ସମ୍ମାନ ପ୍ରଦର୍ଶନ କଲାବେଳେ ଡ଼ାହାଣ ହାତ ମୁଠା କରି, ମୁଠାର ବାହାର ପାଖ କପାଳରେ ଲଗାଇ ନମଷ୍କାରସ୍ୱରୂପ ପ୍ରଦର୍ଶନ କରୁଥିଲେ । ପ୍ରତ୍ୟେକ ପୁରୁଷ ବ୍ୟକ୍ତି ପ୍ରତ୍ୟେକ ପୁରୁଷ ଶ୍ରେଣୀର ଗୁରୁଜନମାନଙ୍କୁ ଏ ପ୍ରକାର ନମଷ୍କାର କରି ସମ୍ମାନ ପ୍ରଦର୍ଶନ କରିଥାନ୍ତି ।

 

ସ୍ତ୍ରୀ ଲୋକମାନେ କାହାରିକି ନମଷ୍କାର କରିବା ବା ମୁଣ୍ଡିଆ ମାରିବା ପ୍ରଥା ପୂର୍ବରୁ କନ୍ଧ ସମାଜରେ ପ୍ରଚଳିତ ନ ଥିଲା । ଏପରିକି ପୂର୍ବରୁ ଗୁରୁଜନମାନଙ୍କୁ କନ୍ଧ ପରିବାରର ସ୍ତ୍ରୀ ଲୋକମାନେ ସମ୍ମାନ ଦେବା ପାଇଁ ବିଧି ନ ଥିଲା । ନିଜ ଶାଶୁ ଶ୍ୱଶୁରଙ୍କୁ ମଧ୍ୟ ସେମାନେ ମୁଣ୍ଡନୁଆଇଁ ସମ୍ମାନ ଜଣାଉ ନଥିଲେ । ଆଜିକାଲି କିନ୍ତୁ ଅନ୍ୟମାନଙ୍କ ପ୍ରଭାବରେ ପ୍ରଭାବିତ ହୋଇ କନ୍ଧ ସ୍ତ୍ରୀ ଲୋକମାନେ ଗୁରୁଜନମାନଙ୍କୁ ହାତଯୋଡ଼ି ନମଷ୍କାର କରିବା ଦେଖାଗଲାଣି ।

 

ଅଥିଥି ଚର୍ଚ୍ଚା : - ଘରେ କୌଣସି ବନ୍ଧୁ ପହଞ୍ଚିଲେ କନ୍ଧ ପରିବାରରେ ପ୍ରଥମେ ତାହାଙ୍କୁ ନିଆଁ, ଧୁଙ୍ଗିଆ (ଧୁଆଁପତ୍ର) ଦେଇ ପ୍ରଥମିକ ଚର୍ଚ୍ଚା କରାଯାଏ । ଯେତେ ଗରିବ କନ୍ଧ ଲୋକଟିଏ ହେଲେବି ବନ୍ଧୁଙ୍କ ନିମନ୍ତେ ମଦ ଓ କୁକୁଡ଼ା ମାଂସରେ ବନ୍ଦୋବସ୍ତ କରିଥାଏ । ଏହା ସେମାନଙ୍କର ସହଜଲବ୍‌ଧ ଦ୍ରବ୍ୟ । କାରଣ ଘରେ କୁକୁଡ଼ା ଥାଏ ଏବଂ ଗାଁରେ ସାଧାରଣତଃ ସଲପରସ ବା ମଦ ସୁବିଧାରେ ମିଳିଯାଏ ।

 

କୌଣସି ସରକାରୀ କର୍ମଚାରୀ ଗ୍ରାମରେ ପହଞ୍ଚିଲେ ଗ୍ରାମମୁଖିଆ ତାହାଙ୍କ ଚର୍ଚ୍ଚା ନିମନ୍ତେ ଚାଉଳ, ଡ଼ାଲି ଓ କୁକୁଡ଼ା ପଠାଇଥାନ୍ତି । ଆଜି କାଲି ସରକାରୀ କର୍ମଚାରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ଉକ୍ତ ପ୍ରଥାକୁ କନ୍ଧମାନେ କୋହଳ କରି ଦେଲେଣି ।

 

ମୋଟାମୋଟିଭାବେ ଅନୁଧ୍ୟାନ କଲେ କନ୍ଧ ସଂସ୍କୃତି ଓ ଆମ ହିନ୍ଦୁ ସଂସ୍କୃତି ଏକ ଓ ଅଭିନ୍ନ ପରି ପ୍ରତ୍ୟୟ ହୁଏ ।

 

(ପ୍ରଗତିବାଦୀ ୨୫-୩-୯-ରେ ପ୍ରକାଶିତ)

☆☆☆

 

ଦୈନିକ ଚଳଣି

 

କୁକୁଡ଼ା ଡ଼କା ସମୟରେ (ପ୍ରାୟ ରାତ୍ରି ଚାରିଟାବେଳୁ) କନ୍ଧ ସ୍ତ୍ରୀ ଓ ପୁରୁଷ ଶଯ୍ୟାତ୍ୟାଗ କରିଥାନ୍ତି ।

 

କନ୍ଧ ପରିବାରରେ ଧାନଥିଲାବେଳେ ପ୍ରତିଦିନ ଧାନକୁଟି ସେହି ଦିନ ରାନ୍ଧିବା ନିମନ୍ତେ ଚାଉଳ କରାଯାଇଥାଏ । ଏଣୁ ଶଯ୍ୟାତ୍ୟାଗ କଲାପରେ କୁଇ ସ୍ତ୍ରୀ ଚୂଲ୍ଲୀରୁ ନିଆଁ ଖୁଣ୍ଟାଟିଏ ଆଣି ହଲାଇ ହଲାଇ, ତାର ଆଲୁଅରେ ପୂର୍ବ ଦିନରୁ ଶୁଖାଯାଇଥିବା ଧାନ ଗୋଟାଇ ଆଣି ବାକେରୀ ଘରେ (ଯେଉଁ ଘରେ ବାକେରୀ ବା ଧାନକୁଟା ଗାତଥାଏ) ଅନ୍ଧାରରେ କୁଟୁଣି (ହାତ ପାଦୁରାଣୀ) ସାହାଯ୍ୟରେ ଧାନ କୁଟିଥାନ୍ତି । ଆଲୁଅ ହେଲା ବେଳକୁ ପ୍ରାୟ ଦୁଇ ତିନ ଗଉଣି ଧାନକୁଟା ଯାଇଥାଏ । ଏହି ସମୟରେ ପୁରୁଷ ଛୋଟ ପିଲାମାନଙ୍କ ଦାୟିତ୍ୱ ନେଇଥାଏ ।

 

ଧାନକୁଟା ସରିଲା ପରେ ସ୍ତ୍ରୀମାନଙ୍କ ଦାୟିତ୍ୱ ହେଲା ଘରଦ୍ୱାର ଓ ଗୁହାଳ ସଫା କରିବା । ଏହାପରେ ଗୋବର ପାଣି ଛେରା (କଡ଼ି ମୁଲ୍‌କା ଲାସ୍କା) ଦେଇ ଗୋବର ପାଣିରେ ମକା ଚୋପା (ମକାର ଉପର ପତ୍ର) ବୁଡ଼ାଇ ସମସ୍ତ ଘରଦ୍ୱାର ଘସିଥାନ୍ତି । ଏହିପରି ପ୍ରତିଦିନ ଘରଦ୍ୱାର ଘସିବା ଦ୍ୱାରା ଚଟାଣ ସିମେଣ୍ଟ ଚଟାଣ ପରି ଶକ୍ତ ଓ ଚିକ୍‌ ଚିକ୍‌ କରୁଥାଏ ଏହାପରେ କୁକୁଡ଼ା ଛାଡ଼ିଥାନ୍ତି ଓ ଗାଈଗୋରୁ ନେଇ ଗୋଠରେ ଛାଡ଼ି ଆସନ୍ତି । ଘର ଘସିବା ନିମନ୍ତେ ମକାପତ୍ର ପୂର୍ବରୁ ସଂଗ୍ରହ କରି ରଖିଥାନ୍ତି । ଘରେ ଯୁବତୀ ଝିଅ ଥିଲେ ଏସବୁ କାମରେ ମାଆକୁ ସାହାଯ୍ୟ କରିଥାନ୍ତି ।

 

ଘରଘସା ସରିଲାବେଳକୁ ପ୍ରାୟ ପୂର୍ବାହ୍ନ ଘ ୬.୩୦ ସମୟ ହୋଇ ଯାଇଥାଏ । ଏହାପରେ ଚୁଆଁ ବା ନାଳକୁ ଯାଇ ଝାଡ଼ାଯିବା, ମୁହଁ ଧୋଇବା, ଦାନ୍ତ ଘଷିବା ଇତ୍ୟାଦି କାମସାରି ଅଣ୍ଟାପାଣି (କାନ କାଃ ପା) କହିଥାନ୍ତି । ଏହି ସମୟରେ ସ୍ତ୍ରୀମାନେ ଡ଼ାବେଣି ବା ଅନ୍ତର୍ବାସ ଧୋଇଥାନ୍ତି । ସକାଳୁ ଉଠିବାକ୍ଷଣି ସେମାନେ ମୁହଁ ଧୋଇ ନ ଥାନ୍ତି ।

 

ଏହାପରେ ଉମୟ ସ୍ତ୍ରୀ ଓ ପୁରୁଷ କାମକୁ ଯିବାକୁ ବାହାରି ଥାନ୍ତି । ଯଦି ଚାଷକାମ ଥାଏ ଉଭୟେ ଚାଷ ଜାଗାକୁ ଯାଆନ୍ତି । ଫଳମୁଳ ଇତ୍ୟାଦି ପାଇଁ ଜଙ୍ଗଲକୁ ଯିବା ଦରକାର ହେଲେ ପୁରୁଷ ଓ ସ୍ତ୍ରୀ ଅଲଗା ଅଲଗା ଯାଆନ୍ତି । କାରଣ ଆଜିକାଲି ଜଙ୍ଗଲରେ ହିଂସ୍ରଜନ୍ତୁ ଭୟ ପ୍ରାୟ ନାହିଁ କହିଲେ ଚଳେ । କିନ୍ତୁ ଅତୀତରେ ହିଂସ୍ରଜନ୍ତୁ ଭୟଯୋଗୁଁ ଜଙ୍ଗଲକୁ ଗଲାବେଳେ ପୁରୁଷ ଓ ସ୍ତ୍ରୀ ଏକାଠି ଯାଉଥିଲେ । ଜଙ୍ଗଲକୁ ଗଲାବେଳେ ପୁରୁଷ ଧନୁଶର ଓ ଟାଙ୍ଗିଧରି ଜଙ୍ଗଲକୁ ଯାଇଥାନ୍ତି । ସାଙ୍ଗରେ ପୋଷା କୁକୁର ଓ ପୋଷା ବାର୍‌ହା ନେଇଯାଇଥାନ୍ତି । ସ୍ତ୍ରୀ ହାଣ୍ଡିରେ ପଖାଳ ଭାତ ଓ ଲାଉ ତୁମ୍ବାରେ ପାଣି ମୁଣ୍ଡରେ ବୋହି ଯାଇଥାନ୍ତି ।

 

ପ୍ରଭାତରେ କାମକୁ ବାହାରିଲାବେଳେ ପୁରୁଷ ସଲପଗଛ ନିକଟରେ ଯାଇ ସେଠାରେ ଅନ୍ୟମାନଙ୍କସହ ସଲପରସ ପାନକରି ଯାଇଥାଏ ।

 

ଜଙ୍ଗଲକୁ ଯିବାବେଳେ ଛୋଟ ଛୁଆକୁ ବୁଢାବୁଢୀ କିମ୍ବା ଦଶ ବାର ବର୍ଷ ବୟସର ପୁଅଝିଅ ଯଦି ଥାଆନ୍ତି ତାହାଙ୍କ ହେପାଜତରେ ଛାଡ଼ି ଯାଇଥାନ୍ତି । କିନ୍ତୁ ଚାଷ କାମରେ ଯିବା ସମୟରେ ଛୋଟ ଛୁଆକୁ ବାମ କାଖରେ ବସାଇ ଏକ ଲୁଗା ଦ୍ୱାରା ଡ଼ାହାଣ କନ୍ଧସହ ବାନ୍ଧି ସାଙ୍ଗରେ ନେଇଯାଆନ୍ତି । ବୁଢାବୁଢୀମାନେ ସାଧାରଣତଃ ଛୁଆ ଖେଳାଇବା ଓ ଘର ଜଗିବା କାମ କରିଥାନ୍ତି ।

 

ଜଙ୍ଗଲରୁ ଫଳମୂଳ ଓ ଶାଗ ଖାଦ୍ୟ ନିମନ୍ତେ ଓ ଅନ୍ୟାନ୍ୟ ଜଙ୍ଗଲଜାତଦ୍ରବ୍ୟ ବିକ୍ରି ନିମନ୍ତେ ସଂଗ୍ରହ କରିଥାନ୍ତି । ଜଙ୍ଗଲରେ ପ୍ରାୟ ୧୧।୧୨ ଘଣ୍ଟା ସମୟରେ ସଙ୍ଗରେ ନେଇଥିବା ପଖାଳ ଭାତ ଲୁଣ କିମ୍ବା ଲୁଣ ଲଙ୍କା ଦେଇ ଶିଆଳପତ୍ର ଠୋଲାରେ ଲାଉଡ଼ଙ୍କାରେ ବାଢି ଖାଇଥାନ୍ତି ତୁମ୍ବାରେ ନେଇଥିବା ପାଣି ପିଇଥାନ୍ତି ।

 

ମଧ୍ୟାହ୍ନ ପ୍ରାୟ ୧୨।୧ ଘଣ୍ଟା ସମୟରେ ସମସ୍ତେ ଜଙ୍ଗଲରୁ ଫେରିଥାନ୍ତି । ଫେରିଲାବେଳେ ଗାଧୋଇ ଘରକୁ ଫେରନ୍ତି । ଅତୀତରେ ପ୍ରାୟ କେହି ଗାଧୋଉ ନ ଥିଲେ । ବର୍ତ୍ତମାନ ପ୍ରାୟ ସମସ୍ତେ ଗାଧୋଉଛନ୍ତି । ପୁରୁଷ ଓ ସ୍ତ୍ରୀ ଅଲଗା ଗାଧୋଇଥାନ୍ତି । ଗାଧୋଇଲାବେଳେ ପିନ୍ଧାଲୁଗାଟି ବାହାରେ ଥୋଇ ଉଲଗ୍ନ ହୋଇ ଜଳରେ ପଶିଥାନ୍ତି । ସ୍ତ୍ରୀ କେବଳ ଡ଼ାବେଣି ବା ଅନ୍ତର୍ବାସଟି ପିନ୍ଧି ଗାଧୋଇଥାଏ ଓ ଡ଼ାବେଣିଟି ଧୋଇଥାଏ । ଝାଙ୍କ, ଝାଙ୍କରାଣୀ ଓ ଦେହେରି, ଦେହରାଣୀ ସକାଳୁ କାମକୁ ଯିବା ପୂର୍ବରୁ ଓ କାମରୁ ଫେରିଲାବେଳେ ବି ପୁରା ଗାଧୋଇଥାନ୍ତି ।

 

ଜଙ୍ଗଲରୁ କନ୍ଧମାନେ ନିମ୍ନୋକ୍ତ ଜିନିଷ ସଂଗ୍ରହ କରିଥାନ୍ତି । ଖାଦ୍ୟ ନିମନ୍ତେ ବିଭିନ୍ନ କନ୍ଦା, ଫଳ ଓ ଶାଗ ସଂଗ୍ରହ କରିଥାନ୍ତି ।

 

କନ୍ଦା : - କନ୍ଦା ବା ମୂଳ ମଧ୍ୟରେ ନାପାକା (ମସିଆ କନ୍ଦା) ଲଏରା କୁନା, ମୂଲାକୁନା, (ଭାତକନ୍ଦା) ମାଣିତେରେକା (କରଡ଼ି ବା ବାଉଁଶ ଗଜା) କୁତ୍‌କା (ଛତୁ) ପାଟରକା (ବାଲିଛତୁ) ଇତ୍ୟାଦି ସଂଗ୍ରହ କରିଥାନ୍ତି ।

 

ଶାଗ : - ଶାଗ (କୁସା) ମଧ୍ୟରେ ପ୍ରଧାନତଃ ବରଡ଼ା ଶାଗ (କଅପୁ କୁସା) ଅରଗୁଣା ଶାଗ (ନାରେଣି କୁସା) ଓ ବହଲ ଶାଗ (ବଦଲା କୁସା) ସଂଗ୍ରହ କରିଥାନ୍ତି ।

 

ଫଳ : - ଫଳ ମଧ୍ୟରେ କେନ୍ଦୁ (ମୁରୁଡ଼ି) ଚାର, କଞ୍ଚା ଓ ପାଚିଲା ଆମ୍ବା (ପିହା ଓ ମାହା) ମହୁଲ (ଇରପି) ଡ଼ିମିରି (ଡ଼ୁମେରି) ଇତ୍ୟାଦି ସଂଗ୍ରହ କରିଥାନ୍ତି । ଭାଲିଆର ଫଳ ବି ଖାଇବା ନିମନ୍ତେ ସଂଗ୍ରହ କରନ୍ତି ।

 

ଅନ୍ୟ ଦ୍ରବ୍ୟ ମଧ୍ୟରେ କାଠ, ଲାଖ, ଝୁଣା, ଶିଙ୍ଗ, ଚମଡ଼ା ଶିଆଳିପତ୍ର ଓ ଲଇ, ଡ଼ାବଖର (ଘରଛପର ନିମନ୍ତେ) ଶାଳପତ୍ର, ବାଗୁଲି (ସବାଇ) ଘାସ, କେନ୍ଦୁପତ୍ର, ଗେଣ୍ଡୁଳି ଅଠା ଇତ୍ୟାଦି ସଂଗ୍ରହ କରି ବିକ୍ରିୟ କରିଥାନ୍ତି । ମହୁ ଓ ମହମ ମଧ୍ୟ ସଂଗ୍ରହ କରିଥାନ୍ତି । ଜଙ୍ଗଲରୁ ଟୋଲ (ମହୁଲ ଫଳ) କରଞ୍ଜ ଇତ୍ୟାଦି ଫଳ ସଂଗ୍ରହ କରି ତାର ମଞ୍ଜିରୁ ତେଲ ବାହାର କରି ବ୍ୟବହାର ନିମନ୍ତେ ରଖିଥାନ୍ତି ।

 

ଜଙ୍ଗଲରୁ ବା ଚାଷକାମରୁ ଫେରି କନ୍ଧ ସ୍ତ୍ରୀ ଭାତ ରାନ୍ଧେ । ରନ୍ଧା ସାରି ଶ୍ୱଶୁର, ସ୍ୱାମୀ ଓ ପିଲାଙ୍କୁ ଖାଇବାକୁ ଦିଏ ଓ ନିଜେ ଖାଏ । ଶିଆଳୀ ପତ୍ର ଠୋଲାରେ ଖାଦ୍ୟ ପରଷାଯାଏ । କେତେକ ସ୍ତ୍ରୀ ଖଣ୍ଡିଏ ଶାଳପତ୍ର ନେଇ ଚାମଚ ପରି କରି ତାହା ଦ୍ୱାରା ଖାଦ୍ୟ ଖାଇଥାନ୍ତି ଓ ଖାଇବା ପରେ ହାତ ମୁହଁ ଧୋଇ ନଥାନ୍ତି । ଆନୁମାନିକ ତିନିଟା ସାଢେ ତିନିଟାବେଳେ ଖିଆ ସରେ । ପର୍ବପର୍ବାଣୀରେ ପ୍ରଥମେ ବୟସ୍କ ପୁରୁଷ ଓ ସ୍ତ୍ରୀଙ୍କୁ ଖାଦ୍ୟ ପରିବେଷଣ କରାଯାଇଥାଏ ।

 

ଖାଇ ସାରିବା ପରେ ବି କନ୍ଧ ସ୍ତ୍ରୀ ବିଶ୍ରାମ ନେଇ ନଥାଏ । ଏହି ସମୟରେ ସ୍ତ୍ରୀ ଓ ଯୁବତୀ ଝିଅମାନେ ଶିଆଳୀ ଓ ଶାଳପତ୍ରରେ ଖଲି, ଚଉକିନି ଓ ଠୋଲା ତିଆରି କରିଥାନ୍ତି । ଭବିଷ୍ୟତ ବ୍ୟବହାର ନିମନ୍ତେ ଠୋଲା ଓ ଚଉକିନି ମାଳ କରି ଘରେ ରଖିଥାନ୍ତି । ବନ୍ଧୁବାନ୍ଧବ ଘରଭୋଜି ନିମନ୍ତେ ଭାର ନେଲାବେଳେ ବି ଠୋଲା, ଚଉକିନି ମାଲେ ଲେଖାଏଁ ନିଆ ଯାଇଥାଏ । ଖଲି ବିକ୍ରି କରି କିଛି ପଇସା ବି ରୋଜଗାର କରିଥାନ୍ତି । ଏହା ବ୍ୟତୀତ ଅବସରେ ଖଜୁରୀପତ୍ରରେ ପଟି ତିଆରି କରିବା ବି ସ୍ତ୍ରୀମାନଙ୍କ ଏକ କର୍ତ୍ତବ୍ୟ ।

 

ପୁରୁଷମାନେ ଅବସର ସମୟରେ ଦଉଡ଼ି ବଳିବା, ବାଡ଼ି ବାନ୍ଧିବା, ଲଙ୍ଗଳ, ଜୁଆଳି ତିଆରି କରିବା, ଡ଼ଙ୍ଗା ତିଆରି, ଘର ତିଆରି ଇତ୍ୟାଦି କାର୍ଯ୍ୟ କରିଥାଆନ୍ତି ।

 

ଅପରହ୍ନ ପ୍ରାୟ ପାଞ୍ଚଟା ବେଳୁ ରାତ୍ରୀ ଭୋଜନ ପ୍ରସ୍ତୁତ ନିମନ୍ତେ କନ୍ଧ ସ୍ତ୍ରୀ ଲାଗିଯାଏ । ଭୋଜନ ପ୍ରସ୍ତୁତ ହେଲା ପରେ ଆନୁମାନିକ ସାତଟା ମଧ୍ୟରେ ରାତ୍ରୀ ଭୋଜନ ଶେଷ ହୋଇଥାଏ । ଖାଇବାବେଳେ ସାଧାରଣତଃ ନିଆଁ ଜାଳି ଆଲୁଅ କରାଯାଇଥାଏ । ବର୍ତ୍ତମାନ କେତେକ କନ୍ଧ ପରିବାର କିରୋସିନ ଡ଼ିବିରି ବା ଲ୍ୟାମ୍ପ ବ୍ୟବହାର କରିବା ଦେଖାଗଲାଣି ।

 

ରାତ୍ରି ଭୋଜନ ଶେଷ ହେଲାପରେ ଅବିବାହିତ ଝିଅମାନେ ଦିଣ୍ଡାଘର (Doramitory)କୁ ଶୋଇବାକୁ ଯାଇଥାନ୍ତି । ଅନ୍ୟ ଗ୍ରାମରୁ ଯୁବକମାନେ ଆସି ଯୁବତୀମାନଙ୍କୁ ନଚାଇବାକୁ ଚାହିଁଲେ ଧାଙ୍ଗିଡ଼ିନାଚ ହୋଇ ଥାଏ ଓ ଗ୍ରାମର ପ୍ରାୟ ସମସ୍ତେ ଦେଖିବାକୁ ଯାଇଥାନ୍ତି । ନଚେତ୍‌ ଶୋଇ ଯାଇଥାନ୍ତି ।

 

ଦାଣ୍ଡଘରେ (ଗୁଡ଼ିଘରେ) ଏକ ବଡ଼ ଖଜୁରୀପଟ ବିଛାଇ ଗୋଟିଏ କଡ଼େ ବାପା ଓ ଅନ୍ୟ କଡ଼ରେ ମାଆ ଶୋଇଥାନ୍ତି । ମାଆ ନିକଟରେ ସାନ ଛୁଆ ତା ପାଖରେ କ୍ରମଶଃ ବଡ଼ ଛୁଆ ଶୋଇଥାନ୍ତି ।

 

ଝିଅ ପ୍ରାୟ ୧୧।୧୨ ବର୍ଷର ହୋଇଗଲା ପରେ ଦିଣ୍ଡାଘର ବା ଧାଙ୍ଗିଡ଼ି ଘରକୁ ଶୋଇବାକୁ ଯାଇଥାଏ । ଲୁଗାପଟାର ସ୍ୱଳ୍ପତା ଦୃଷ୍ଟିରୁ ପଟିରେ କୌଣସି ଲୁଗା ପକାଇ ନଥାନ୍ତି । ଘରେ ଥିବା ଖଣ୍ଡେ ଦୁଇଖଣ୍ଡ ଚଦର ସମସ୍ତଙ୍କ ଉପରେ ଘୋଡ଼ାଇ ଦିଆଯାଏ । ତା ଉପରେ ଖଜୁରୀ ପଟି ଘୋଡ଼େଇ ହୋଇଥାନ୍ତି । ପାଦତଳେ ନିଆଁ (ନିଆଁ ଅନ୍ତରା) ଲାଗିଥାଏ । ରାତିରେ ଉଠିଲେ ବା ଶୀତ ହେଲେ ନିଆଁ ପୋହଁଥାନ୍ତି । ଖାଇ ସାରି ଶୋଇବା ପୂର୍ବରୁ ଗୀତ ଗାଇବା, ଗପ ଓ ଢଗ କହିବାକୁ ଓ ଶୁଣିବାକୁ ଭଲ ପାଇଥାନ୍ତି ।

 

ବୁଢାବୁଢୀ ଥିଲେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଛୋଟଘର ତିଆରି କରାଯାଇଥାଏ । ସେମାନେ ସେହି ଘରେ ଶୋଇଥାନ୍ତି । ଅବିବାହିତ ଯୁବକମାନେ ଡ଼ାଙ୍ଗାଣିଡ଼ୁରେ ଶୋଇଥାନ୍ତି । ପ୍ରତ୍ୟେକ ଘରେ ଗୋଟିଏ ଲେଖାଏଁ ଖାଲିଘର ଥାଏ । ପୁଅ ବିବାହ ହେଲା ପରେ ଉକ୍ତ ଘରେ ପୁଅ ବୋହୁ ଶୋଇଥାନ୍ତି । ଯେଉଁଦିନ ଯାଏ ବୋହୁକୁ ରାନ୍ଧିବା ଅଧିକାର ଦିଆଯାଇ ନଥାଏ ସେହି ଦିନ ଯାଏ ପୁଅ ବୋହୁ ଉକ୍ତ ଖାଲି ଘର (ଡ଼ାଙ୍ଗାଣିଡ଼ୁ) ରେ ଶୋଇଥାନ୍ତି । ଶାଶୁ ଶ୍ୱଶୁର ଅପାରର ହେଲେ ବା କୌଣସି ଗୋଳମାଳ ସୃଷ୍ଟି ହେଲେ ବୋହୁକୁ ରାନ୍ଧିବା ଦାୟିତ୍ୱ ଦିଆଯାଇଥାଏ । ବୋହୁ ରାନ୍ଧିବା ଦାୟିତ୍ୱ ପାଇଲା ପରଠାରୁ ପୁଅ ବୋହୁ ମୁଖ୍ୟ ଘରର ଗୁଡ଼ି ଘରେ ଶୋଇଥାନ୍ତି ।

 

ସାଧାରଣତଃ କନ୍ଧ ପରିବାରର ଦୈନିକ ଯାତ୍ରା ଏହିପରି । ଶିକ୍ଷିତ ଚାକିରିଆ କନ୍ଧ ପରିବାରର ଚଳଣିରେ କିଛିଟା ଆଧୁନିକତାର ସଂକ୍ରମଣ ହେଲାଣି ।

 

(ତା ୫-୩-୯୦ ପ୍ରଗତିବାଦୀରେ ପ୍ରକାଶିତ)

☆☆☆

 

କନ୍ଧ ସଂସ୍କୃତି ଓ ସଲପ ଗଛ

 

କନ୍ଧ ସଂସ୍କୃତିରେ ସଲପ ଗଛ ଉଲେଖନୀୟ ଭୂମିକା ଗ୍ରହଣ କରିଥାଏ । କନ୍ଧମାନଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉକ୍ତ ଗଛର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

 

ଗ୍ରାମ ସୀମା ମଧ୍ୟରେ ଯେଉଁଠାରେ ସଲପ ଗଛ ଥିଲେ ମଧ୍ୟ ତାହା ଗ୍ରାମର ସର୍ବସାଧାରଣଙ୍କ ସଂପତ୍ତିଭାବରେ ପରିଗଣିତ ହୋଇଥାଏ । ଏପରିକି କୌଣସି ବ୍ୟକ୍ତିର ଅଧିକାରଭୁକ୍ତ ବାରି ବା ଜମିରେ ଥିଲେ ମଧ୍ୟ ତାହା ଉପରେ ବ୍ୟକ୍ତିଗତ ମାଳଇକାନା ସ୍ୱତ୍ତ୍ୱ ପ୍ରବର୍ତ୍ତିତ ହୋଇପାରି ନଥାଏ । ବରଂ ତାହା ସମସ୍ତ ଗ୍ରାମବାସୀଙ୍କ ଅଧିକାର ଭୁକ୍ତ ହୋଇଥାଏ ।

 

ସଲପ ଗଛକୁ କନ୍ଧମାନଙ୍କ କଥିତ ଭାଷା କୁଇରେ ‘‘ସର୍ତ୍ତା ମ୍ରାହାନୁ’’ କହିଥାନ୍ତି । ଉକ୍ତ ଗଛର ଫଳ ବା ଶିଖାକୁ ସେମାନେ ଶିଙ୍ଗ କହିଥାନ୍ତି । ଶିଙ୍ଗ ବାହାରିଲା ପରେ ଯେ କୌଣସି ବ୍ୟକ୍ତି ଗ୍ରାମବାସୀଙ୍କ ଅନୁମତିକ୍ରମେ ଉକ୍ତ ଶିଙ୍ଗକୁ କାଟି ପକାନ୍ତି । ଶିଙ୍ଗ କାଟିବା ଦୁଇଦିନ ପରେ କଟା ସ୍ଥାନରୁ ଟୋପା ଟୋପା ହୋଇ ରସ ଝରିବା ଆରମ୍ଭ ହୁଏ । ପ୍ରତି ଦିନ କଟାଳୀ ଉକ୍ତ କଟା ସ୍ଥାନକୁ ଚେନାଇ ଚେନାଇ କିଛି କିଛି କାଟି ଥାନ୍ତି । ପ୍ରାୟ ଏକ ସପ୍ତାହ ବେଳକୁ କଟା ସ୍ଥାନରୁ ଅଧିକ ପରିମାଣରେ ରସ ଝରିଥାଏ ଏବଂ ଉକ୍ତ ରସକୁ ଜମା କରି ରଖିବା ପାଇଁ ହାଣ୍ଡିବନ୍ଧା ଯାଇଥାଏ । ଏହି ସମୟରେ ହାଣ୍ଡି ଭର୍ତ୍ତି ହେବାକୁ ଦୁଇରୁ ଚାରିଦିନ ଲାଗିଥାଏ । କଟା ସ୍ଥାନକୁ ଚେନାଇ ଚେନାଇ କାଟିବା ପ୍ରାୟ ପନ୍ଦରଦିନ ଯାଏ ଚାଲିଥାଏ । ରସ ଝରିବା ପରିମାଣ କ୍ରମଶଃ ବଢିଚାଲେ ଏବଂ ପନ୍ଦର ଦିନ ବେଳକୁ ଦିନକେ ପ୍ରାୟ ହାଣ୍ଡି ଭର୍ତ୍ତି ହେଲାଭଳି ରସ ଝରିଥାଏ । ଏହି ରସକୁ ‘‘ସର୍ତ୍ତାକାଲୁ’’ ବା ସଲପ ମଦ କହିଥାନ୍ତି ।

 

ରସ ନିଶା ହେବା ନିମନ୍ତେ ରସ ହାଣ୍ଡିରେ କେତେକ ଚେର ପକାଇଥାନ୍ତି । ସେଗୁଡ଼ିକ ମଧ୍ୟରୁ ପାଡ଼େଲି (କେରୁଆଁ), ଆକଣି (ଆଙ୍କୁଲ), ସୁନାରୀ (ଡ଼୍ରୁପୁଞ୍ଜେରି), ଡ଼ାକେରି ଚେର ପ୍ରଧାନ । ଉକ୍ତ ଚେର ମଧ୍ୟରୁ କୌଣସି ଗୋଟିଏ ଗଛର ଚେର ରସ ହାଣ୍ଡିରେ ପକାଇଲେ ରସ ନିଶା ହୋଇଥାଏ ।

 

ସଲପ ଗଛର ରସ ବହଳା ହେଲେ ବା ଅଳ୍ପ ହେଲେ ବା ଶୁଖି ଗଲେ ତାହା ନିମନ୍ତେ ବିଭିନ୍ନ ଉପଚାର କରାଯାଇଥାଏ । ରସ ବହଳା ହୋଇ ଚିନିସିରା ପରି ହେଲେ ଗଦଡ଼ୁକୁସା (ଗୁଦାରି ଶାଗ), ଭୁଇଁକଦମ୍ବ ଶାଗ, ଭାଲିଆ ଡ଼ାଳ ବା ମଞ୍ଜି ଗଛର ଯେ କୌଣସି ସ୍ଥାନରେ ଖୋସାଯାଏ । ଶିଙ୍ଗ ଶୁଖିଯାଇ ରସ ନଝରିଲେ କଟା ସ୍ଥାନରେ ଗୁଡ଼ କିମ୍ବା ଲୁଣ ଓ ମରିଚ ଗୁଣ୍ଡ ମିଶାଇ ଘଷାଯାଏ । ଏହା ସତ୍ତ୍ୱେବି ଯଦି ରସ ଝରେ ନାହିଁ, ତେବେ ଶିଙ୍ଗରୁ କିଛି ଅଂଶ ନେଇ ‘‘କୁଉଟା’’ (ସଭ୍ୟତା ଜାଣିବା ନିମନ୍ତେ ଅବଲମ୍ବନ କରାଯାଉଥିବା ଏକ ପ୍ରଣାଳୀ) ଦେଖାଇ କୌଣସି ଦେବତା ବା ପିତୃପୁରୁଷଙ୍କ ଦ୍ୱାରା ଅନିଷ୍ଟ ହେଉଛି କି ନାହିଁ ଜାଣନ୍ତି । କୁଉଟା ଦ୍ୱାରା କୌଣସି ଦେବତାଙ୍କ ଦ୍ୱାରା ଅନିଷ୍ଟ ହୋଇଥିବା ଜଣାଗଲେ କାଞ୍ଜିଆ ଅଣ୍ଡା ମଦରୂପରେ ଦେଇ ପୂଜା କରି ସେମାନଙ୍କୁ ସନ୍ତୁଷ୍ଟ କରାଯାଏ । ଏହି ପୂଜା ଅଠର ମୁଠା ( ଘୂ ଉଦୟଗିରି, ପାବୁରିଆ, ରାଇକିଆ) ଅଞ୍ଚଳରେ ଶିଙ୍ଗ ଉପରେ କରାଯାଇଥାଏ । କିନ୍ତୁ କାଡ଼୍ରା (ଟିକାବାଲି ଶଙ୍ଗରା ଖୋଲ) ଅଞ୍ଚଳରେ ଗଛ ମୂଳରେ ପୂଜା କରାଯାଇଥାଏ । କାହାର କୁତୁଣ୍ଡ ବା ଦୃଷ୍ଟି ପଡ଼ିଥିଲେ ଲାଉଡ଼ଙ୍କା (ପିତା ଲକା) ରେ ପାଣି ରଖି ନିହିରା ଯାଏ ବା ପବିତ୍ର କରାଯାଏ । ଗଛ ଋଷି ଥିବାରୁ ରସ ବାହାରୁ ନଥିଲେ ‘‘ମେଏଲା’’ ବା କ୍ଷମା ମାଗି ଗଛକୁ ସନ୍ତୁଷ୍ଟ କରାଯାଇଥାଏ ।

 

ଗୋଟିଏ ଗଛର ଦୁଇଟି ଶିଙ୍ଗ କାଟିଲା ପରେ ଉକ୍ତ ଗଛକୁ କାଟି ଦିଆଯାଇଥାଏ । ଉକ୍ତ ଗଛର ଗଣ୍ଡିକୁ ଫଡ଼ା କରି ଗିତରୁ ଶସ ବାହାର କରାଯାଇ ଗ୍ରାମର ସମସ୍ତ ପରିବାର ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ଉକ୍ତ ଶସକୁ ଶୁଖାଇ କୁଟି ଗୁଣ୍ଡ କରି କନାରେ ଛାଣି ଭାତରେ ମିଶାଇ ଜାଉ କରାଯାଏ ବା ପିଠା କରି ଖିଆଯାଏ । ଶସ ବାହାର କଲା ପରେ ବକଳାଗୁଡ଼ିକ ଗୋରୁଗୁହାଳର ତଳେ ପକାଯାଏ ବା ବାରିରେ ବାଡ଼ି ଦେବାରେ ବ୍ୟବହୃତ ହୋଇଥାଏ ।

 

ରସ କାଟିବା ଦିନଠାରୁ କେନାଥିବା ଏକ ଲମ୍ବା ବାଉଁଶ ଗଛ ଦେହରେ ବନ୍ଧାଯାଇଥାଏ । ଉକ୍ତ ବାଉଁଶରେ ଚଢି ରସହାଣ୍ଡି ବାନ୍ଧିବା ଓ ବାହାର କରିବା କରାଯାଇଥାଏ । ରସହାଣ୍ଡି ବନ୍ଧା ହେବା ଦିନଠାରୁ ଖୋଲା ହୁଏ ନାହିଁ । ଉକ୍ତ ହାଣ୍ଡିରୁ ଲାଉତୁମ୍ବାରେ ରସ ଅଣାଯାଏ । ବନ୍ଧା ହେବା ହାଣ୍ଡିଠାରୁ ରସର ପରିମାଣ ଅଧିକ ହେଲେ କେବଳ ହାଣ୍ଡି ବଦଳ କରାଯାଇଥାଏ ।

 

ପ୍ରତିଦିନ ସକାଳୁ କନ୍ଧ ପୁରୁଷ ପ୍ରାତଃକର୍ମ ସାରି ଗୋଡ଼, ମୁହଁ ଧୋଇ କାମକୁ ଯିବା ପୂର୍ବରୁ ସଲପ ଗଛ ମୂଳକ ଯାଇଥାଏ । ଏହି ପରି ଗ୍ରାମର ପ୍ରାୟ ସମସ୍ତ ପୁରୁଷ ଗଛ ମୂଳରେ ରୁଣ୍ଡ ହୁଅନ୍ତି । କାଟିଥିବା ବ୍ୟକ୍ତି ନ ଆସିବାଯାଏ ଅନ୍ୟ କେହି ଗଛରୁ ରସ ବାହାର କରି ନଥାନ୍ତି । କାଟିଥିବା ବ୍ୟକ୍ତି ଆସିଲେ ସେ ଗଛରୁ ରସ ବାହାର କରେ । ତାହାଙ୍କ ଅନୁପସ୍ଥିତିରେ ତାଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି ରସ ବାହାର କରିଥାନ୍ତି ।

 

ରସ ବାହାର କଲାପରେ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରେ ଲାଉ ଡ଼ଙ୍କାରେ ସମାନଭାବରେ ରସ ବଣ୍ଟା ଯାଇଥାଏ । ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କଠାରୁ ରସ ବଣ୍ଟା ଆରମ୍ଭ କରାଯାଏ ଏବଂ ସେହି ବୟସ୍କ ବ୍ୟକ୍ତି ବା ତାଙ୍କଠାରୁ କିଛି କନିଷ୍ଠ ବ୍ୟକ୍ତିଠାରେ ରସ ବଣ୍ଟା ଶେଷ କରାଯାଏ । କୌଣସି ବ୍ୟକ୍ତି ଅଧିକ ରସ ପିଇବାକୁ ଚାହିଁଲେ ମଧ୍ୟ ଦିଆଯାଇ ନଥାଏ । ଯଦି ବାଣ୍ଟୁ ବାଣ୍ଟୁ କିଛି ରସ ବଳିଯାଏ ଏବଂ ସମସ୍ତଙ୍କୁ ଦେଲେ ଅଣ୍ଟିବାର ସମ୍ଭାବନା ନଥାଏ, ସେହି ରସ ସେଠାରେ ଉପସ୍ଥିତ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଦେଇ ରସ ଖିଆ ଶେଷ କରାଯାଏ । ରସ ପିଇ ଯଦି ସମସ୍ତଙ୍କୁ ନିଶା ଅଧିକା ହୋଇଯାଇଥାଏ ଏବଂ ବହୁତ ରସ ବଳକା ଥାଏ ଯଦି ସମସ୍ତଙ୍କୁ ନିଶା ଅଧିକ ହୋଇଯାଇଥାଏ ଏବଂ ବହୁତ ରସ ବଳକା ଥାଏ ତେବେ ଯଦି କେହି ଅଧିକା ଚାହେଁ, କେବଳ ସେହି କ୍ଷେତ୍ରରେ ତାହାକୁ କିଛି ଅଧିକ ରସ ଦିଆଯାଇଥାଏ । ରସ ପିଆ ଶେଷ ହେଲେ ଯେ ଯାହାର କାମକୁ ଚାଲିଥାନ୍ତି । ଏପରିଭାବରେ ସକାଳ, ମଧ୍ୟାହ୍ନ ଓ ସଂଧ୍ୟାରେ ସଲପ ଗଛରୁ ରସ ବାହାର କରି ଖିଆ ଯାଇଥାଏ । ଯଦି କାହା ଘରକୁ ବନ୍ଧୁ ଆସି ଅବେଳରେ ପହଞ୍ଚିନ୍ତି ଓ ନିହାତି ରସ ଦରକାର ହୁଏ ତେବେ ଏହି ନିୟମ ଭଙ୍ଗ କରି ଅନ୍ୟ ସମୟରେ ମଧ୍ୟ ରସ କଢାଯାଇ ପାରେ ।

 

ଗାଁର ଯଦି କାହାର କୁଣିଆ ଆସିଥାନ୍ତି ଓ ସଲପ ଗଛ ମୂଳକୁ ଯାଇଥାନ୍ତି କିମ୍ବା ନୂଆଁ ଲୋକ କେହି ଯାଇଥିଲେ ସମ୍ମାନସୂଚକଭାବରେ ସମସ୍ତଠାରୁ ତାହାକୁ ଏକଡ଼ଙ୍କା ରସ ଅଧିକ ଦିଆଯାଏ । ଯଦି ଗ୍ରାମର କାହାର କିଛି ପୂଜାପୂଜି ଥାଏ ଏବଂ ସେ କିଛି ସଲପ ରସ ନିମନ୍ତେ ଅନୁରୋଧ କରିଥାଏ, ଉକ୍ତ ଦିନ ସମସ୍ତେ କମ ରସ ପିଇ କିଛି ରସ ତାହାକୁ ଦେଇଥାନ୍ତି । ଏତଦ୍‌ ବ୍ୟତୀତ ସଲପ ଗଛ ମୂଳରୁ ଗାଁ ମଧ୍ୟକୁ ରସ ନିଆଯାଇ ନଥାଏ । ଯାହାର ରସ ପିଇବା ଇଚ୍ଛା ନିର୍ଦ୍ଦିଷ୍ଟ ସମୟରେ ସେ ଗଛ ମୂଳକୁ ଯିବାକୁ ହୋଇଥାଏ ।

 

ପ୍ରତିଦିନ ଗଛରୁ ରସ ବାହାର କଲାବେଳେ କିଛି ରସ ଗଛ ମୂଳରେ ଢାଳି ଦିଆଯାଏ । ଯେଉଁଦିନ ପ୍ରଥମେ ନୂଆଁ କରି ରସ ବାହାର କରାଯାଏ, ଉକ୍ତ ଦିନ ମନ୍ତ୍ରପଢି କିଛି ରସ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଥିବା ଯାଇଥିଏ । ପ୍ରତିଦିନ ପ୍ରତ୍ୟେକ ରସ ପିଇବା ପୂର୍ବରୁ କିଛି ରସ ମାଟିରେ ଢାଳିଥାନ୍ତି । ଏହା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଢଳାଯାଇଥାଏ ।

 

ରସ ପିଇବା ପାଇଁ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶାଳପତ୍ର ବ୍ୟବହାର କରିଥାନ୍ତି । ଗୋଟିଏ ଶାଳପତ୍ରକୁ ଦୁଇପଟ ଚିପି ଏପରି ଧରନ୍ତି ଯେ ତାହା ଦନାଭଳି କାମ କରେ ଏବଂ ତାହା ମଧ୍ୟରେ ରସ ଢାଳି ପିଆ ଯାଇଥାଏ ।

 

ସଲପ ରସ ପିଇବା, ରସ କାଟିବା ଇତ୍ୟାଦି ନିମନ୍ତେ ଥିବା ସାମାଜିକ ନିୟମକୁ କେହି ଲଂଘନ କରିବା ଦେଖାଯାଏ ନାହିଁ । ଏଥିରୁ କନ୍ଧମାନେ ସାମାଜିକ ନିୟମ ମାନିବାରେ କେତେ ଶ୍ୱଙ୍ଖଳିତ ସହଜରେ ଅନୁମେୟ ।

 

ସଲପ ରସ କନ୍ଧମାନଙ୍କ ନିମନ୍ତେ ଏକାଧାରରେ ଖାଦ୍ୟ ଓ ପାନୀୟର ଭୂମିକା ନେଇଥାଏ । ବହୁ କନ୍ଧ ବ୍ୟକ୍ତି ସଲପ ରସ ପିଇ ଅନ୍ୟ କୌଣସି ଖାଦ୍ୟ ନଖାଇ ରହିଯାଉଥିବା ଦେଖାଯାଏ । ଗଛରୁ ରସ କାଟିବା ବନ୍ଦ ହେଲେ ଗଣ୍ଡିର ଶସ ମଧ୍ୟ ଖାଦ୍ୟରୂପରେ ବ୍ୟବହାର କରାଯାଇଥାଏ । ଗୋଟିଏ ସଲପ ଗଛ କଟାଗଲେ ଗୋଟିଏ ଗାଁର ପ୍ରାୟ ତିନି ଚାରି ମାସର ଖାଦ୍ୟ ଓ ପାନୀୟ ଅଭାବ ମେଣ୍ଟି ଯାଇଥାଏ । ଏହା ବ୍ୟତିତ ଗଛର ବକଳବି ବାଡ଼ି ଦେବା ବା ଗୃହାଳରେ ପକାଇବାରେ ବ୍ୟବହୃତ ହୋଇଥାଏ । ପୂଜା ପୂଜିରେ ମଧ୍ୟ ସଲପ ରସର ବ୍ୟବହାର ହୋଇଥାଏ ।

 

ଉପରୋକ୍ତ ଆଲୋଚନାରୁ କନ୍ଧ ସମାଜରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଲପ ଗଛର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସହଜରେ ଅନୁମେୟ ।

 

(ତା ୮-୧୦-୮୯ରିଖ ପ୍ରଗତିବାଦୀ ସ୍ୱତନ୍ତ୍ର ପୃଷ୍ଠାରେ ପ୍ରକାଶିତ)

☆☆☆

 

କନ୍ଧମାଳରେ ଶିକ୍ଷାପ୍ରସାର

 

ବର୍ତ୍ତମାନର ବାଲିଗୁଡ଼ା ଓ କନ୍ଧମାଳ ଉପଖଣ୍ଡ ମଧ୍ୟରୁ କନ୍ଧମାଳ ୧୮୪୫ ଯାଏ ବୌଦ ରାଜାଙ୍କ ଶାସନାଧୀନ ଥିଲା ଏବଂ ୧୮୫୫ରେ ବ୍ରିଟିଶ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନକୁ ନିଆଗଲା । ୧୮୩୬ରେ ବ୍ରିଟିଶ ସରକାର ଘୁମୁସର ଦଖଲ କରିବା ପରଠାରୁ ଘୁମୁସର ଉଦୟଗିରି ସମେତ ସମସ୍ତ ବାଲିଗୁଡ଼ା ଉପଖଣ୍ଡ ବ୍ରିଟିଶ ସରକାରଙ୍କ ଅଧୀନକୁ ଚାଲିଗଲା । ହୁଏତ ଦୋହରା ବିଷୋୟୀ ଓ ଚକ୍ର ବିଷୋୟୀ ଯଦି ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ କରି ନ ଥାନ୍ତେ ତେବେ ବ୍ରିଟିଶ ଅଧିକାରୀମାନେ ବାଲିଗୁଡ଼ା ଓ କନ୍ଧମାଳ ଅଞ୍ଚଳକୁ ଆସିବାରେ ଆହୁରି ବିଳମ୍ବ ହୋଇଥାନ୍ତା ।

 

ଦୋହରା ବିଷୋୟୀ ଓ ଚକ୍ର ବିଷୋୟୀଙ୍କ ନେତୃତ୍ୱରେ ଘୁମୁସରର ପାର୍ବତ୍ୟାଞ୍ଚଳ (ଘୁ : ଉଦୟଗିରି ତହସିଲ) ରେ ବିଦ୍ରୋହାଗ୍ନି ପ୍ରଜ୍ଜ୍ୱଳିତ ହେଲା । ଉକ୍ତ ବିଦ୍ରୋହ ଦମନ କରିବା ନିମନ୍ତେ ଘୁ : ଉଦୟଗିରି ଅଞ୍ଚଳରେ ବ୍ରିଟିଶ ଅଧିୀକାରୀମାନଙ୍କ ଆବିର୍ବାବ ହେଲା । ଫଳରେ ସେମାନେ ଉକ୍ତ ଅଞ୍ଚଳର ଅଧିବାସୀ କନ୍ଧ ଓ ପାଣମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଅନୁନ୍ନତ ସଂସ୍କୃତି ଅଧ୍ୟୟନର ସୁଯୋଗ ପାଇଲେ ।

 

ତେଣୁ ସେହି ଅଞ୍ଚଳର ଅଧିବାସୀଙ୍କୁ ପାଶ୍ଚାତ୍ୟ ପଦ୍ଧତିରେ ଶିକ୍ଷାଦାନ ଦେଇ, ଶିକ୍ଷିତ କରାଇ ସେମାନଙ୍କ ସଂସ୍କୃତି ମଧ୍ୟରୁ ବିଭତ୍ସ ନରବଳୀ ପରି ଘୃଣ୍ୟ ପ୍ରଥାର ବିଲୋପ ସଙ୍ଗେ ସଙ୍ଗେ ବ୍ରିଟିଶ ସରକାରଙ୍କ ଅନୁଗତ କରାଇବାର ଚିନ୍ତାକଲେ । ୧୮୪୫ ସାଲରେ ସାର ହେନେରି ପୋଟିଞ୍ଜର (Sir Henry Pottinger)ଙ୍କ ପ୍ରଚେଷ୍ଟାରେ ଏବଂ ମାଡ଼୍ରାସ ପ୍ରାଦେଶିକ ସରକାରଙ୍କ ଶିକ୍ଷାବିଭାଗ ଆନୁକୁଲ୍ୟରେ ଘୁମୁସରରେ ଛଅ ଗୋଟି ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ସେଥିରୁ ତିନି ଗୋଟି ଘୁମୁସରର ସମତଳ ଅଞ୍ଚଳରେ ଓ ଅନ୍ୟ ତିନୋଟି ପାର୍ବତ୍ୟାଞ୍ଚଳରେ ଖୋଲାଗଲା । ୧୮୫୧ରେ କନ୍ଧମାନଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ କ୍ୟାପଟେନ୍‌ ମାକ୍‌ ଭିକାରି (Captain Mac Viccar)ଙ୍କ ସିଦ୍ଧାନ୍ତ ଅନୁଯାୟୀ ଉକ୍ତ ସ୍କୁଲଗୁଡ଼ିକ ବାଲିଗୁଡ଼ା ଉପଖଣ୍ଡର କୁର୍ମିଙ୍ଗିଆ, ଘୁ : ଉଦୟଗିରି ଓ ମହାସିଙ୍ଗିରେ ପ୍ରତିଷ୍ଠା କରାଗଲା ଏବଂ ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷାଦାନ କରାଗଲା । ‘‘ପାଠ ପଢିଲେ ଆଖିରୁ ଡ଼ୋଳା ଖସିପଡ଼ିବ’’ ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ବାରମୁଠା (ଚକାପାଦୁ ଖଣ୍ଡମ) ଅଠର ମୁଠା (ଘୂ : ଉଦୟଗିରି ଅଞ୍ଚଳ) ହଜଗଡ଼ (ଟିକାବାଲି ଅଞ୍ଚଳ)ର କନ୍ଧ ଓ ପାଣମାନେ ଉକ୍ତ ସ୍କୁଲଗୁଡ଼ିକୁ ପିଲାଙ୍କୁ ପଢିବା ପାଇଁ ଛାଡ଼ିଲେ ନାହିଁ । ଫଳରେ ସ୍କୁଲଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲା । ଏଣୁ ପୋଲିସ ଦ୍ୱାରା ବଳ ପ୍ରୟୋଗ କରି ଛାତ୍ରମାନଙ୍କୁ ସ୍କୁଲକୁ ଆଣିବାର ବ୍ୟବସ୍ଥା ସରକାର ଗ୍ରହଣ କଲେ ।

 

ଏହା ସତ୍ତ୍ୱ ବି ପାର୍ବତ୍ୟାଞ୍ଚଳ ସ୍କୁଲଗୁଡ଼ିକ ୧୮୫୪ ଯାଏ ଶିକ୍ଷାଦାନରେ ଉଲ୍ଲେଖନୀୟ ଅଗ୍ରଗତି କରି ପାରିଲା ନାହିଁ । ଏଣୁ ସରକାର ଶିକ୍ଷକମାନଙ୍କ ଦରମା ପନ୍ଦର ଟଙ୍କାରୁ ପଚିଶ ଟଙ୍କାକୁ ବଢେଇଦେଲେ ଏବଂ ଶିକ୍ଷାର ଉନ୍ନତି ନିମନ୍ତେ ତୀକ୍ଷଣ ନଜର ଦେଲେ । ଏହା ଦ୍ୱାରା କିଛିଟା ସୁଫଳ ମିଳିଲା । ୧୮୫୫-୫୬ରେ ଘୁମୁସରର ପାର୍ବତ୍ୟାଞ୍ଚରେ ପୁଣି ଚାରି ଗୋଟି ବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଓ ରସଲକୋଣ୍ଡାର, ଆସିଷ୍ଟାଣ୍ଟ ଏଜେଣ୍ଟ (Assistant Agent For the Meriah Agency, Russelkonda )ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପରିଚାଳିତ କରାଗଲା ।

 

ତାଲିମପ୍ରାପ୍ତ ଶିକ୍ଷକ ଅଭାବ ଦୁର କରିବା ପାଇଁ ୧୮୫୬ରେ ରସଲକୋଣ୍ଡ (ବର୍ତ୍ତମାନର ଭଞ୍ଜନଗର)ଠାରେ ଏକ ଗୁରୁତାଲିମ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏବଂ ତିଲିମପ୍ରାପ୍ତ ଶିକ୍ଷକମାନଙ୍କୁ ସ୍କୁଲଗୁଡ଼ିକରେ ନିଯୁକ୍ତି ଦିଆଗଲା । ୧୮୫୪ ଶିକ୍ଷା କମିଟିଙ୍କ ସୁପାରିଶ ଅନୁଯାୟୀ ସ୍କୁଲଗୁଡ଼ିକରେ ଉଭୟ ଇଂରାଜୀଓ ମୃତ୍ୟୁଭାଷା ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରାଗଲା । ଛାତ୍ରମାନଙ୍କୁ ଇତିହାସ, ଭୂଗୋଳ, ଗଣିତ, ମାତୃଭାଷା ଓ ଇଂରାଜୀ ବାଧ୍ୟତା ମୂଳକ ବିଷୟଭାବେ ଶିକ୍ଷା ଦିଆଗଲା । ଏହା ସହିତ ଜ୍ୟୋତିଷ ଓ ହିତୋପଦେଶ ମଧ୍ୟ ଯାଉଥିଲା ।

 

କ୍ରମାଗତ ସରକାରୀ ଉଦ୍ୟମ ଫଳରେ ୧୮୬୦ ସାଲବେଳକୁ ବିଦ୍ୟାଳୟଗୁଡ଼ିକର ଅବସ୍ଥାରେ ସନ୍ତୋଷଜନକ ଉନ୍ନତି ଦେଖାଗଲା । ସେହି ବର୍ଷ ପାର୍ବତ୍ୟାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ୫୨୧ ଜଣ ଛାତ୍ର ଥିଲେ ଏବଂ ସେଥିରୁ ଅଧିକାଂଶ ଛାତ୍ର ଥିଲେ କନ୍ଧ ଓ ପାଣ । ବ୍ରାହ୍ମଣ ପଦର, ଶଙ୍କରାଖୋଲ ଓ ପୁରୁଣାଗଡ଼ ସ୍କୁଲଗୁଡ଼ିକରେ ସମତଳ ଅଞ୍ଚଳ ପରି ପଚାଶ ଜଣ ଛାତ୍ରଥିଲେ ଓ ଶିକ୍ଷାଦାନ ସନ୍ତୋଷଜନକ ଥିବା ଜଣାଯାଏ ।

 

କନ୍ଧମାଳରେ ୧୮୫୫ଠାରୁ ୧୮୮୦ ମଧ୍ୟରେ ଗୁଡ଼ିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । ପ୍ରାରମ୍ଭିକ ସ୍ତରରେ ଫୁଲବାଣୀ ସହର, ଖଜୁରୀପଡ଼ା, ଟିଟ୍ରାପଙ୍ଗା ଓ ରତଙ୍ଗଠାରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଟା କରାଗଲା । ପରେ ରତଙ୍ଗ ସ୍କୁଲ ବିଶିପଡ଼ାକୁ ସ୍ଥାନନ୍ତରିତ କରାଗଲା । ୧୮୬୮ ସାଲରେ ଉକ୍ତ ସ୍କୁଲଗୁଡ଼ିକୁ ଉଚ୍ଚ ପ୍ରାଥମିକ ସ୍କୁଲ କରାଗଲା ଓ ବିଶିପଡ଼ା ସ୍କୁଲକୁ ମାଧ୍ୟମିକ ଭର୍ଣ୍ଣାକୁଲାର ସ୍କୁଲ କରାଗଲା । ୧୯୦୪ ସାଲରେ ବିଶିପଡ଼ା ସ୍କୁଲକୁ ଫୁଲବାଣୀକୁ ଉଠାଇ ନିଆଗଲା ଓ ୧୯୨୬ ତାହାକୁ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ୧୯୪୬ରେ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ କରାଗଲା ।

 

କନ୍ଧମାଳରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ନ ଥିବାରୁ ୧୯୨୬ ସାଲଠାରୁ ଜିଲ୍ଲାସଦର ମହକୁମା ଅନୁଗୁଳକୁ ଯାଇ ଛାତ୍ରମାନେ ଅଧ୍ୟୟନ କରୁଥିଲେ । ୧୯୦୪ ସାଲରେ ଶିକ୍ଷକମାନଙ୍କୁ ତାଲିମ ଦେବା ନିମନ୍ତେ ଏକ ଗୁରୁତାଲିମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ୧୯୩୬ରେ କନ୍ଧମାଳକୁ ଅନୁଗୁଳ ଜିଲ୍ଲାରୁ ଅଣାଯାଇ ଗଞ୍ଜାମ ଜିଲ୍ଲା ସହିତ ମିଶାଇ ଦିଆଯିବାରୁ କନ୍ଧମାଳର ଛାତ୍ରମାନେ ଅଧ୍ୟୟନ ନିମନ୍ତେ ଅନୁଗୁଳ ନ ଯାଇ ଘୁ : ଉଦୟଗିରି ହବାକୁ ହାଇସ୍କୁଲରେ ପଢିବାକୁ ଲାଗିଲେ ।

 

୧୯୦୮ ସୁଦ୍ଧା ସମଗ୍ର କନ୍ଧମାଳରେ ବାରଗୋଟି ନିମ୍ନପ୍ରାଥମିକ ବିଦ୍ୟାଳୟ ଥିବା ଅନୁଗୁଳ ଜିଲ୍ଲା ଗେଜେଟିଅରରୁ ଜଣାଯାଏ । ପ୍ରତ୍ୟେକ ସ୍କୁଲରେ କନ୍ଧ ଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବାରୁ କନ୍ଧଛାତ୍ରମାନେ ଓଡ଼ିଆ ବୁଝିପାରୁ ନ ଥିଲେ । ଏଣୁ ଶିକ୍ଷାଦାନର ଅଗ୍ରଗତି ବ୍ୟାହତ ହେଉଥିଲା । ଏହା ଲକ୍ଷ୍ୟକରି ତତ୍‌କାଳୀନ କନ୍ଧମାଳର ସବ ଡ଼ିଭିଜନାଲ ଅଧିକାରୀ ଓ. ଜେ. ଆଲେନବ୍ୟାଚ ରୋମାନ ଅକ୍ଷର ବ୍ୟବହାର କରି କୁଇ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ କରାଇଥିଲେ ଏବଂ ସେହି ଅଞ୍ଚଳରେ ଚାକିରୀ କରୁଥିବା କର୍ମଚାରୀମାନଙ୍କୁ କୁଇଭାଷା ଶିକ୍ଷା କରିବାକୁ ଉତ୍ସାହିତ କରାଇଥିଲେ ।

 

ବାଲିଗୁଡ଼ା ସବଡ଼ିଭିଜନରେ ୧୮୮୯ଠାରୁ ୧୯୦୦ ସାଲ ମଧ୍ୟରେ ସୁବର୍ଣ୍ଣଗିରି, କୋଟଗିରି, କୋଟଗଡ଼ଧ, ତୁମୁଡ଼ିବନ୍ଧ, ବେଲଘର, ମୁଣ୍ଡିଗଡ଼, ବୁଡ଼ାଗୁଡ଼ା, ବାଲିଗୁଡ଼ା, ବାରଖମା, ଖମଣଖୋଲ ଓ ଲଣ୍ଡଗାଁ ଇତ୍ୟାଦି ଅଗମ୍ୟ ଅଞ୍ଚଳରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରି ଆଦିବାସୀ ଓ ହରିଜନ ଛାତ୍ରମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରାଗଲା ।

 

ଘରୋଇ ଉଦ୍ୟମରେ ବିଦ୍ୟାଳୟ ସ୍ଥାପନର ମଧ୍ୟ ବ୍ୟବସ୍ଥା ସରକାର କରିଥିଲେ । ତେଣୁ ରୋମନ୍‌ କ୍ୟାଥଲିକ ଓ ବାପ୍‌ଟିଷ୍ଟ ଉଭୟ ସଂସ୍ଥାର ଖ୍ରୀଷ୍ଟିୟାନ ମିଶନେରୀମାନେ ବି ତାହାର ସୁଯୋଗ ନେଲେ । ୧୯୧୪ ସାଲରେ ମିଶନେରୀ ଉଦ୍ୟମରେ ଘୁ : ଉଦୟଗିରିଠାରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ୧୯୩୯ରେ ଟିକାବାଲିଠାରେ ସରକାରୀ ଉଦ୍ୟମରେ ଏକ ଉଚ୍ଚଇଂରାଜୀ ବିଦ୍ୟାଳୟ ସ୍ଥାପନ କରାଗଲା ଓ ତାହା ୧୯୪୪ରେ ଘୁ, ଉଦୟଗିରିକୁ ସ୍ଥାନାନ୍ତରିତ କରାଗଲା । ସେହି ସମୟରେ ସ୍କୁଲଗୁଡ଼ିକରେ ଯିଶୁ ଖ୍ରୀଷ୍ଟଙ୍କ ପ୍ରାର୍ଥନା କରାଯାଉଥିଲା । ଏଣୁ କନ୍ଧ ଛାତ୍ରମାନେ ସେଠାରେ ପଢିବାକୁ ଅନିଚ୍ଛା ପ୍ରକାଶ କରୁଥିବା କଳିଙ୍ଗାର ଶ୍ରୀ ସତ୍ୟନାରାୟଣ ଜେନା (ବର୍ତ୍ତମାନ ନିକିଳ ଭାରତ କୁଇ ସମାଜ ୟୁନିଅନ ସାଧାରଣ ସମ୍ପାଦକ)ଙ୍କ ଠାରୁ ଏଇ ଲେଖକ ଶୁଣିଛି ।

 

ଯାହା ହେଉ ଧୀରେ ଧୀରେ କନ୍ଧମାଳ ଓ ବାଲିଗୁଡ଼ାରେ ଶିକ୍ଷାପ୍ରସାର ଘଟିଲା । ବର୍ତ୍ତମାନ ସରକାରୀ ଓ ବେସରକାରୀ ପ୍ରଚେଷ୍ଟାରେ ବହୁ ଉଚ୍ଚଇଂରାଜୀ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ପ୍ରତିଷ୍ଠିତ ହେଲାଣି ଓ ବହୁ ଛାତ୍ର ଉଚ୍ଚଶିକ୍ଷା ଲାଭକରି ଉଚ୍ଚସରକାରୀ ଚାକିରୀରେ ପ୍ରବେଶ କଲେଣି । ବର୍ତ୍ତମାନ ଶିକ୍ଷାକ୍ଷେତ୍ରରେ ସେତେବେଳର ଅସହାୟ ପରିସ୍ଥିତି ଆଉ ନାହିଁ ।

 

ସହାୟକ ଗ୍ରନ୍ଥସୂଚୀ–

 

୧. Behera, D-Freedom Movement in the State of Ghumusur in Orissa-Calcutta, 1994

 

୨. Senapati, N-Gazetter of Orissa Baudh-Phulbani District 1983 Cuttack

 

୩. ମଲିକ, ମେଦିନୀଶ୍ୱର–କନ୍ଧ ଓ କନ୍ଧମାଳ

 

(ଅରଣ୍ୟ - ୩ ୧୯୮୮ରେ ପ୍ରକାଶିତ)

☆☆☆

 

ମାଛଧରା ପ୍ରଣାଳୀ

 

କନ୍ଧମାନଙ୍କ ଖାଦ୍ୟ ମଧ୍ୟରେ ଖାଦ୍ୟମାନଙ୍କ ସହ ମାଉ ମଧ୍ୟ ଅର୍ନ୍ତଭୁକ୍ତ । ସୁଦୀର୍ଘ ଅତୀତରେ ସେମାନେ ମାଛକୁ ଖାଦ୍ୟଭାବେ ବ୍ୟବହାର କରି ଜାଣିଥିଲେ କି ନାହିଁ କହିବା ହୁଏତ ସଂଭବ ନୁହେଁ, ମାତ୍ର ମାଂସହିଁ ଥିଲା ସେମାନଙ୍କର ସର୍ବ ଓ ପ୍ରଥମ ପ୍ରିୟ ଖାଦ୍ୟ । ଏବେବି ମାଂସ ସେମାନଙ୍କର ପ୍ରିୟ ଖାଦ୍ୟ ଏବଂ ମାଛ ତା ତୁଳନାରେ କିଛି କମ୍ ପ୍ରିୟ ଖାଦ୍ୟ ବୋଲି କୁହାଯାଇ ନପାରେ ।

 

କନ୍ଧମାଳରେ ହାଟ ଓ ବଜାରମାନଙ୍କରେ ଶୁଖିଆ ପସରା ବହୁ ପରିମାଣରେ ବସିଥିବା ଓ କନ୍ଧମାନେ ଆଗ୍ରହ ସହକାରେ ତାହା କିଣି ନେଉଥିବା ଦେଖିବାକୁ ମିଳେ । ସାଧାରଣତଃ ହାଟ ବଜାରରେ ସମୁଦ୍ର ମାଛର ଶୁଖୁଆ ବିକ୍ରି ହୋଇଥାଏ । ଏଥିରୁ କନ୍ଧମାନଙ୍କ ମାଛ ଓ ଶୁଖୁଆ ପ୍ରତି ଥିବା ଆଗ୍ରହ ପ୍ରକଟିତ ହୋଇଯାଏ ।

 

କୁଇ ଭାଷାରେ ମାଛକୁ ମିନିକା କୁହାଯାଏ । କୁଇ ଭୁଷାରେ ବିଭିନ୍ନ ମାଛଗୁଡ଼ିକର ନାମ ହେଲା–ପୀତା ମୀନୁ (କେରାଣ୍ଡି) ମାଉମୀନୁ ବା ସୁଲେରି ମେନୁ (ତୋଡ଼ିମାଛ), ମାଗରେ (ମାଗୁର), ପାଜିବୁତ (ଦଣ୍ଡକିରି) ତୁକିମୀନୁ (ଗଡ଼ିଶ ବାଚେଂଗ ମାଛ), ସୁଡ଼୍ରିମୀନୁ (ଶିଙ୍ଗିମାଛ), ସିଙ୍ଗାଣି ମୀନୁ (ଚିଙ୍ଗୁଡ଼ି ମାଛ), ବଠୁମୀନୁ (ବାଲିଗରଡ଼ା ମାଛ) ଇତ୍ୟାଦି । ଶେଉଳ, ରୋହୀ, ଭାକୁର, ପତ୍ରଚଟା, ସେରେଣା, ବାଉଁଶପତ୍ରୀ ଓ ବାଳିଆ ଇତ୍ୟାଦି ମାଛମାନଙ୍କ ନିମନ୍ତେ କୁଇ ଭାଷାରେ ସ୍ୱତନ୍ତ୍ର ନାମ ନାହିଁ ।

 

ନଦୀ, ନାଳ, ଗଡ଼ିଆ, ବନ୍ଧ, ବିଲ ଓ ପୋଖରୀମାନଙ୍କରୁ କୁଇ ପୁରୁଷ ଓ ବାଳକମାନେ ମାଛ ମାରିଥାନ୍ତି । ମାଛ ମାରିବା ନିମନ୍ତେ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ସେଥିରୁ କେତେକ ଉପାୟ ନିମ୍ନରେ ବର୍ଣ୍ଣିତ ହେଲା । କନ୍ଧମାନଙ୍କ ପରି ମଧ୍ୟ ପ୍ରଦେଶର ମୁରିଆମାନେ ପ୍ରତିଦିନ ମାଛ ଧରିବାକୁ ଭଲ ପାନ୍ତି ଏବଂ ମୁରିଆ ଗ୍ରାମର ବିଭିନ୍ନ ମାଛ ଧରା ଉପକରଣ ଦେଖିବାକୁ ମିଳେ ।

 

୧–କୁମୁଣା ବସାଇ : - କୁମୁଣାକୁ କୁଇ ଭାଷାରେ ଗୁଏଲ କୁହାଯାଏ । ପ୍ରଥମେ ବାଉଁଶ କାଠି ଓ ଦଉଡ଼ିରେ ବୁଣି ପଟି ପରି କରାଯାଏ । ସରୁ ଛୋଟ ବାଉଁଶ କାଠିକୁ ଦଉଡ଼ିରେ ବୁଣି ଗୋଲ କରାଯାଇ ପୂର୍ବ ପ୍ରସ୍ତୁତ ଲମ୍ବା ବାଉଁଶ କାଠି ପଟିର ଗୋଟିଏ ମୁଣ୍ଡରେ ବାନ୍ଧି ଦିଆଯାଏ । ଅପର ପାଖଟି ଖୋଲାଥାଏ । ଏହା ବ୍ୟତୀତ ଏକ ଚାରି ପାଞ୍ଚ ଫୁଟ ଲମ୍ବ ବାଉଁଶର ଗୋଟିଏ ପାଖରୁ ଛୋଟ ଛୋଟ କରି ଚିରି ଦିଆଯାଏ । ଚିରା ଯାଇଥିବା ଅଂଶରୁ ସରୁ ବାଉଁଶ ପାତି ଦ୍ୱାରା ବୁଣାଯାଏ । ଗଣ୍ଠିକୁ ଲାଗିଥିବା ଅଂଶରୁ ବୁଣା ଆରମ୍ଭ କରାଯିବାରୁ ତାହା କ୍ରମଶଃ ମୋଟା ହୋଇ ମୁହଁ ପାଖକୁ ଏକ ନଳ ଭଳି ଦେଖାଯାଏ । କିନ୍ତୁ ଅପର ପାଖଟି ସଂକୁଚିତ ହୋଇ ବନ୍ଦଥାଏ ।

 

କନ୍ଧମାନେ ଉକ୍ତ ଗୁଏଲି (ବେନ୍ଦା ବା କୁମୁଣା ବା ମୁଗୁରା) ସାହାଯ୍ୟରେ ସାଧାରଣତଃ କାର୍ତ୍ତିକ, ମାର୍ଗଶୀର ମାସରେ ପାଣି ବହି ଯାଉ ଥିବା ବା ବିଲ ମୁହାଁଣ କିମ୍ବା ଛୋଟ ଛୋଟ ନାଳ ଓ ଝରଣାରେ ବସାଇ ଥାନ୍ତି । ଏହାର ଖୋଲା ଅଂଶଟି ପାଣିରେ ମାଟିସହ ସମାନଭାବେ ଗୋତି ହୋଇଥାଏ ଓ ବନ୍ଦ ଅଂଶଟିକୁ କାଠି ଦ୍ୱାରା ସାମାନ୍ୟ ନୁଆଇଁ ଆଗକୁ ଝୁଲାଇ ରଖାଯାଇଥାଏ । ଫଳରେ ପାଣି ସ୍ରୋତରେ ମାଛମାନେ କୁମୁଣା ଭିତରକୁ ଚାଲିଯାଆନ୍ତି ଓ କୁମୁଣା ମଧ୍ୟ ଭାଗରୁ ପାଣିସ୍ରୋତଯି ଜାଲିଦେଇ ତଳକୁ ଖସି ଯାଉଥିବାରୁ ଓ ସାମ୍‌ନା ଯଟଟି ବନ୍ଦ ଥିବାରୁ ମାଛଗୁଡ଼ିକ ବାହାରକୁ ବାହାରି ନପାରି ସେଠାରେ ରହିଯାନ୍ତି । ଏପରି ଭାବରେ ଧୀରେ ଧୀରେ କୁମୁଣା ମଧ୍ୟରେ ମାଛମାନେ ଜମା ହୋଇ ରହନ୍ତି ଓ କେତେକ ସମୟ ପରେ ବସାଇଥିବା ଲୋକ ଯାଇ ସେଠାରୁ ମାଛ ସଂଗ୍ରହ କରିଥାଏ । ଏହି ପ୍ରଣାଳୀରେ କେରାଣ୍ଡି, ଦଣ୍ଡକିରି, ବାଲିଗରଡ଼ା, ଚେଙ୍ଗ ଇତ୍ୟାଦି ମାଛ ଧରାଯାଇଥାଏ ।

 

ପାଣି ଅଟକାଇ–ଏଇ ପ୍ରଣାଳୀକୁ କୁଇ ଭାଷାରେ ନେଞ୍ଜା ବା ଲେଞ୍ଜ କୁହାଯାଏ । ଖରାଦିନ ନଦୀ ଓ ନାଳ ତଥା ପୋଖରୀ ପାଣି ଶୁଖି ଆସିଲେ ଏହି ପ୍ରଣାଳୀରେ କନ୍ଧମାନେ ମାଛ ମାରିଥାନ୍ତି । ଏହି ପ୍ରଣାଳୀରେ ହିଡ଼ ଦ୍ୱାରା ପାଣିକୁ ଭାଗ ଭାଗ କରି ହିଡ଼ ବାହାରକୁ ପାଣି ବହିଥାନ୍ତି ଓ ପାଣି କମିଗଲେ ବଳକା ପାଣିକୁ ଘାଣ୍ଟି ଚକଟି ଗୋଳିଆ କରି ମାଛ ଧରାଯାଏ । ଏହି ଉପାୟରେ କେରାଣ୍ଡି, ଦଣ୍ଡକିରି, ଚେଙ୍ଗ, ମାଗୁର, ଗଡ଼ିଶ, ଶିଙ୍ଗି, ବାଳିଆ ପ୍ରଭୃତି ମାଛ ଧରାଯାଏ । ପାଣି ଗୋଳିଆ କରିବା ପୂର୍ବରୁ ଦୋତା ଦେଇ କେରାଣ୍ଡି, ଦଣ୍ଡକିରି, ଚିଙ୍ଗୁଡ଼ି, ବାଲିଗରଡ଼ା ଆଦି ଧରିଥାନ୍ତି ।

 

ଉଞ୍ଜ ପକାଇ–ଉଞ୍ଜ ସରୁ ବାଉଁଶ କାଠିରେ ବୁଣାଯାଇଥିବା ଅର୍ଦ୍ଧଗୋଲକ ଭଳି ଏକ ମାଛଧରା ଉପକରଣ । ଏହାକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଳୁହ କହିଥାନ୍ତି । ଏହା ଛୋଟ ଓ ବଡ଼ ଆକାରରେ ତିଆରି ହେଉଥିଲା ମଧ୍ୟ ସାଧାରଣତଃ ଏହାର ଆନୁମାନିକ ଗୋଲେଇ ତିନିଫୁଟ ଓ ଉଚ୍ଚତା ଅଢେଇ ଫୁଟ ମଧ୍ୟରେ ସୀମିତ ରହେ । ଏହାର ତଳଭାଗ ଖୋଲାଥାଏ । ଉପର ଭାଗରେ ଆନୁମାନିକ ଛଅ ବା ସାତ ଇଞ୍ଚର ଗୋଲାକାର ଖୋଲା ଅଂଶ ଥାଏ । ଉକ୍ତ ଗୋଲେଇ ସହ ବାଉଁଶ କାଠି ଗୁଡ଼ିକ ଶକ୍ତଭାବରେ ବନ୍ଧାଯାଇଥାଏ । ନଦୀ ବା ପୋଖରୀର କମ୍‌ ପାଣି ଥିବା ଅଂଶରେ ଉଞ୍ଜ ପକାଇ ଚାପି ଦିଆଯାଏ । ଫଳରେ ଉଞ୍ଜର ତଳ ପାଖଟି ପଙ୍କ ମଧ୍ୟରେ ପଶିଯାଏ ଏବଂ ତାହା ମଧ୍ୟରେ ଥିବା ମାଛମାନେ ବାହାରକୁ ଯାଇ ପାରନ୍ତି ନାହିଁ । ମାଛ ମାରୁଥିବା ବ୍ୟକ୍ତି ଉଞ୍ଜର ଉପର ପଟ ଖୋଲା ଅଂଶ ଦେଇ ହାତ ଗଳାଇ ଉଞ୍ଜ ମଧ୍ୟରେ ଥିବା ମାଛ ଧରନ୍ତି । ସାଧାରଣତଃ ଶୀତ ଦିନରେ ଉଞ୍ଜ ଦ୍ୱାରା ମାଛ ଧରାଯିବା ଅଧିକା ପରିମାଣରେ ଦେଖାଯାଏ ।

 

ବନଶି ବା କାଟା ପକାଇ–ବନଶିକୁ କୁଇ ଭାଷାରେ କାଟା କୁହାଯାଏ । ବନଶି କଣ୍ଟାରେ କେଞ୍ଚଅ ଗଳାଇ ପାଣିରେ ପକାନ୍ତି । ମାଛ କେଞ୍ଚଆକୁ ଖାଇଲେ ତା’ର ତଣ୍ଟିରେ କଣ୍ଟା ଗଳିଯାଏ ଓ ମାଛ କଷ୍ଟରେ ପଳାଇ ଯିବାକୁ ଚେଷ୍ଟା କରେ । ଫଳରେ ବନଶି ସୂତାରେ ଲାଗି ଭାସୁଥିବା ଶୋଲଟି ପାଣିରେ ବୁଡ଼ିଯାଏ ଏବଂ କଣ୍ଟାରେ ମାଛ ଲାଗିଛି ବୋଲି ଜଣାଯାଏ । ଏଣୁ ବନଶି ଧରିଥିବା ବ୍ୟକ୍ତି ବନଶି ସୂତାକୁ ଉପରକୁ ଉଠାଇ ଆଣି ମାଛଟିକୁ ଧରେ ।

 

ପୁଞ୍ଜି ପକାଇ–ଏହି ପ୍ରଣାଳୀକୁ ପୁଞ୍ଜି ବା ବୁଜା କୁହାଯାଏ ।ପ୍ରାୟ ଏକ ଫୁଟ ଲମ୍ବର ସୂତାକୁ ସେପରି ନାମକ ଏକ ଟାଣ ଘାସ ଖଣ୍ଡିଏର ଏକ ପାଖରେ ଚିରି ଗଳାଇ ରଖନ୍ତି । କେଂଚୁଆ ଆଣି ଉକ୍ତ ସପେରି ଘାସ ଦ୍ୱାରା ପଳାଇ ସୂତାକୁ ପୂରା କେଂଚୁଆ ଦ୍ୱାରା ପୂର୍ଣ୍ଣ କରି ଦଉଡ଼ି ଭଳି ବଳି ଦିଅନ୍ତି । ଫଳରେ କେଂଚୁଆ ସୂତା ସହ ମୋଡ଼ି ହୋଇଯାଏ । ଉକ୍ତ ସୂତାକୁ ଅନ୍ୟ ଏକ ଲମ୍ବା ସୂତାରେ ବାନ୍ଧି ବିଲ ମଝିରେ ଥିବା ପାଣିରେ ପକାଇ ଲମ୍ବା ସୂତାର ଅନ୍ୟ ମୁଣ୍ଡକୁ ଧରି ବସନ୍ତି । ମାଛ ସୂତାରେ ଲାଗିଥିବା କେଂଚୁଆକୁ କାମୁଡ଼ିଲେ ସୂତାକୁ ଟାଣି ଆଣି ମାଛକୁ ଧରନ୍ତି । ଏହାକୁ ବୁଜା ପକାଇବା କୁହାଯାଏ ।

 

ମାଛ ଯନ୍ତା–ସରୁ ବାଉଁଶ କାଠି ସୂତା ବା ଶିଆଳ ଲଇ ଦ୍ୱାରା ବୁଣି ଆନୁମାନିକ ଦେଢ ଫୁଟ ଲମ୍ବ ଓ ଫୁଟେ ଚଉଡ଼ାର ପେଡ଼ିଭଳି କରିଥାନ୍ତି । ଏହି ପେଡ଼ିରେ ଗୋଟିଏ ପାଖରୁ କାଠି ଗୁଡ଼ିଏ ଭିତର ପାଖକୁ ତେରେଛେଇ ବୁଣାଯାଇଥାଏ । ସେହି କାଠିଗୁଡ଼ିକ ଏପରି ବୁଣାଯାଇଥାଏ ଯେ, ସେଗୁଡ଼ିକ ପେଡ଼ିଭଳି ଦିାଶୁଥିବା ଯନ୍ତାର ଭିତର ପାଖ ମଧ୍ୟଭାଗକୁ ଯାଇ ଏକତ୍ରିତ ହେବା ସ୍ଥାନରେ ଏକ ସରୁ ରାସ୍ତା ତିଆରି କରିଥାନ୍ତି ।

 

ଭଜା ମହୁଲ ହିଙ୍ଗୁ, ରାଶି ପିଡ଼ିଆ ମିଶାଇ କୁଟି ଛୋଟ ଛୋଟ ପୁଳାକରି ଯନ୍ତା ମଧ୍ୟରେ ରଖି ଯନ୍ତାକୁ ଗଭୀର ପାଣିରେ ପକାଇଥାନ୍ତି । ଏକକାଳୀନ ଗୁଡ଼ାଏ ଯନ୍ତା ପକାଯାଇଥାଏ । ଯନ୍ତା ଭିତରେ ଥିବା ଖାଦ୍ୟ ଲୋଭରେ ମାଛ ସଂକୀର୍ଣ୍ଣ ବାଟରେ ଯନ୍ତା ଭିତରେ ପ୍ରବେଶ କରନ୍ତି । କିନ୍ତୁ ଫେରି ପାରନ୍ତି ନାହିଁ । ଗଭୀର ପାଣିରୁ ମାଛ ଧରିବା ନିମନ୍ତେ କନ୍ଧମାନେ ଏହି ପ୍ରଣାଳୀ ଅବଲମ୍ବନ କରିଥାନ୍ତି । ଯନ୍ତା ପକାଇ ଅପେକ୍ଷା କରିବା ଦରକାର ପଡ଼େ ନାହିଁ । ଦୀର୍ଘ ସମୟ ପରେ ଯାଇ ଯନ୍ତାଗୁଡ଼ିକୁ ଟେକି ସେଥିରେ ଥିବା ମାଛ ଧରିଥାନ୍ତି ।

 

୭. ମଝେଇବା ବା ବିଷ ପ୍ରୟୋଗ କରିବା :- ଏହି ପ୍ରଣାଳୀକୁ କୁଇ ଭାଷାରେ ମାଜା ବେପାଃ କହିଥାନ୍ତି । ପାଣିରେ ବିଭିନ୍ନ ପ୍ରକାରର ଚେରମୂଳ, ଫଳ, ପତ୍ର ବା ଛାଲିର ରସ ପକାଇ ପାଣିକୁ ବିଷାକ୍ତ କରାଯାଏ । ପାଣିର ପରିମାଣ ଅନୁସାରେ ବିଷାକ୍ତଦ୍ରବ୍ୟ ପ୍ରୟୋଗ କରାଯାଇଥିବା । ବଡ଼ ବନ୍ଧ ବା କଟା, ନଦୀ ନାଳର ଗଣ୍ଡର ପାଣିରେ ବିଷାକ୍ତଦ୍ରବ୍ୟ ପ୍ରୟୋଗ କରାଯାଇଥାଏ । ବିଷାକ୍ତଦ୍ରବ୍ୟ ପ୍ରୟୋଗ କଲାପରେ ଡ଼ାଳ ପକାଇ ପାଣିକୁ ଘାଣ୍ଟି ଦିଅନ୍ତି । ବିଷାକ୍ତଦ୍ରବ୍ୟ ପାଣିରେ ମିଶିଗଲା ପରେ ମାଛଗୁଡ଼ିକ ନିସ୍ତେଜ ହୋଇ ଉପରକୁ ଉଠି ଆସନ୍ତି ଓ କନ୍ଧମାନେ ମାଛଗୁଡ଼ିକୁ ଧରିଥାନ୍ତି ।

 

ନାଳର ବହି ଯାଉଥିବା ପାଣିରେ ବିଷାକ୍ତଦ୍ରବ୍ୟ ପ୍ରୟୋଗ କରିବା ଦରକାର ହେଲେ ସ୍ରୋତର ଉଭୟ ପାଖରୁ ହିଡ଼ ଦ୍ୱାରା ପାଣିକୁ ଅଟକାଇ ଦିଆଯାଏ । ସାଧାରଣତଃ ଖରାଦିନେ ଏହି ଉପାୟରେ କନ୍ଧମାନେ ମାଛ ଧରିଥାନ୍ତି । ମୁରିଆମାନେବି ଏହି ପ୍ରଣାଳୀ ଅବଲମ୍ବନ କରି ମାଛ ଧରିଥାନ୍ତି ।

 

ମୂଖ୍ୟତଃ ନିମ୍ନ ବର୍ଣ୍ଣିତ ପ୍ରଣାଳୀରେ ପାଣିକୁ ବିଷାକ୍ତ କରି କନ୍ଧମାନେ ମାଛ ଧରିଥାନ୍ତି ।

 

ଯଥା–(କ) କିଛି କଞ୍ଚା ହିଞ୍ଜଳ ଛାଲି ନେଇ ପାଣି ପାଖରେ ପଥରରେ ଛେଚି ପାଣିରେ ଫିଙ୍ଗି ଦିଆଯାଏ । ଛାଲିର ରସ ପାଣିରେ ମିଶିଲେ ପାଣି ଧଳା ଦେଖାଯାଏ । ସମସ୍ତ ପାଣି ଧଳା ଦେଖାଗଲେ ପାଣିକୁ ଘାଣ୍ଟି ଦେଇ ମାଛ ଧରିଥାନ୍ତି ।

 

(ଖ) ମାଙ୍କଡ଼ ଶିଆଳୀ ବା କୁଇ ଭାଷାରେ କିସିମାଲା ଗଛର ଚେର ଛେଚି ପାଣିରେ ପକାଇ ପାଣି ବିଷାକ୍ତ କରିଥାନ୍ତି ।

 

(ଗ) ମାଜାକାଙ୍ଗା ବା ମଝନ ଫଳ (ଶୁଖିଲା ପାଚିଲା) ବାଲିସହ କୁଟି ପାଣିରେ ଛିଞ୍ଚିଲା ପରି ଫିଙ୍ଗନ୍ତି ।

 

(ଘ) କେରେଡ଼ି କାଙ୍ଗାର ପାଚିଲା ଫଳ ବି ବାଲିସହ କୁଟି ପାଣିରେ ପକାଇଥାନ୍ତି ।

 

(ଙ) ପିତା ଭଦାଲି ଲତାର ପତ୍ର ବାଲିସାହି କୁଟି ପାଣିରେ ପକାଇ ପାଣିକୁ ବିଷାକ୍ତ କରିଥାନ୍ତି ।

 

ଏହିପରି ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରି କନ୍ଧମାନେ ମାଛ ଧରିବା ଜଣାଯାଏ । କିନ୍ତୁ ଜାଲ ପକାଇ ମାଛ ଧରିବା କନ୍ଧମାନଙ୍କ ମଧ୍ୟରେ ଦେଖାଯାଏ ନାହିଁ । ବିଷାକ୍ତଦ୍ରବ୍ୟ ପ୍ରୟୋଗ କରି ଏବଂ ପାଣି ଅଟକାଇ ମାଛ ଧରିବା ସେମାନଙ୍କ ମଧ୍ୟରେ ଅଧିକ ପ୍ରଚଳିତ ଏବଂ ଉକ୍ତ ପ୍ରଣାଳୀ ସେମାନଙ୍କୁ ସ୍ୱ ସଂସ୍କୃତି ପୁଷ୍ଟ ପରି ମନେହୁଏ । କିନ୍ତୁ ଅନ୍ୟାନ୍ୟ ପ୍ରଣାଳୀ ଗୁଡ଼ିକ ସେମାନେ ଆର୍ଯ୍ୟା ସମାଜରୁ ଗ୍ରହଣ କରିଥିବା ଅନୁମିତ ହୁଏ ।

 

ସହାୟକ ପୁସ୍ତକସୂଚୀ–

 

୧. Watts, Nevile A.–The Halfclad Tribes of Easferm India–1970-Calcutta- P. 122.

 

୨. Ibid.

☆☆☆

 

Unknown

ମାଟିଗୁରୁ ନିଯୁକ୍ତି ପ୍ରକ୍ରିୟା

 

କନ୍ଧ ଧର୍ମଧାରାରେ ମାଟିଗୁରୁ ଏକ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧିକାର କରିଥାନ୍ତି । କେଡ଼ୁ ବା ଝାଗିଡ଼ି ସମୟରେ ‘‘ଦାରନି ପେନୁ’’ ବା ମାଟି ଦେବତାଙ୍କ ପୂଜା ନିମନ୍ତେ ମାଟିଗୁରୁଙ୍କ ଏକାନ୍ତ ଆବଶ୍ୟକତା ଥାଏ । ମାଟିଗୁରୁ ନିଯୁକ୍ତି ନିମନ୍ତେ କନ୍ଧ ସମାଜରେ ଏକ ସ୍ୱତନ୍ତ୍ର ନିୟମ ପ୍ରଚଳିତ ଅଛି ।

 

ଏହି ନିୟମକ୍ରମରେ ମାଟିଗୁରୁ ନିଯୁକ୍ତି ବଂଶାନୁକ୍ରମିକଭାବେ ହୋଇଥାଏ । ଯେଉଁ ବଂଶରେ ପୂର୍ବରୁ ମାଟିଗୁରୁ ଥାନ୍ତି ସେହି ବଂଶର କୌଣସି ବ୍ୟକ୍ତିହିଁ ମାଟିଗୁରୁ ହୋଇ ପାରନ୍ତି । ଅନ୍ୟ ବଂଶର କୌଣସି ବ୍ୟକ୍ତି ମାଟିଗୁରୁ ହୋଇ ପାରନ୍ତି ନାହିଁ । ବଂଶରେ ଜଣେ ମାଟିଗୁରୁ ଥିଲେ ତାହାଙ୍କ ମୃତ୍ୟୁପରେ ହିଁ ଅନ୍ୟ ଜଣେ ମାଟିଗୁରୁଭାବରେ ଅଭିଷିକ୍ତ ହୋଇ ପାରନ୍ତି ।

 

ଜଣେ ଗୁରୁଙ୍କ ମୃତ୍ୟୁପରେ ଦାରନି ପେନୁ ସେହି ବଂଶର ଯାହା ଉପରେ ସନ୍ତୁଷ୍ଟ ତାହାକୁ ନାନା ପ୍ରକାର ରୋଗରେ ଅସୁସ୍ଥ କରାଇଥାନ୍ତି ବୋଲି ବିଶ୍ୱାସ କରାଯାଇଥାଏ । ଉକ୍ତ ବ୍ୟକ୍ତି ସାଧାରଣତଃ ଘା, କାଚୁ, କୁଣ୍ଡିଆ, ଜ୍ୱର, ମୁଣ୍ଡବ୍ୟଥା ଇତ୍ୟାଦି ନାନା ପ୍ରକାର ରୋଗରେ ପୀଡ଼ିତ ହୋଇ ସବୁବେଳେ ଘୁମେଇଲା ପରି ରହନ୍ତି । ସମୟେ ସମୟେ ହାତ ମୁଠା ମୁଠା କରିଥାନ୍ତି ଓ ଦେବତା ପ୍ରବେଶର ଲକ୍ଷଣମାନ ତାହାଙ୍କଠାରେ ପ୍ରକାଶ ପାଇଥାଏ । ଉପରୋକ୍ତ ଲକ୍ଷଣମାନ ଦେଖିଲା ପରେ ତାହାଙ୍କ ବଂଶୀୟ ଲୋକେ ଉକ୍ତ ବ୍ୟକ୍ତିକୁ ମାଟି ମାଆ ସହାୟ ହେଉଥିବା ଅନୁମାନ କରି ଅନ୍ୟ ଜଣେ ଗୁରୁଙ୍କ ସାହାଯ୍ୟରେ ‘‘କୁଉଟା’’ ଦେଖାଇବା ଦ୍ୱାରା ଯଦି ତାହାଙ୍କୁ ମାଟି ମାଆ ସହାୟ ହେଉଥିବା ଜଣାଯାଏ ତେବେ ଉକ୍ତ ବ୍ୟକ୍ତିକୁ ମାଟିଗୁରୁଭାବରେ ଅଭିଷିକ୍ତ କରିବାର ନିଷ୍ପତ୍ତି ନିଆଯାଇଥାଏ ।

 

ଅବିବାହିତ ପୁରୁଷ ମାଟିଗୁରୁ ହେବା ନିମନ୍ତେ ଅନୁପଯୁକ୍ତ ବିବେଚିତ ହୋଇଥାନ୍ତି । କିନ୍ତୁ ଗୁରୁଭାବରେ ଅଭିଷିକ୍ତ ହେଲାପରେ ଯଦି ପତ୍ନୀ ବିୟୋଗ ଘଟେ ବା ସ୍ତ୍ରୀ ଛାଡ଼ପତ୍ର ନେଇଯାଏ, ସେପରି କ୍ଷେତ୍ରରେ ମାଟିପୂଜା କରିବାରେ କୌଣସି ବିଧି ନିଷେଧ ନାହିଁ । କିନ୍ତୁ ଝାଙ୍କରଙ୍କ (ଜାକେରି ପେନୁଙ୍କ ପୂଜକ) କ୍ଷେତ୍ରରେ ଅଭିଷିକ୍ତ ହେଲାପରେ ସ୍ତ୍ରୀ ମୃତ ହେଲେ ବା ଛାଡ଼ପତ୍ର ଦ୍ୱାରା ବିପତ୍ମିକ ହେଲେ ପୁନର୍ବାର ବିବାହିତ ହୋଇ ଗୁରୁଙ୍କ ଦ୍ୱାରା ଘରର ଉଛୁନା (ଓଳି) ଠାରେ ନବ-ଦମ୍ପତ୍ତିଙ୍କ ମୁଣ୍ଡରେ ହଳଦୀପାଣି ନ ପକାଗଲାଯାଏ ସେମାନେ ଗୃହକୁ ପ୍ରବେଶ କରି ପାରିବେ ନାହିଁ କି ଝାଙ୍କର ପୂଜା କରି ପରିବେ ନାହିଁ । ପୁନର୍ବାର ବିବାହ ପରେ ହିଁ ସେ ଝାଙ୍କରଭାବେ ଉପଯୁକ୍ତ ବିବେଚିତ ହେବେ ।

 

କୁଉଟା ଦେଖାରେ ମାଟିମାଆ ସହାୟକ ହେଉଥିବା ବିଷୟ ଅବଗତ ହେଲାପରେ ମାଟିଗୁରୁ ଅଭିଷେକ ବିଷୟରେ ନିଷ୍ପତ୍ତି ନିଆଯାଇ ସେଥି ନିମନ୍ତେ ଦିନଟିଏ ନିର୍ଦ୍ଦିଷ୍ଟ କରାଯାଏ । ଯେଉଁ ବ୍ୟକ୍ତି ଅଭିଷିକ୍ତ ହେବେ ତାହାଙ୍କ ସୁବିଧାକୁ ଆଖିଁ ଆଗରେ ରଖି ଅଭିଷେକ ଦିନ ସ୍ଥିର ହୋଇଥାଏ । ଅଭିଷେକ ନିମନ୍ତେ ଆବଶ୍ୟକୀୟ ଉପକରଣ ସଂଗ୍ରହ କରିଲାପରେ ନିର୍ଦ୍ଦିଷ୍ଟ ଦିନଟି ଗ୍ରାମବାସୀଙ୍କୁ ଜଣାଇ ଦିଆଯାଏ ।

 

ଅଭିଷେକ ଦିନର ପୂର୍ବଦିନ ଗୁରୁଭାବରେ ଅଭିଷିକ୍ତ ହେବାକୁ ଥିବା ବ୍ୟକ୍ତିଙ୍କ ଘରଦ୍ୱାର ଲିପାପୋଛା କରାଯାଏ ଏବଂ ଲୁଗାପଟା ସଫା କରାଯାଏ । ଅଭିଷେକ ଦିନ ସକାଳୁ ପୂର୍ବରୁ ବ୍ୟବହୃତ ରନ୍ଧନପାତ୍ର ଗୁଡ଼ିକ ବାହାର କରାଯାଏ ।

 

ନିର୍ଦ୍ଦିଷ୍ଟ ଦିନ ଗୁରୁଭାବରେ ଅଭିଷିକ୍ତ ହେଉଥିବା ବ୍ୟକ୍ତି ସହିତ, ପାଣି ଢାଳିବା ପାଇଁ ଜଣେ ବ୍ୟକ୍ତି ଏବଂ ପୂଜା କରିବା ପାଇଁ ସ୍ଥିରକୃତ ପୂଜକ ବା ବୟସ୍କ ବ୍ୟକ୍ତି ଦାନ୍ତ ନ ଘସି ଉପବାସ ରହନ୍ତି । ସକାଳୁ ଉକ୍ତ ତିନି ଜଣ ଗୋଟିଏ ନୂଆ ମାଟିହାଣ୍ଡି, ତିନୋଟି ନୂଆ ଲୁଗା, କଞ୍ଚାହଳଦୀ, ଗୋଟିଏ କାଞ୍ଜିଆ ଅଣ୍ଡା ଓ କିଛି ଉଷୁନା ଚାଉଳ ଧରି କୌଣସି ସର୍ବସାଧାରଣ ବ୍ୟବହାର କରୁଥିବା ଚୁଆଁ ଗଡ଼ିଆକୁ ଯାଇଥାନ୍ତି । ଦେଖିବା ପାଇଁ ଗାଁର ଅନ୍ୟମାନେ ମଧ୍ୟ ଯାଇଥାନ୍ତି । ଚୁଆଁ ବା ଗଡ଼ିଆଠାରେ ପହଞ୍ଚି ଉକ୍ତ ତିନି ଜଣ ପ୍ରଥମେ ପାଣିରେ ବୁଡ଼ି ଗାଧୁଆନ୍ତି ଏବଂ ନୂଆଲୁଗା ଗୁଡ଼ିକ ଓଦାକରି ହଳଦୀ ଘୋରି ନୂଆ ଲୁଗାଗୁଡ଼ିକରେ ଲଗାଇଥାନ୍ତି । ତିନି ଜଣ ଏହି ହଳଦୀଲଗା ଲୁଗାର ଖଣ୍ଡେ ଖଣ୍ଡେ ପିନ୍ଧନ୍ତି । ଏହାପରେ ପୂଜା ପାଇଁ ଉଦ୍ଦିଷ୍ଟ ଗୁରୁବା ପୂଜକ ଜଣକ ଚୁଆଁର ଉପର ପାଖକୁ ଯାଇ ଚାଉଳ ପୁଞ୍ଜି ଉପରେ କାଞ୍ଜିଆ ଅଣ୍ଡା ରଖି ପୂଜା କରନ୍ତି ଏବଂ ତା ତଳକୁ ଉଷୁନା ଚାଉଳ ପୁଞ୍ଜିଦେଇ ବି ପୁଜା କରନ୍ତି । ପୂଜା ସରିଲାପରେ ଲାଉ ଡ଼ଙ୍କାରେ ହଳଦୀମିଶା ପାଣିଦେଇ ଚାରିମୁଠା ଚାଉଳ ସେଥିରେ ପକାଇ ସମସ୍ତ ଦେବାଦେବୀଙ୍କୁ ଡ଼ାକି ଡ଼ାକି ‘‘ତୁମ୍ଭେମାନେ ଏହାକୁ ସହାୟ ହୁଅ ବୋଲି କହି ଗୁରୁଭାବରେ ଅଭିଷିକ୍ତ ହେଉଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଉକ୍ତ ପାଣି ଢାଳିଥାନ୍ତି ।

 

ଏହି ସମୟରେ ନୂତନ ଗୁରୁଙ୍କଠାରେ ମାଟିମାଆ ଉଭା ହୁଅନ୍ତି ଏବଂ ସେ ନୂଆ ହାଣ୍ଡିରେ ପାଣି ଭରି କାନ୍ଦରେ ବୋହି ଝୁଲି ଝୁଲି ଅନ୍ୟମାନଙ୍କସହ ଗାଁକୁ ଫେରନ୍ତି । ଯେଉଁଠାରେ ସେ ତାହାଙ୍କ ପୂଜା ନିମନ୍ତେ ଦାରନି ପେନୁ (ଧରଣୀ ଦେବତା) ରଖିବା ପାଇଁ ଉଚିତ ମନେ କରନ୍ତି ସେଠାକୁ ଯାଆନ୍ତି । ଯଦି ସେଠାରେ ପୂର୍ବରୁ ଦାରନି ପେନୁ ପ୍ରତିଷ୍ଠିତ ହୋଇଥାନ୍ତି ଆଉ ନୂତନ ଦାରନି ସ୍ଥାପନ କରିବା ଆବଶ୍ୟକତା ନଥାଏ । ନଚେତ୍‌ ନୂତନ ଦାରନି ପ୍ରତିଷ୍ଠାକରିବା ପୂର୍ବରୁ ଦାରନି ଥିଲେ ସେଠାରେ ଦୁଇଟି କାଞ୍ଜିଆ ଅଣ୍ଡା ଓ ଉଷୁନା ଚାଉଳ ପୁଞ୍ଜିବାଢି ନୂତନ ଗୁରୁ ପୂଜା କରନ୍ତି ଓ ପ୍ରଥମେ କୁକୁଡ଼ା ପରେ ଛେଳି ବଳିଦେଇ ତାହାର ରକ୍ତ ଦାରନିରେ ପକାଇଥାନ୍ତି । ପରେ ମଦ ଥିବାଇଥାନ୍ତି ।

 

ପୂଜା ଶେଷ ହେଲାପରେ ବଳିଗୁଡ଼ିକୁ ନେଇ ଗ୍ରାମ ବାହାରେ ରାନ୍ଧି ସମସ୍ତ ଗ୍ରାମବାସୀ ଖାଇଥାନ୍ତି । ଏହୀ ଭୋଜିରେ କୌଣସି ସ୍ତ୍ରୀ ଏପରି ବାଳିକା ମଧ୍ୟ ଯୋଗଦେବା ପୂରାବୂରି ନିଷେଧ । ଏହି ଦିନଠାରୁ ନୂତନଭାବେ ଅଭିଷିକ୍ତ ହୋଇଥିବା ବ୍ୟକ୍ତି ମାଟିଗୁରୁ ଭାବରେ ପରିଚିତ ହୋଇଥାନ୍ତି ଏବଂ ନିଜ ଗ୍ରାମ ତଥା ଅନ୍ୟାନ୍ୟ ଗ୍ରାମମାନଙ୍କରେ କେଡ଼ୁ ବା ଝାଗିଡ଼ ସମୟରେ ମାଟିପୂଜା କରି ପାରନ୍ତି ।

 

ମାଟିଗୁରୁ ଏକ ଲୁହାବାଡ଼ି ଧରିଥାନ୍ତି । ଉକ୍ତ ବାଡ଼ିକୁ ‘‘ଗୁରୁସାବାଲି ହୁଡ଼ା’’ କୁହାଯାଏ । ଅଭିଷିକ୍ତ ହୋଇଥିବା ଗୁରୁଙ୍କ ଘରେ ଯଦି ଉକ୍ତ ବାଡ଼ି ପୂର୍ବରୁ ଥାଏ ତେବେ ସେ ତାହା ବ୍ୟବହାର କରିଥାନ୍ତି । ଯଦି ନ ଥାଏ ତେବେ ନୂତନଭାବରେ ଏକ ବାଡ଼ି ତିଆରି କରିବାକୁ ପଡ଼ିଥାଏ । ଗୁରୁ ସାବାଲି ହୁଡ଼ାର ଲମ୍ବ ଚାରିଫୁଟ ଏବଂ ଗୋଲେଇ ପ୍ରାୟ ଦୁଇ ଇଞ୍ଚ ହୋଇଥାଏ । ଉକ୍ତ ବାଡ଼ିର ଅର୍ଦ୍ଧ ଅଂଶ ଚାରି କୋଣିଆ ଓ ଅଗ୍ରଭାଗ ମୁନିଆ ହୋଇଥାଏ ଏବଂ ଉପର ଅର୍ଦ୍ଧଅଂଶ ଗୋଲାକାର ଥାଏ । ଉକ୍ତ ବାଡ଼ିର ଅଗ୍ରଭାଗରେ ଏକ ରନ୍ଦ୍ରଥାଏ ଓ ଉକ୍ତ ରନ୍ଦ୍ରରେ ବଙ୍କା ପତଳା ଲୁହା ଦୁଇଖଣ୍ଡ ଲେଖାଏ ଚାରିଖଣ୍ଡ ଲାଗିଥାଏ ।

 

ନୂତନ ବାଡ଼ି ତିଆରି କରିବାକୁ ହେଲେ ତିଆରି କରିବା ଦିନ ଅଭିଷିକ୍ତ ହୋଇଥିବା ଗୁରୁ ଓ ବାଡ଼ି ତିଆରି କରିବା ଲୋହରା (ଜମାର) ଗାଧୋଇ ଶୁଦ୍ଧପୂତଭାବରେ ବାଡ଼ି ତିଆରି କରିଥାନ୍ତି ଓ ବାଡ଼ି ତିଆରି ଶେଷ ହେବାଯାଏ ଉପବାସ ରହିଥାନ୍ତି । ବାଡ଼ି ତିଆରି ଶେଷ ହେଲାପରେ ଦାରନି (ଧରଣୀ ପେନୁଙ୍କ ପୂଜାସ୍ଥଳୀ)କୁ ନେଇ ପୂଜା କରିଥାନ୍ତି ।

 

ଗୁରୁ ହେଲାପରେ ପ୍ରତିବର୍ଷ ମହୁଲ ନୂଆ ଓ ଧାନ ନୂଆ ନବାର୍ଣ୍ଣ ଦେବା ଦିନ କୁକୁଡ଼ାବଳି ଦେଇ ମଦ ଥିପାଇ ଚାଉଳପୁଞ୍ଜି ଦେଇ ଦାରନି ପେନୁଙ୍କୁ ପୂଜା ଦେଇଥାନ୍ତି ।

 

ମାଟିଗୁରୁ ହେଲାପରେ ତାହାଙ୍କୁ କେତେକ ବିଧି ନିଷେଧ ମାନି ଚଳିବାକୁ ହୋଇଥାଏ ଯଥା - ଗୁରୁ ହେବା ପରେ ଦାଢି ଓ ବାଳ କାଟି ନ ଥାନ୍ତି । ଯଦି ବାଢି ଓ ବାଳ କାଟିବାକୁ ଚାହାଁନ୍ତି ତେବେ ଅଭିଷିକ୍ତ ହେବାର ଏକବର୍ଷ ପରେ କାଟି ପାରନ୍ତି । ଅନ୍ୟ ରୋଷେଇରେ ଖାଇବା ଗୁରୁଙ୍କ ପାଇଁ ନିଷେଧ । ଯଦି ବନ୍ଧୁଘରକୁ ଯାଆନ୍ତି ତେବେ ସେ ନିଜେ ରୋଷେଇ କରନ୍ତି କିମ୍ବା ଜଣେ ସ୍ୱଜାତୀୟ ବ୍ୟକ୍ତି ଗାଧୋଇ ଅଲଗା ରୋଷେଇ କଲେ ଖାଇଥାନ୍ତି । କେଢୁ ବା ମାଟିପୂଜା କରିବା ପାଇଁ ଅନ୍ୟ ଗ୍ରାମକୁ ଗଲେ ଝାଙ୍କରଙ୍କ ଘର ବ୍ୟତୀତ ଅନ୍ୟତ୍ର ଖାଇ ନ ଥାନ୍ତି ।

 

(ବାର୍ତ୍ତାଉର୍ମି ୧୯୯୨ ମାର୍ଚ୍ଚ-ଯୁଲାଇ ସଂଖ୍ୟାରେ ପ୍ରକାଶିତ)

☆☆☆

 

ଝାଙ୍କର ନିଯୁକ୍ତି

 

କନ୍ଧ ଧର୍ମଧାରାରେ ମାଟିଗୁରୁଙ୍କ ପରେ ପୂଜକଭାବରେ ଝାଙ୍କରଙ୍କ ପ୍ରାଧ୍ୟାନ୍ୟ ରହିଛି । ଝାଙ୍କର ଗ୍ରାମର ପୂଜକଭାବରେ ଦାରନି ପେନୁ ବା ମାଟିମାଆଙ୍କ ପୂଜା କରିଥାନ୍ତି । ଝାଙ୍କରଙ୍କ ମୃତ୍ୟୁ ପରେ ନୂତନ ଝାଙ୍କର ନିଯୁକ୍ତି ନିମନ୍ତେ କେତେକ ବିଧିବିଧାନ ପାଳନ କରାଯାଇଥାଏ । ଉକ୍ତ ପ୍ରକ୍ରିୟାକୁ ଜାକେରି ଆଃପା ବା ଝାଙ୍କର ଧରିବା କୁହାଯାଇଥାଏ ।

 

ଜାକେରି ଆଃପା ନିମନ୍ତେ ଗ୍ରାମବାସୀମାନେ ଜଣେ ଗୁରୁଙ୍କୁ ଡ଼ାକିଥାନ୍ତି । ଉକ୍ତ ଗୁରୁ ଗାଁ ମୁଣ୍ଡରେ କିମ୍ବା ମଝି ଦାଣ୍ଡରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ପୁରୁଣା କୁଲାରେ ଅରୁଆ ଚାଉଳ ପୁଞ୍ଜି ଦେଇ ସଳିତା ଜାଳି ପୂଜା କରନ୍ତି ଏବଂ ମଦଥିପାଇଥାନ୍ତି । ପୂଜା କରିବା ସମୟରେ ଗୁରୁଙ୍କ ଦେହରେ ଦେବତା ପ୍ରବେଶ ହୋଇଥାନ୍ତି । ଏହି ସମୟରେ ଗ୍ରାମବାସୀମାନେ ଗୁରୁଙ୍କୁ କହନ୍ତି, ଆମ ଝାଙ୍କର ମରିଯାଇଛି, କିଏ ନୂଆ ଝାଙ୍କର ହେବା ପାଇଁ ଉପଯୁକ୍ତ ବା ଦାରନି ପେନୁ ଯାହାର ପୂଜାରେ ସନ୍ତୁଷ୍ଟ ହେବେ ତାହା ଦରକୁ ଯାଅ । ଏହାପରେ ଗୁରୁ ନାଚି ନାଚି ତାହାଙ୍କ ଦୃଷ୍ଟିରେ ଝାଙ୍କର ହେବାପାଇଁ ଉପଯୁକ୍ତ ବ୍ୟକ୍ତିଙ୍କ ଘରକୁ ଯାଇଥାନ୍ତି । କିମ୍ବା ସେଠାରେ ବସି ପାହାର ନାମ ପ୍ରକାଶ କରିଥାନ୍ତି । ଏହାଦ୍ୱାରା ଗ୍ରାମବାସୀମାନେ ଭାବି ଝାଙ୍କରଙ୍କ ନାମ ଜାଣି ପାରନ୍ତି ଏବଂ ଏକାଠି ବସି ଜାକେରି ଗୁରୁଙ୍କ ବା ଝାଙ୍କର ଧରିବା ଗୁରୁଙ୍କୁ ଡ଼ାକିବା ପାଇଁ ଦିନ ସ୍ଥିର କରିଥାନ୍ତି । ଗୁରୁଙ୍କ ସହ ପରାମର୍ଶ କରି ଜାକେରି ଆଃପା ନିମନ୍ତେ ଦିନ ସ୍ଥିର କରିଥାନ୍ତି ।

 

ନିର୍ଦ୍ଧିଷ୍ଟ ଦିନ ପୂର୍ବରୁ ଗ୍ରାମବାସୀମାନେ ଯାଇ ଜାକେରି ଗୁରୁଙ୍କୁ ନିମନ୍ତ୍ରଣ କରିଥାନ୍ତି । ଗୁରୁ ନିମନ୍ତ୍ରଣ ଗ୍ରହଣ କରି ଜାକେରି ଆଃପା ନିମନ୍ତେ ନିର୍ଦ୍ଦିଷ୍ଟ ଦିନର ପୂର୍ବ ରାତି ସୁଦ୍ଧା ଉକ୍ତ ଗ୍ରାମରେ ଆସି ପହଞ୍ଚିଥାନ୍ତି । ଜାକେରି ଗୁରୁହିଁ ଝାଙ୍କର ଧରାଇଥାନ୍ତି । ଅନ୍ୟ ଗୁରୁ ଝାଙ୍କର ଧରାଇ ପାରି ନଥାନ୍ତି । ଏଣୁ ଜାକେରି ଗୁରୁଙ୍କୁ ଜାକେରି ଆଃପା ନିମନ୍ତେ ନିମନ୍ତ୍ରଣ କରିବା ଦରକାର ହୋଇଥାଏ । ଜାକେରି ଆଃପା ଦିନର ଖର୍ଚ୍ଚ ଗ୍ରାମବାସୀଙ୍କ ମଧ୍ୟରେ ଚାନ୍ଦା ହୋଇ ସଂଗୃହୀତ ହୋଇଥାଏ ।

 

ଯେଉଁ ନଦି ଝାଙ୍କର ଧରାଯାଏ ସେହି ଦିନକୁ ‘‘ପୁନି ଜାକେରି ଆଃପା’’ କୁହାଯାଇଥାଏ । ଉକ୍ତ ଦିନର ପୂଜା ନିମନ୍ତେ ଲୋହରା ଏକ ନୂଆ ଟାଙ୍ଗି, କାତି ଓ ଦାଆ ଦେଇଥାଏ ଏବଂ କୁମ୍ଭାର ଦରନାର ମୁତବକ ନୂଆ ହାଣ୍ଡି ଓ ପୁନିନାନ୍ଦାବା ନୂଆ ମଦ କଳସିଟିଏ ଦେଇଥାଏ । କୁମ୍ଭାର ଓ ଲୋହରା ସେମାନଙ୍କ ଜିନିଷ ଧରି ପହଞ୍ଚିଲେ ନୂଆଁ ଝାଙ୍କର ଘରେ ମଦ ଥିବା ଯାଇଥାଏ ।

 

ଜାକେରି ଆଃପା ଦିନ ନୂତନ ଝାଙ୍କର, ଝାଙ୍କରାଣୀ, ଲୋହରା କୁମ୍ଭାର, ଗାଁର କେତେକ ମୂଖ୍ୟବ୍ୟକ୍ତି ଓ ସେମାନଙ୍କ ସ୍ତ୍ର୍ରୀ ଓ ଜାକେରି ଗୁରୁ ଦାନ୍ତ ନ ଘସି ଉପବାସ ରହନ୍ତି । ଦରକାର ସ୍ଥଳେ ମଦ୍ୟପାନ କରିଥାନ୍ତି । ପୂଜା ଶେଷ ହେଲାପରେ ଦାନ୍ତ ଘଷିଥାନ୍ତି । ସଂଧ୍ୟାତାରା ଉଦୟ ହେବାପରେ ଗୁରୁ, ଝାଙ୍କର, ଝାଙ୍କରାଣୀ ଓ ଉପବାସଥିବା ପୁରୁଷ ଓ ସ୍ତ୍ରୀମାନେ ଗାଧୋଇ ଥାଆନ୍ତି । ଗାଧୋଇ ସାରିଲା ପରେ ନୂଆଁ ‘ଦା’ରେ ଛଣକାଟି ଏବଂ ନୂଆଁ କୁରାଢୀରେ କାଠକାଟି ଆଣନ୍ତି । ଗାଧୋଇ ଫେରିବା ସମୟରେ ପୂଜାନିମନ୍ତେ ଶିଆଳିପତ୍ର ଓ ବେଲପତ୍ର ମଧ୍ୟ ଆଣିଥାନ୍ତି ।

 

ସ୍ନାନସାରି ଘରକୁ ଫେରିଲା ପରେ ତିନୋଟି ନୂଆଁ ଲୁଗା ଓଦାକରି ହଳଦୀ ଲଗାନ୍ତି ଓ ଗୁରୁ ଝାଙ୍କର ଓ ଝାଙ୍କରାଣୀଙ୍କୁ ଖଣ୍ଡିଏ ଲେଖାଏଁ ବିନ୍ଧିବାକୁ ଦିଆଯାଏ । ଅନ୍ୟ ବ୍ୟକ୍ତିମାନେ ଛଣ, କାଠ ଓ ପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ଗୁରୁଙ୍କ ସହ ଝାଙ୍କର ନିଜ ଘରକୁ ଫେରି କୁଟିଣ ଦ୍ୱାରା ନିଜେ ଅନ୍ୟର ସାହାଯ୍ୟ ନନେଇ ଧାନକୁଟି ଏକଦନା ଅରୁଆ ଚାଉଳ ରଖନ୍ତି ।

 

ଜଙ୍ଗଲକୁ ଯାଇଥିବା ବ୍ୟକ୍ତିମାନେ ଛଣ, କାଠ, ଶିଆଳିପତ୍ର, ବେଲପତ୍ର ଧରି ଫେରିଲା ପରେ ସେଗୁଡ଼ିକ ନେଇ ନୂତନ ଝାଙ୍କରଙ୍କ ଘରର ଡ଼ାହାଣପଟ ଓଳି ତଳେ ରଖନ୍ତି । ଏହାପରେ ଅରୁଆ ଚାଉଳ, ଦୀପ, ସଳିତା, ବେଲପତ୍ର, ଶିଆଳିପତ୍ର, ପୁନିନାନ୍ଦା, ନୁଆବଡ଼ି, (ନୂଆଁଡ଼ଙ୍କା) ମଦ, ହଳଦୀଗୁଣ୍ଡ ଏକ କୁଲାରେ ନେଇ ଦାରନି ପେନୁଙ୍କ ଆସ୍ଥାନକୁ ଯାଇଥାନ୍ତି । ସେଠାକୁ ଗୁରୁ, ଝାଙ୍କର ଓ ଉପବାସୀଙ୍କ ମଧ୍ୟରୁ ବୟୋଗଜ୍ୟେଷ୍ଠ କେତେଜଣ ମଧ୍ୟ ଯାଇଥାନ୍ତି ଓ ଦାରନି ପେନୁଙ୍କ ପୂଜା କରିଥାନ୍ତି ।

 

ଯେଉଁଠାରେ ପୂର୍ବରୁ ଦାରନି ପେନୁ ପ୍ରତିଷ୍ଠା ହୋଇଥାଏ ସେଠାରେ ପୁଣି ଦାରନି ପେନୁ ସ୍ଥାପନ କରିବାକୁ ପଡ଼ି ନଥାଏ । କେତେକ ସ୍ଥଳରେ ଗୋଟିଏ ସ୍ଥାନ ଛାଡ଼ି ଅନ୍ୟ ଜାଗାରେ ବସବାସ କରୁଥିବା କନ୍ଧମାନେ ନୂତନଭାବରେ ଦାରନି ପେନୁ ସ୍ଥାପନ କରି ନୂତନ ଝାଙ୍କର ନିଯୁକ୍ତି କରିଥାନ୍ତି । ସେହି କ୍ଷେତ୍ରରେ ବି ଉପରୋକ୍ତ ବିଧି ଅନୁସୃତ ହୋଇଥାଏ । ଗାଁର ଉପର ମୁଣ୍ଡରେ ଅର୍ଥାତ୍‌ ଯେଉଁ ଦିଗରୁ ପାଣି ତଳକୁ ଗଡ଼ିଆସିଥାଏ ସେହି ଦିଗରେ ଏକ ସ୍ଥାନ ଦାରନି ପେନୁ ସ୍ଥାପନ ନିଯୁକ୍ତି ନିରୂପିତ ହୋଇଥାଏ । ସାଧାରଣତଃ ୠତୁମତୀ ସ୍ତ୍ରୀମାନେ ଚଢାଗତ କରି ପାରୁ ନଥିବା ସ୍ଥାନହିଁ ଦାରନି ପେନୁଙ୍କ ଆସ୍ଥାନ ନିମନ୍ତେ ସ୍ଥିର କରାଯାଇଥାଏ ।

 

ଜାକେରି ଆଃପାର ପୂର୍ବଦିନ ଦାରନି ପେନୁ ସ୍ଥାପନ କରାଯାଇଥାଏ । ଦାରନି ପେନୁ ସ୍ଥାପନ ନିମନ୍ତେ ଚାରିପଟେ ଲମ୍ବା ଓ ପତଳା ପଥର ଦରକାର ହାଇଥାଏ । ସେଥିମଧ୍ୟରୁ ତଳେ ଏକ ପଥର ରଖି ତାହାର ତିନି ଦିଗରେ ତିନୋଟି ପଥର ପୋତାଯାଏ । ଉପରକୁ ପଥର ଆନୁମାନିକ ଏକଫୁଟ ରହିଥାଏ । ସାଧାରଣତଃ ଦକ୍ଷିଣ ବା ପଶ୍ଚିମ ଦିଗକୁ ଦାରନିର ମୁହଁ ରହିଥାଏ । ଅଠର ମୁଠା (ଉଦୟଗିରି ଓ ରାଇକିଆ) ଅଞ୍ଚଳରେ ଦାଣ୍ଡପିଣ୍ଡାରେ ଦାରନିପେନୁ ସ୍ଥାପନ କରିଥାନ୍ତି ଏବଂ ତଳେ ଦିଆଯାଇଥିବା ପଥର ତଳେ ନନ୍ଦେଇ ଉପରେ ଥୋଇଥାନ୍ତି । ପୂଜା ପରେ ଦାରନି ପେନୁଙ୍କ ଆସ୍ଥାନ ଭିତରକୁ କୁକୁଡ଼ା ଆଦି ନ ପଶିବା ପାଇଁ ଅନ୍ୟ ପଥର ଦ୍ୱାରା ମୁହଁ ବନ୍ଦ କରିଥାନ୍ତି । ବଉଦ ଅଞ୍ଚଳରେ ଗାଁ ଦାଣ୍ଡରେ ଏକ କାଠ ପୋତି ଗ୍ରାମ ଦେବତୀ ବା କନ୍ଧଣୀ ଦେଇ ନାମରେ ପୂଜା କରିଥାନ୍ତି ।

 

ଦାରନି ପ୍ରତିଷ୍ଠା ଦିନ ପୂଜା ନିମନ୍ତେ କାଞ୍ଜିଆ ଅଣ୍ଡା, ମଦ, ଅରୁଆଚାଉଳ, ହଳଦୀଗୁଣ୍ଡ, ବେଲପତ୍ର ଓ ଶିଆଳିପତ୍ରରେ ହଳଦୀମିଶା ଅରୁଆ ଚାଉଳ ପୁଞ୍ଜି ବଢାଯାଏ ଏବଂ ତା’ ଉପରେ କାଞ୍ଜିଆ ଅଣ୍ଡା ରଖି ପୂଜା କରାଯାଏ । କୁକୁଡ଼ା ଓ ଘୁଷୁରୀ ବଳି ଦିଆଯାଏ । ବଳି କୁକୁଡ଼ା ଓ ଘୁଷୁରୀ କଲିଜା ବାହାର କରି ନିଆଁରି ପୋଡ଼ି ନଖରେ ଝିଣାଇ ପ୍ରତି ଦେବତାଙ୍କ ନାମ ଧରି ସମର୍ପଣ କରାଯାଇଥାଏ ।

 

ଦାରନି ପେନୁ ସ୍ଥାପନ ପ୍ରକ୍ରିୟା ଶେଷ ହେଲା ପରେ ଗାଁର ତଳ ମୁଣ୍ଡରେ ଗୋଟିଏ ପଥର ପୋତି ତାହାର ମୂଳରେ କିଛି ଛୋଟ ପଥର ଗଦା କରାଯାଏ ଏବଂ ଉପରୋକ୍ତ ପ୍ରକ୍ରିୟାରେ ପୂଜା କରାଯାଇଥାଏ । ଏହି ପଥରକୁ ମାଲେବାଡ଼ି ସାଇନାରା (ତଲନିଆଁ) କୁହାଯାଇଥାଏ । ଗାଁର ଉପର ମୁଣ୍ଡରେ ଦାରନି ପେନୁ ଓ ତଳ ମୁଣ୍ଡରେ ମାଲେବାଡ଼ି ଗାଁକୁ କରି ରହନ୍ତି ବୋଲି କନ୍ଧମାନଙ୍କ ବିଶ୍ୱାସ ।

 

ଦାରନି ପେନୁଙ୍କ ପୂଜା ସାରି କୁଲାରେ ବଳିଥିବା ଚାଉଳ ଇତ୍ୟାଦି ଧରି ଝାଙ୍କର ଘରକୁ ଫେରନ୍ତି । ଫେରିଲାବେଳେ ଦାରନି ପେନୁଙ୍କ ଆସ୍ଥାନଠାରୁ ସଳିତା ଜଳାଇ କୁଲାରେ ଧରି ଝାଙ୍କର ସମସ୍ତଙ୍କ ଆଗରେ ଚାଲିଥାନ୍ତି ସମସ୍ତଙ୍କ ପଛରେ ଗୁରୁ ସମସ୍ତ ଦେବତାଙ୍କୁ ଚାଲ ଚାଲ କହି ଝାଙ୍କରଙ୍କ ଘରଯାଏ ଆସନ୍ତି । ସେମାନେ ପୂଜା ସାରି ଆସିବା ପୂର୍ବରୁ ଅନ୍ୟ ଉପବାସୀମାନେ ଝାଙ୍କରଙ୍କ ଆଗରୁ ଜଙ୍ଗଲରୁ ଆଣିଥିବା କାଠ ଓ ଛଣ ଦ୍ୱାରା କୁଡ଼ିଆଟିଏ କରିଥାନ୍ତି । ତାହାକୁ ଜାକେରି ପେନୁ କୁଡ଼ି କୁହାଯାଏ ।

 

ଗୁରୁ ଝାଙ୍କର ଓ ଅନ୍ୟମାନେ ଫେରି ଉକ୍ତ କୁଡ଼ିର ମଧ୍ୟରେ ଏକ ଲମ୍ବା ପଥର ଜାକେରି ପେନୁଙ୍କ ପ୍ରତିମୂର୍ତ୍ତିଭାବରେ ସ୍ଥାପନ କରି ଉପରୋକ୍ତ ବଳକା ପୂଜା ଉପକରର ଓ ଚାଉଳ ଚୁନାର ପିଠା (ମଣ୍ଡା) ସହ ପୂଜା କରନ୍ତି ଏବଂ ଛେଳି ବଳି ଦେଇଥାନ୍ତି ଏବଂ ଉକ୍ତ କୁଡ଼ିଆ ମଧ୍ୟରେ ସମସ୍ତ ଦେବତାଙ୍କୁ ଡ଼ାକି ରହିବାକୁ ଅନୁରୋଧ କରନ୍ତି ।

 

ବଳି ଦିଆଯାଇଥିବା ଛେଳିର ଗୋଟିଏ ଲେଖାଏଁ ଫଡ଼ିଆ କୁମ୍ଭାର ଓ ଲୋହରାକୁ ଚାଉଳ ସହିତ ଦିଆଯାଇଥାଏ । ସେମାନେ ସେହି ଗାଁ ରେହିଁ ତାହା ରାନ୍ଧି ଖାଇଥାନ୍ତି । ଉକ୍ତ ମାଂସ ଗାଁ ବାହାରକୁ ନେବା ନିଷେଧ । ବଳକା ମାଂସ ଓ ଭାତ ଝାଙ୍କରଙ୍କ ଅଗଣାରେ ରାନ୍ଧି ସମସ୍ତ ଉପବାସୀ ଗୁରୁ ଝାଙ୍କର ଓ ଝାଙ୍କରାଣୀ ଖାଇଥାନ୍ତି । ଖାଇବା ପୂର୍ବରୁ ଦାନ୍ତ ଘଷନ୍ତି ଭୋଜନ ଶେଷରେ ଗୁରୁ ଉକ୍ତ କୁଡ଼ିଆରେ ଶୋଇଥାନ୍ତି ଓ ଅନ୍ୟମାନେ ବାହାରେ ଶୁଅନ୍ତି ।

 

ତା ପରଦିନ ପୂର୍ବଦିନ ପରି ସମସ୍ତେ ଦାନ୍ତ ନଘସି ଉପବାସ ରହିଥାନ୍ତି । ସନ୍ଧ୍ୟାତାରା ଉଦୟ ହେଲା ପରେ ସାନସାରି ଆସି ଝାଙ୍କରଙ୍କ ରନ୍ଧାଘର ଐଶାନ୍ୟ କୋଣରେ ପୂଜା ଆରମ୍ଭ ହୁଏ । ସେଠାରେ କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନଥାଏ । ବିବାହବେଳେ ଦରବରେ ଯେଉଁ କଣ୍ଢେଇ ଆଦି ଯାଇଥାଏ ସେ ସବୁ ଯଦିଥାଏ, ତାହା ନେଇ ପୂଜା ସ୍ଥାନରେ ରଖାଯାଇଥାଏ । ନଚେତ୍‌ ଅନ୍ୟ କୌଣସି ଜିନିଷ ପୂଜାସ୍ଥାନରେ ରଖାଯାଇ ନଥାଏ । ଏହି ଦିନ ପୂଜା ଶେଷଯାଏ ମଦ୍ୟପାନ କରିବା ମଧ୍ୟ ନିଷେଧ ।

 

ଉକ୍ତ ଦିନର ପୂଜା ନିମନ୍ତେ କ୍ଷୀର, ଅରୁଆ ଚାଉଳ, ହଳଦୀ ଗୁଣ୍ଡ, ବେଲପତ୍ର, ଶିଆଳିପତ୍ର ଦରକାର ହୋଇଥାଏ । ବେଲପତ୍ର ଓ ଶିଆଳି ପତ୍ରରେ ହଳଦୀମିଶା ଅରୁଆ ଚାଉଳ ପୁଞ୍ଜି ବାଢି ତା ଉପରେ କିଛି କ୍ଷୀର ଢାଳି ପୂଜା କରାଯାଏ ଏବଂ ଏହାପରେ କୁକୁଡ଼ା ବଳି ଦିଆଯାଇ ପୂର୍ବପତ୍‌ ସେମାନଙ୍କ କଲିଜା ପୋଡ଼ି, ନଖରେ ଛିଣ୍ଡାଇ ଦେବତାମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ ।

 

କନ୍ଧମାନଙ୍କ ପ୍ରତ୍ୟେକ ପୂଜାରେ ପ୍ରାୟ ପୁଞ୍ଜି ଦେଇ ପୂଜା ହୋଇଥାଏ ଏବଂ ବଳି ପଡ଼ିଥାଏ । ବଳି ପଶୁକୁ ବଳି ଦେବା ପୂର୍ବରୁ ହଳଦୀ ପାଣିରେ ଆଉଁଷିଦେଇ ପୁଞ୍ଜି ଚାଉଳ ଖାଇବାକୁ ଦିଆଯାଇଥାଏ । ବଧ୍ୟ ପଶୁ ଆପେ ଆପେ ପୁଞ୍ଜି ଖାଇଥାନ୍ତି । ଯଦି ପୁଞ୍ଜି ନଖାଏ ତେବେ ପୂଜାରେ କୌଣସି ତୃଟି ହୋଇଛି କିମ୍ବା କୌଣସି ଦେବତାଙ୍କୁ ଛାଡ଼ି ଦିଆଯାଇଛି ବୋଲି ମେନ କରାଯାଏ ଏବଂ ବଧ ପଶୁକୁ ହାତରେ ପୁଞ୍ଜି ଖୁଆଇ ଦିଆଯାଇ ବଳି ଦିଆଯାଇଥାଏ । ଏହାପରେ ବଳି ପଶୁର କଲିଜା ବାହାର କରି ନିଆଁରେ ପୋଡ଼ି ନଖରେ ଛିଣ୍ଡାଇ ପ୍ରତ୍ୟେକ ଦେବତାଙ୍କ ନାମରେ ଅର୍ପଣ କରାଯାଇ ମଦ ଥିପାଯାଇଥାଏ ।

 

ଘରେ ପୂଜା ସାରିବା ପରେ ମଦ ଥିପାଇଥାନ୍ତି । ଏହା ପରେ ଆବଶ୍ୟକସ୍ଥଳେ ମଦ୍ୟପାନ କରାଯାଇପାରେ । ଘର ଭିତରେ କବାଟ ମେଲା କରି କେବଳ ଝାଙ୍କର ଝାଙ୍କରାଣୀ ରହନ୍ତି । ଗୁରୁଙ୍କ ବ୍ୟତୀତ ବାହାରେ ଥିବା ଅନ୍ୟମାନେ ଠେଙ୍ଗା ବାଡ଼ିଧରି ଚୁପ୍‌ ହୋଇ ରହିଥାନ୍ତି । ଗୁରୁ ସମସ୍ତ ଦେବତାଙ୍କ ନାମ ଧରି ଚାଲ ଚାଲ କହି ଘରକୁ ପାଛୋଟି ନେଇଥାନ୍ତି । ଏବଂ ପୁନର୍ବାର ବାହାରକୁ ଆସି ଦେବତା ବାହାରେ ରହିଲେ କି ଦେଖି ‘ସମସ୍ତ ଦେବତା ଘର ଭିତରକୁ ଗଲେଣି’ ବୋଲି କବାଟ ବନ୍ଦ କରି ଦିଅନ୍ତି । ଠିକ୍‌ ଏହି ସମୟରେ ବାହାରେ ଠେଙ୍ଗା ବାଡ଼ିଧରି ଅପେକ୍ଷା କରିଥିବା ଲୋକେ ଜାକେରି ପେନୁଗୁଡ଼ିକରେ ପୁଣି ପୁର୍ବଦିନର ପୂଜା ହୋଇଥିବା ପିଠା ଖାଇ ‘ଚୋର ଚୋର’ ପାଟି କରି ଉକ୍ତ କୁଡ଼ିଆକୁ ଭାଙ୍ଗି ଦିଅନ୍ତି । କେବଳ ଜାକେରିପେନୁଙ୍କ ପ୍ରତିମୂର୍ତ୍ତି ପଥରଟି ଥାଏ । କୁଡ଼ିଆଟି ଭାଙ୍ଗିଗଲେ ଦେବତାମାନେ ଆସି ସେଠାରେ ରହି ନପାରି ଘର ଭିତରକୁ ଯିବା ପାଇଁ ବାଧ୍ୟହେବେ ବୋଲି କନ୍ଧମାନଙ୍କ ଧାରଣା । ଏହି ପ୍ରକ୍ରିୟା ଶେଷ ହେଲା ବେଳକୁ ପ୍ରାୟ ମଧ୍ୟରାତ୍ରୀ ହୋଇ ଯାଇଥାଏ ।

 

ଉକ୍ତ ପୂଜାରେ ଟଣାପେନୁ (ମାଟି ଦେବତା) ସୁଗାପେନୁ (ଚୁଆଁ ଦେବତା) ଧର୍ମାପେନୁ (ସୁର୍ଯ୍ୟ ଦେବତା) ଓ ଅନ୍ୟ ସମସ୍ତ ଦେବତାଙ୍କୁ ଅବାହନ କରି ପୂଜା ଦିଆଯାଇଥାଏ । ଝାଙ୍କରଙ୍କ ଘରେ କୋଣ ଦେବତାଙ୍କୁ ମଧ୍ୟ ପୂଜା ଦିଆଯାଇଥାଏ । ଘରେ ସମସ୍ତ ଦେବତାଙ୍କୁ ମଦଥିପାଇଁ କ୍ରମ ଅନୁସାରେ ଆସ୍ଥାନ ଦିଆଯାଏ ।

 

ପୂଜା ଶେଷରେ ଘରର ଏକ କୋଣରେ ଗାତଟିଏ ଖୋଳାଯାଏ । ଗଳି ପଶୁକୁ ଘର ଭିତରେ କାଟି ଅଦରକାରୀ ଜିନିଷରୁ ଖଣ୍ଡିଏ ମଧ୍ୟ ନ ପକାଇ ଉକ୍ତ ଗାତରେ ପୋତାଯାଇଥାଏ । ଉକ୍ତ ଖାଦ୍ୟ ଜିନିଷ ଉପବାସୀ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟମାନେ ଖାଇବା ମନା । ଖାଇବା ଶେଷ ହେବାଯାଏ ଘର ଭିତରୁ କୌଣସି ଲୋକ ବାହାରକୁ ବାହାରି ନଥାନ୍ତି ।

 

ଏହି ପୂଜା ଶେଷ ହେଲା ପରେ ଝାଙ୍କରଭାବେ ନିଯୁକ୍ତି ପାଉଥିବା ବ୍ୟକ୍ତି ଝାଙ୍କରଭାବରେ ସ୍ୱୀକୃତ ହୋଇଥାନ୍ତି ଓ ସମ୍ମାନ ପାଇଥାନ୍ତି । ଯେଉଁଦିନ ଗ୍ରାମରେ ଦାରନି ପେନୁ ପୂଜା ହୋଇଥାଏ ସେହି ଦିନ ଝାଙ୍କର ଝାଙ୍କରାଣୀ, ଦେହୁରୀ ଓ ଦେହେରାଣୀ ଉପବାସ ରହିଥାନ୍ତି । ଗାଁରେ ନୂଆଁ ଦିଆଗଲେ ପ୍ରଥମେ ଦାରନି ପେନୁ ଏବଂ ଝାଙ୍କର ଘର ଓଳିତଳେ ଥିବା ଜାକେରି ପେନୁଙ୍କଠାରେ ନୂଆଁ ଦିଆଯାଇ ଝାଙ୍କରଙ୍କ ଦ୍ୱାରା ପୂଜା ହୋଇ ଥାଏ । ଗ୍ରାମର ଅନ୍ୟାନ୍ୟ ପୂଜା ସମୟରେ ଝାଙ୍କର ନିଜ ହାତରେ ଅରୁଆ ଚାଉଳ କୁଟି ଦେଇଥାନ୍ତି ।

 

ଜାକେରି ଆଃପା ଦିନ ଝାଙ୍କରଙ୍କ ସହିତ ତାହାଙ୍କ ସାହାଯ୍ୟ କାରୀଭାବରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେଇଥାନ୍ତି । ଜାକେରି ଆଃପା ଦିନ ଦେହୁରୀ ଓ ଦେହେରାଣୀ ମଧ୍ୟ ଉପବାସ କରିଥାନ୍ତି ଓ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥାନ୍ତି । ଉକ୍ତ ଦିନ ଗୁରୁ ସେମାନଙ୍କୁବି ନୂଆଁ ହଳଦୀଆ ଲୁଗା ପିନ୍ଧିବାକୁ ଦେଇଥାନ୍ତି । ଝାଙ୍କରଭାବରେ ସ୍ୱୀକୃତ ପାଇଲା ପରେ ତାହାଙ୍କୁ କେତେକ ବିଧି ନିଷେଧ ମାନି ଚଳିବାକୁ ହୋଇଥାଏ । ସେହି ବିଧି ନିଷେଧ ଝାଙ୍କରାଣୀଙ୍କ ପାଇଁବି ପ୍ରଜୁଯ୍ୟ ହୋଇଥାଏ ।

 

୧) ନିଜ ପାକ ବ୍ୟତୀତ ଅନ୍ୟ ପାକରେ ଖାଇବା ସଂପୂର୍ଣ୍ଣ ନିଷେଧ ।

 

୨) ଯଦି ବନ୍ଧୁ ଘରକୁ ଯିବା ଦରକାର ହୁଏ ତେବେ ନିଜ ଗାଁରୁ ପାଣି ଧରି ଯିବାକୁ ହୁଏ । ସେଠାରେ ନିଜେ ରାନ୍ଧି ଖାଇବାକୁ ହୁଏ । କେତେକସ୍ଥଳେ କୌଣସି ପୁରୁଷ କିମ୍ବା ରଜୋବତୀ ହୋଇ ନଥିବା ବାଳିକା ରାନ୍ଧିଲେ ଖାଇବାର ନିଷେଧ ନାହିଁ ।

 

୩) ଯେଉଁ ଘରେ ରନ୍ଧାଯିବ ସେହି ଘର ଭିତରେହିଁ ଖାଇବାକୁ ହେବ । ଯେଉଁ ବ୍ୟକ୍ତି ରାନ୍ଧିବେ ସେ ରାନ୍ଧିବା ପୂର୍ବରୁ ସ୍ନାନ କରି ଶୁଦ୍ଧପୁତ ହୋଇ ପୂର୍ବରୁ ଧୁଆଁ ହୋଇଥିବା ଲୁଗା ପିନ୍ଧି ରୋଷେଇ କରିବେ ।

 

ଉପରୋକ୍ତ ପ୍ରକ୍ରିୟା ଜାକେରି ଜୂଲା ହେବାଯାଏ ପାଳିବାକୁ ହୋଇଥାଏ । ବର୍ଷକ ପରେ ବା ଅସୁବିଧାସ୍ଥଳେ ଦୁଇ ତିନି ବର୍ଷ ପରେ ଉପରୋକ୍ତ ପ୍ରଣାଳୀରେ ପୂଜା କରିବାକୁ ଜାକେରି ଜୂଲା କୁହାଯାଏ । କିନ୍ତୁ ପ୍ରଥମ ପୂଜା ଯେଉଁ ସମୟରେ ହୋଇଥାଏ । ସେହି ସମୟରେ ଜାକେରି ଜୁଲା କରାଯାଇଥାଏ । ଜାକେରି ଜୁଲା ସରିଲେ ଅନ୍ୟ ଗାଁର ପାଣି ବ୍ୟବହାର କରି ପାରନ୍ତି ଏବଂ ଅନ୍ୟ ଘର ରୋଷେଇରେ ଖିଆଯାଇ ପାରେ ।

☆☆☆

 

ବଳଦବଳି

 

କନ୍ଧ ସମାଜରେ ଅଧିକାଂଶ ପୂଜା ପାର୍ବଣ ଗୋଷ୍ଠୀଗତ । ସର୍ବ ସାଧାରଣ ମଙ୍ଗଳ କାମନା, ଉତ୍ତମ ଫସଲ ଗୃହପାଳିତ ପଶୁଙ୍କ ସୁରକ୍ଷା ତଥା ଆରୋଗ୍ୟ କାମନା କରି ପୂଜା ପାର୍ବଣ ଗୁଡ଼ିକ କରାଯାଇଥାଏ । ପ୍ରତି ପର୍ବସହ କୌଣସି ନା କୌଣସି ଦେବ ଦେବୀଙ୍କୁ ପୂଜା କରାଯାଇଥାଏ ଏବଂ ତାହା ସହିତ ଅନ୍ୟ ସମସ୍ତ ଦେବ ଦେବୀ ଓ ପିତୃପୁରୁଷଙ୍କର ବି ଆରାଧନା କରାଯାଇଥାଏ ।

 

ମଣିଷର ମୃତ୍ୟୁପରେ ଆତ୍ମା ପିତୃପୁରୁଷ ବା ପିଦେରିଙ୍କସହ ସାମିଲ ହୋଇଥାଏ । ଏଥିରୁ ଆତ୍ମା ଅବିନଶ୍ୱର ଏବଂ ହିନ୍ଦୁଙ୍କ ପିତୃଲୋକ ପରି କନ୍ଧଙ୍କ ପିଦେରି ବିଶ୍ୱାସ ଥିବା ଜଣାଯାଏ । ଏହି ପିଦେରି ବା ମୃତ ପିତୃପୁରୁଷଙ୍କ ଆତ୍ମାମାନେ ବି ସମୟେ ସମୟେ କୌଣସି କାରଣରୁ କୁପତ ହୋଇ ମଣିଷମାନଙ୍କ କ୍ଷତି ସାଧନ କରିଥାନ୍ତି ବୋଲି କନ୍ଧ ସମାଜରେ ବିଶ୍ୱାସ ରହିଛି । ଏଣୁ ପିତୃପୁରୁଷଙ୍କ ଦ୍ୱାରା କୌଣସି ଅନିଷ୍ଟ ହେଉଥିବା ବିଶ୍ୱାସ କରାଗଲେ ବଳଦବଳି ଦେଇ ‘‘କଡ଼ିଲାକା’’ ବା ଗୋରୁପୂଜା ପର୍ବ ପାଳନ କରିଥାନ୍ତି । ଏହି ପୂଜା ଏକ ପାରିବାରିକ ପୂଜା । ଏହା ଗୋଷ୍ଠୀଗତ ପୂଜା ନୁହେଁ ।

 

ଏହି ପୂଜାକୁ କନ୍ଧ ସମାଜରେ ପିତୃଶ୍ରଦ୍ଧା ଭାବରେ ଗ୍ରହଣ କରାଯାଇପାରେ । ଏହିପରି ପିତୃଶ୍ରଦ୍ଧା ଅନ୍ୟାନ୍ୟ ଆଦିବାସୀ ସଂପ୍ରଦାୟରେ ବି ପ୍ରଚଳିତ ଥିବା ଜଣାଯାଏ । ଶବର ସଂପ୍ରଦାୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମଇଁଷି ବଳିଦେଇ ପ୍ରତି ତିନି ବର୍ଷରେ ‘‘ଲିମ୍ବ ଭୋଜି’’ ପାଳିତ ହୋଇଥାଏ । ଗଦବା ଗୋଷ୍ଠୀରେ ତିନିବର୍ଷ ବ୍ୟବଧାନରେ ମଇଁଷି ବଳି ଦେଇ ପିତୃପୁରୁଷଙ୍କ ପୂଜା କରାଯାଏ । ଭୁୟାଁ ସମାଜରେ ପାଣ ଦ୍ୱାରା ଭାତ ଓ କୁକୁଡ଼ା ବଳିଦେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଭୁତ ପୁଜା କରାଯାଏ । ସେହିପରି ହୋ ଗୋଷ୍ଠୀରେ ପିତୃପୁରୁଷଙ୍କ ପ୍ରତୀକ ଭାବରେ ହେପ୍ରୋମଙ୍କଠାରେ ପ୍ରତିଦିନ ଭାତ ପୂଜା କରାଯାଏ ଏବଂ ସମୟେ ସମୟେ କୁକୁଡ଼ା ବଳି ଦିଆଯାଏ ।

 

‘‘କଡ଼ିଲାକା’’ ପାଳନ ନିମନ୍ତେ କନ୍ଧ ସମାଜରେ ନିର୍ଦ୍ଧିଷ୍ଟ ସମୟସୀମା ନାହିଁ । କୌଣସି ପରିବାରରେ ଦୀର୍ଘଦିନ ରୋଗବ୍ୟାଧି ଲାଗି ରହିଲେ ଏବଂ ପାରମ୍ପରିକ ରୀତିରେ ଗୁଣି ଚାରେଡ଼ି ଦ୍ୱାରା କିମ୍ବା ଔଷଧ ପ୍ରୟୋଗ ଦ୍ୱାରା ଆରୋଗ୍ୟ ନ ହେଲେ କାରଣ ଜାଣିବା ନିମନ୍ତେ ଗୁରୁ ଗୁଣିଆଙ୍କ ଆଶ୍ରୟ ନିଆଯାଇଥାଏ । ଗୁରୁଗୁଣିଆ ଦାଆ ହଲାଇ (ଏହି ପଦ୍ଧତିକୁ ଦୀପଦେଖା ବି କୁହାଯାଏ) କିମ୍ବା ଚାଉଳ ପକାଇ ଦେବତାମାନଙ୍କ ନାମରେ ଯୋଡ଼ା ଯୋଡ଼ା ଚାଉଳ ପକାଇଥାନ୍ତି । ଯେଉଁ ଦେବତାଙ୍କ ନାମରେ ଶେଷ ଯୋଡ଼ା ଚାଉଳ ପଡ଼େ ସେହି ଦେବତାଙ୍କ ଅସନ୍ତୋଷରୁ ଉପରୋକ୍ତ ଦୁର୍ଦ୍ଦଶା ପଡ଼ିଥିବା ବିଶ୍ୱାସ କରାଯାଏ ଏବଂ ତାହାଙ୍କ ସନ୍ତୋଷ ବିଧାନ ଲାଗି ଆବଶ୍ୟକ ପୂଜା କରାଯାଏ । କିନ୍ତୁ ଯୋଡ଼ା ଯଦି ପିତୃପୁରୁଷ ବା ପିଦେରି ପିତାଙ୍କ ନାମରେ ପଡ଼େ ତେବେ ‘‘କଡ଼ିଲାକା’’ ପାଳନ ପାଇଁ ନିଷ୍ପତ୍ତି ନିଆଯାଏ । କେତେକ କ୍ଷେତ୍ରରେ ଗୁରୁ ଦେବତା ମାଡ଼ି (କାଳେସୀଲାଗି) କେଉଁ ଦେବତାଙ୍କ କୋପରୁ କ୍ଷତି ଘଟୁଛି କହନ୍ତି । ଯଦି ପିଦେରି ପିତାଙ୍କ ଦ୍ୱାରା ଅନିଷ୍ଟ ହେଉଥିବା ଜଣାଯାଏ ତେବେ କଡ଼ିଲାକା କରାଯିବା ପାଇଁ ମାନସିକ କରାଯାଇ କୁହାଯାଏ ।

 

ଏଙ୍ଗା ପାତାମୁ ଜାତାମୁ କେଲେ ପ୍ରାସା ନାଙ୍ଗା ନିସେଲୁ ଦାଃପା ଦୁଃପି ଗିନି ଟୁକୁନା ।

 

ଅର୍ଥ–ଆମର ଦାଆ ଛୁରୀ ଯାହା ଅଛି ତୁମ ଜିନିଷ: ପାଇଲା ଯାଏ ଜଗି ରହ । ଆମ ଦେହରୁ ରୋଗ ଆରୋଗ୍ୟ କର ।

 

ଯଦି ମାନସିକ କଲାପରେ ସମ୍ପର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି ତେବେ ଗୋରୁ ପୂଜା କରାଯାଇଥାଏ । ଏପରି କ୍ଷେତ୍ରରେ ଆକ୍ରାନ୍ତ ପରିବାର ହିଁ ବଳଦ କିଣିଥାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଯଦି ଗୁରୁ କହେ ଯେ ପିତୃଲୋକ ଜ୍ୱାଇଁର ବଳଦ ଚାହୁଁଛନ୍ତି ସେପରି ସ୍ଥଳେ ଜ୍ୱାଇଁ ଘରୁ ବଳଦଟିଏ ଆଣି ପୂଜା କରାଯାଇଥାଏ । ଏହି ପୂଜା ନିମନ୍ତେ କେବଳ ହଡ଼ା ବଳଦ ହିଁ ଲାଗିଥାଏ । ଝିଅର ଗଣ୍ଠି (କନ୍ୟାମୂଲ୍ୟ) ସ୍ଥିର ହେଲାବେଳେ ପିତୃଲୋକଙ୍କ ପାଇଁ ଏକ ହଡ଼ାବଳଦ ଦିଆଯାଇଥାଏ । କିନ୍ତୁ ସେହି ବଳଦଟି ଯାହା ‘‘କଡ଼ିଲାକା’’ରେ ପୂଜା ନିମନ୍ତେ ଅଣାଯାଏ, ତାହା ଆଗରୁ ଗଣ୍ଠି ମଧ୍ୟରେ ଛିଣ୍ଡି ନ ଥାଏ ।

 

‘‘କଡ଼ିଲାକା’’ ନିମନ୍ତେ ଗୋରୁ କିଣିବା ସମୟରେ କୁକୁଡ଼ା ଗୋଟିଏ ଏବଂ ଏକ ତୁମ୍ବା ମଦ ରାନ୍ଧି ରଖାଯାଏ । ପୂର୍ବରୁ ଏହି ପୂଜା ଗୋଟିଏ ଗୋରୁ ବଦଲରେ ବନ୍ୟଜନ୍ତୁ ବ୍ୟବହୃତ ହେଉଥିଲା । ବନ୍ୟଜନ୍ତୁଙ୍କ ପରିମାଣ ହ୍ରାସ ତଥା ବନ୍ୟଜନ୍ତୁ ଧରିବା ଅସୁବିଧା ଦୃଷ୍ଟିରୁ ଗୋରୁ ପ୍ରଚଳିନ କରାଗଲା । ବର୍ତ୍ତମାନ କେତେକ କ୍ଷେତ୍ରରେ ଛେଳି ବଳିଦେଇ ବି ପୂଜା କରାଗଲାଣି ।

 

ପୂଜା ସରଞ୍ଜାମ ସଂଗୃହିତ ହେଲାପରେ ଗୁରୁ ବା ପୁରୋହିତଙ୍କୁ ନିମନ୍ତ୍ରଣ କରାଯାଏ । ଏହି ପୂଜା ନିମନ୍ତେ ପାଣ ଜାତିର ଗୁରୁଙ୍କ ଆବଶ୍ୟକତା ପଡ଼ିଥାଏ । ଯଦି ପାଣ ଜାତିର ଗୁରୁ ମିଳନ୍ତି ନାହିଁ ସେପରି ସ୍ଥଳେ ଜଣେ ପୂଜା ଜାଣିଥିବା ବୟସ୍କ କନ୍ଧଙ୍କ ଦ୍ୱାରା ଉକ୍ତ ପୂଜା କରାଯାଇଥାଏ । ଗୁରୁଙ୍କ ସୁବିଧା ଅନୁସାରେ ସୋମବାର, ବୁଧବାର କିମ୍ବା ଶୁକ୍ରବାର ପୂଜା ନିମନ୍ତେ ସ୍ଥିର କରାଯାଏ ।

 

ପୂଜା ପୂର୍ବଦିନରୁ ଯେଉଁ ପରିବାରରେ ପୂଜା ହେବ ତାହାଙ୍କ ଘରଦ୍ୱାର ଲିପାପୋଛା ଏବଂ ଲୁଗାପଟା ସଫାସୁତରା କରାଯାଇଥାଏ । ସେହି ଦିନଠାରୁ ଉକ୍ତ ପରିବାର ସର୍ବସାଧାରଣ ବ୍ୟବହାର କରୁଥିବା ଜଳାଶୟରୁ ପାଣି ବ୍ୟବହାର କରିବା ପୂରାପୁରି ନିଷେଧ । କାରଣ ପାଣ ଗୁରୁ ସେହି ଘରେ ଗୋରୁ ପୂଜା କରୁଥିବାରୁ ସେମାନଙ୍କୁ ଅଛୁଆଁ ଭାବେ ଗ୍ରହଣ କରିଥାନ୍ତି ।

 

ପୂର୍ବଦିନଠାରୁ ପାଣଗୁରୁ ସେହି ଘରକୁ ଆସି ଅବସ୍ଥାନ କରନ୍ତି । ଗୁରୁ ଆସିଲାପରେ ବଣରୁ ଶିଆଳିପତ୍ର ଆଣିବା ନିମନ୍ତେ ଘରେ ବିଭିନ୍ନ ଦେବାଦେବୀ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମଦ ଥିପା (ଟୋପା ଟୋପା ମଦ ଭୂମିରେ) ଯାଏ । ମଦ ଥିପା ହେଲାପରେ ଗୃହକର୍ତ୍ତା ଶିଆଳି ପତ୍ର ଆଣିବାବେଳେ ଖୋଜି କରି ଏକ ଛୋଟ ଶିଆଳିପତ୍ର ବି ଆଣିଥାନ୍ତି ।

 

ଗୃହକର୍ତ୍ତା ଜଙ୍ଗଲକୁ ଗଲାପରେ ପରିବାରର ଅନ୍ୟ ସମସ୍ତେ ଗାଧୋଇ ଲୁଗାପଟା ସଫା କରନ୍ତି ଏବଂ କିଛି ଚାଉଳ ଚୁନା କରନ୍ତି । ଜଙ୍ଗଲରୁ ଆସିଥିବା ଛୋଟ ଶିଆଳପତ୍ର ଚାଉଳ ଚୁନାର ପିଠୋଭରେ ବୁଡ଼ାଇ ଘରର ଭିତର, ବାହାର, କାନ୍ଥ, କବାଟ, ଦ୍ୱାରବନ୍ଧ, ଡ଼ୋଲି ଇତ୍ୟାଦିରେ ଝୋଟି ଦେଇଥାନ୍ତି । ଏହାପରେ ରନ୍ଧାରନ୍ଧି କରି ଖିଆପିଆ କରାଯାଏ ।

 

ସେହିଦିନ ସନ୍ଧ୍ୟାରେ ଏକ ବଙ୍କା ଲାଉ ଡ଼ଙ୍କା (କଙ୍ଗେଡ଼ି ଲୀଳା ବା ବେକଡ଼ିଲାକା) ଜୁଆଳିର ଶେଷ କିମ୍ବା (ଜୁଏଲି କିଳା) ଗଡ଼ି (ଚାଟ ଘର) ଘରେ ଡ଼ୋଲି ନିକଟରେ ରଖି ତା ଉପରେ ମଦ ଢଳାଯାଏ । ପଶୁଗୁରୁ ବହେଲିଇଡ଼ୁ (ଗୁହାଳ ଘର) ଯାହା ଗଡ଼ି ଘରର ବାମକୁ ଲାଗିଥାଏ ତାହାର ପିଣ୍ଡାରେ ବସନ୍ତି । ଘରର ମଧ୍ୟ ଭାଗରେ ମଦ ଓ ଡ଼ଙ୍କା ରଖା ଯାଇଥାଏ । ଏହାପରେ ଡ଼ାଲି ନିକଟରେ ଶିଆଳ ପତ୍ରରେ ଚାଉଳ ବଢାଯାଏ ପିତୃଲୋକଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ । ଏହି ସମୟରେ ପୂଜା ନିମନ୍ତେ ଉଦ୍ଦିଷ୍ଟ ହଡ଼ା ବଳଦଟି ଗୁହାଳ ଘରେ ବନ୍ଧା ଯାଇଥାଏ ।

 

ଏହାପରେ ପୂଜା ହୋଇଥିବା ବଙ୍କାଡ଼ଙ୍କା ଓ ଜୁଆଳି କିଳା ଏକାଠି ଧରି ଗୁରୁ ସେହି ଘରର ପିତୃପୁରୁଷମାନଙ୍କୁ ଗୋଟିଏ ଗୋଟିଏ ନାମଧରି ବଳଦ ମୁଣ୍ଡରେ ପଛ ପାଖରେ ଧୀରେ ଧୀରେ ବାଡ଼େଇଥାନ୍ତି । ସେହି ଘରର ପିତୃପୁରୁଷଙ୍କ ନାମ ସରିଲେ ସେମାନଙ୍କ ନାମରେ ମଦ ଥିପାଇ କିଛି ମଦ୍ୟପାନ କରନ୍ତି । ଏହିପରି ଭାବରେ କ୍ରମାନ୍ୱୟରେ ପଡ଼ିଶାଘର, ସାହିରେ, ଆଖପାଖ ସାହିରେ, ମାମୁଁଘର, ଶ୍ୱଶୁର ଘର, ବନ୍ଧୁବାନ୍ଧବ ଘର, ସଙ୍ଗାତ ମଇତ୍ର ଘରର ପିତୃପୁରୁଷ ଓ ମୁଠା ବା ଅଞ୍ଚଳ ମଧ୍ୟରେ ଥିବା ସମ୍ପର୍କୀୟଙ୍କ ପିତୃଲୋକଙ୍କ ନାମ ଧରି ଡ଼ଙ୍କା ଓ ଜୁଆଳି କିଳା ଦ୍ୱାରା ଗୁରୁ ବଳଦର ମୁଣ୍ଡରେ ପଛ ପାଖରେ ବାଡ଼େଇଥାନ୍ତି ଓ ମଦ ଥିପାଇଥାନ୍ତି । ଏହି ଏହି ପ୍ରକ୍ରିୟା ରାତି ଶେଷଯାଏ ଚାଲେ । ଗୁରୁ ଯଦି ଉତ୍ତମ ସାଧକ ହୋଇଥାନ୍ତି ତେବେ ସ ପିତୃଲୋକଙ୍କୁ ବି ଦେଖି ପାରନ୍ତି । ଯଦି ସେ ପିତୃଲୋକଙ୍କୁ ଦେଖି ପାରନ୍ତି ତେବେ ‘ଆସିଲେ,ଆସିଲେ’ ବୋଲି ପାଟିକରି ମଦ ଥିପାକୁ ଭରାନ୍ୱିତ କରିଥାନ୍ତି । ସେହିଦିନ ରାତ୍ରିରେ ଛୁଆମାନଙ୍କ ବ୍ୟତୀତ ସମସ୍ତ ବୟସ୍କ ବ୍ୟକ୍ତି (ସ୍ତ୍ରୀ ଓ ପୁରୁଷ) ଉପବାସ ରହିଥାନ୍ତି ।

 

ପରଦିନ ସକାଳୁ ଘରର ପ୍ରତ୍ୟେକ ସଭ୍ୟ ଓ ଗୁରୁଜନ ସ୍ନାନଶୌଚ ସାରି ଫେରିଲା ପରେ ଣୋଲି ନିକଟରେ ପୂଜା ଦିଆଯାଇଥିବା ପୁଞ୍ଜି ଚାଉଳ କୁକୁଡ଼ା ଏବଂ ବଳଦକୁ ଖୁଆଇ ବଳି ଦିଆଯାଇଥାଏ । ପୂର୍ବ କାଳରେ କନ୍ଧମାନେ ଗୋରୁମାଂସ ଖାଉଥିବା ଜଣାଯାଏ । ହିନ୍ଦୁ ସଂସ୍କୃତିର ସଂସ୍ପର୍ଶରେ ଆସି ସେମାନେ ଆଉ ଗୋରୁ ମାଂସ ଖାଉ ନ ଥିବାରୁ ବଳି ଦିଆଯାଇଥିବା କୁକୁଡ଼ାର ମାଂସ ଖାଇଥାନ୍ତି ଓ ପାଣମାନେ ଗୋରୁ ମାଂସ ନେଇଥାନ୍ତି । ପରଦିନ ସେହି ପରିବାରର ସମସ୍ତେ ଲୁଗାପଟା ସଫା ଓ ଘରଦ୍ୱାର ଲିପାପୋଛା କରି ପୁରୁଣା ହାଣ୍ଡି ବାହାର କରି ନୂଆହାଣ୍ଡି ମିଶାଇଥାନ୍ତି ଏବଂ ଏହା ପରେ ସେମାନେ ସର୍ବସାଧାରଣ ବ୍ୟବହାର କରୁଥିବା ଜଳଶୟରୁ ପାଣି ବ୍ୟବହାର କରିବା ନିମନ୍ତେ ନିଷେଧ ନ ଥାଏ । ପୂଜା ଶେଷ ପରେ ପରେ ଗୁରୁ ଚାଲି ଯାଇଥାନ୍ତି ।

 

ଏହି ପୂଜାରେ ଯୋଗଦେବା ନିମନ୍ତେ ବନ୍ଦୁବାନ୍ଧବଙ୍କୁ ବି ନିମନ୍ତ୍ରଣ କରାଯାଇଥାଏ । ଶୁଦ୍ଧ ହେଲାଯାଏ ସେମାନେ ମଧ୍ୟ ଉକ୍ତ ପରିବାର ସହ ଅସ୍ପୃଶ୍ୟ ଭାବରେ ରହିଥାନ୍ତି । ଜ୍ୱାଇଁର ବଳଦ ପୂଜା କରାଗଲେ ଦିନକ ମଧ୍ୟରେ ପୂଜା ଶେଷ ହୋଇଥାଏ। ସେଠାରେ ଡ଼ଙ୍କା ଜୁଆଳି କିଳାର ଆବଶ୍ୟକତା ନ ଥାଏ । କେବଳ ଶିଆଳି ପତ୍ରରେ ଚାଉଳ ପୂଜା କରାଯାଇ ମଦ ଥିପାଇ ବଳି ଦିଆଯାଇଥାଏ ।

 

କେବଳ ସ୍ତ୍ରୀମାନଙ୍କ ରୋଗବ୍ୟାଧି ହେଉଥିଲେ ବେକେରି ବା ଭିତର ଘରେ କୁକୁଡ଼ା, ଘୁଷୁରୀ, ବଳିଦେଇ ମଦ ଥିପାଇ ପୂଜା କରାଯାଏ । ଘରେ ଝୋଟି ଦିଆଯାଏ ନାହିଁ । ଗୋଟିଏ ଦିନରେ ପୂଜା ଶେଷ ହୋଇଥାଏ । ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ପୂଜା କରାଯାଏ । ପାଣଗୁରୁଙ୍କ ଆବଶ୍ୟକତା ପଡ଼େ ନାହିଁ । କେବଳ ସ୍ତ୍ରୀ ପିତୃଲୋକଙ୍କ ନାମରେ ପୂଜାଦେଇ ମଦ ଥିପାଯାଏ ।

 

ବଳଦ ବଳିର ଆରମ୍ଭ ସମ୍ବନ୍ଧରେ ଏକ ଲୋକ କଥା କନ୍ଧ ସମାଜରେ ପ୍ରଚଳିତ ଅଛି । ତାହା ନିମ୍ନରେ ଦିଆଗଲା–

 

ପୁର୍ବରୁ ଗୋରୁବଳି ଦେଇ ପୂଜା କରିବା ପ୍ରଥା ନ ଥିଲା ବହୁତ ଦିନ ତଳେ ଗୋଟିଏ କନ୍ଧ ପରିବାରରେ ରୋଗ୍ୟବ୍ୟାଧି ଲାଗି ରହିବାରୁ ସେ କାରଣ ଜାଣିବା ପାଇଁ ଗୁରୁଙ୍କ ଆଶ୍ରୟ ନେଲା । ଗୁରୁ କହିଲେ ପିଦେରି ବା ପିତୃଲୋକଙ୍କ ଅସନ୍ତୋଷରୁ ଏପରି ଦୁର୍ଦ୍ଦଶା ପଡ଼ୁଛି । ପିଦେରିଙ୍କ ପୂଜା କର । କିନ୍ତୁ କନ୍ଧ ଲୋକଟିର ବଳଦଟିଏ ଆଣିବାର ଶକ୍ତି ନ ଥିଲ । ତା ନିଜର ସ୍ୱାର୍ଥ ନିମନ୍ତେ ପୋଷିଥିବା ବଳଦକୁ ବଳିଦେବାକୁ ଅନିଚ୍ଛୁକ ଥିଲା । କାରଣ ବଳଦଟି ନିମନ୍ତେ ତାର ମମତା ଆସି ଯାଇଥିଲା । ଗୋରୁଟିକୁ ବଳି ଦେଲେ ଚାଷବାସ ବି କ୍ଷତିଗ୍ରସ୍ତ ହେବ । ଏପରି ଦ୍ୱନ୍ଦରେ ନିଷ୍ପତ୍ତି ନେଲା ଯେ ସେ ବରଂ ରୋଗ ବ୍ୟାଧିରେ ସଢିବ କିନ୍ତୁ ନିଜ ଗୋରୁକୁ ବଳି ଦେବ ନାହିଁ ।

 

ଗୋରୁଟି କନ୍ଧର ମନକଥା ଜାଣିଲା । ମାଲିକର ମଙ୍ଗଳ ନିମନ୍ତେ ଆତ୍ମବଳି ଦେବାପାଇଁ ପ୍ରସ୍ତୁତ ହେଲା ଏବଂ ମାଳିକକୁ କହିଲା ତୁମେ ମୋତେ ପାଳିଛ, ପୋଷିଛ, ତେଣୁ ତୁମର ମଙ୍ଗଳ କାମନା କରିବା ମୋ ପକ୍ଷେ ଉଚିତ ଅଟେ । ତୁମେ ରୋଗବ୍ୟାଧିରେ ସଢୁଅଛ ଅଥଚ ମୋତେ ବଳିଦେଇ ରୋଗମୁକ୍ତ ହେବ ନାହିଁ, ଏହା ମୁଁ ସହ୍ୟ କରି ପାରୁନାହିଁ । ତୁମେ ମୋତେ ବଳି ଦେଇ ପିତୃ ଲୋକଙ୍କୁ ସନ୍ତୁଷ୍ଟ କରାଅ । ଏହାଦ୍ୱାରା ତୁମର ସର୍ବାଙ୍ଗୀନ ଉନ୍ନତି ହେବା ସଙ୍ଗେ ସଙ୍ଗେ ମୁଁ ବି ତୁମ ଋଣ ଶୁଝିବା ପାଇଁ ସୁଯୋଗ ପାଇବି ।

 

ବଳଦଠାରୁ ଏପରି ଶୁଣିବା ପରେ କନ୍ଧ ବ୍ୟକ୍ତିଟି ତାକୁ ବଳି ଦେଇ ପିତୃ ଲୋକଙ୍କ ପୂଜା କରି ରୋଗମୁକ୍ତ ହେଲା । ସେଦିନଠାରୁ ପିତୃପୂଜା ନିମନ୍ତେ ବଳଦ ବଳି କନ୍ଧ ସମାଜରେ ପ୍ରଚଳିତ ହେଲା ।

 

କନ୍ଧ ସମାଜରେ ଏହା ପରମ୍ପରାଗତ ବିଶ୍ୱାସ । ଏହାକୁ ସହଜରେ ବଦଳାଇ ହେବନାହିଁ । କେତେକ କ୍ଷେତ୍ରରେ ଏହାର ରୂପାନ୍ତରିକାରଣ ହେଲାଣି । ସଭ୍ୟତାର ସଂକ୍ରମଣ ଫଳରେ କନ୍ଧ ସମାଜରୁ ବହୁ ଅନ୍ଧ ବିଶ୍ୱାସ ଉଭେଇ ଗଲାଣି । ଏଣୁ ଏହି ପୂଜାର ମଧ୍ୟ ଯେ ଅବସାନ ଘଟିବ ଏଥିରେ ସନ୍ଦେହ ନାହିଁ ।

☆☆☆

 

ସାରଡ଼ା ଆଃପା

 

ପ୍ରତ୍ୟେକ ସମାଜରେ କୌଣସି ଏକ ଅପରାଧରେ ପ୍ରକୃତ ଦୋଷୀକୁ ଚିହ୍ନଟ କରିବା ପାଇଁ ଦୀର୍ଘ ଅତୀତରୁ ସମ୍ଭବତଃ ସଭ୍ୟତାର ଉନ୍ମେଷକାଳରୁ କେତେକ ଅଲିଖିତ ଆଇନା ବା ସାମାଜିକ ବିଧି ବ୍ୟବସ୍ଥା ପ୍ରଚଳିତ ଅଛି । ଯଦି ଓ ତାହା ସରକାରୀ ଆଇନାନୁମୋଦିତ ନୁହେଁ ତଥାପି ଗଭୀର ସାମାଜିକ ସ୍ୱୀକୃତ (Social Sanction) ଉପରେ ପର୍ଯ୍ୟବେସିତ । ଯେଉଁ ସମୟରୁ ଗୋଷ୍ଠୀ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଗୋଷ୍ଠୀର ଏକତା ଓ ସଂହତି ରକ୍ଷା ନିମନ୍ତେ କେତେକ ସାମାଜିକ ଆଇନା ପ୍ରଚଳିତ କରାଗଲା ତନ୍ମଧ୍ୟରେ ଶପଥ (Oath) କରାଇ କିମ୍ବା କୌଣସି ପରୀକ୍ଷା ଦେଇ (Ordeal) ଦୋଷୀକୁ ଚିହ୍ନଟ କରାଇବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ପରବର୍ତ୍ତୀକାଳରେ ତାହା ପରମ୍ପରାଗତ ହୋଇ ଧର୍ମ ମଧ୍ୟରେ ସାମିଲ ହୋଇଗଲା ଏବଂ ଆଦିବାସୀ ସମାଜରେ ସେଗୁଡ଼ିକ ଅଦ୍ୟବଧି ଧାର୍ମିକ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ରହିଛି । ଏହି ଶପଥ କରିବା (Oath and Ordeal) ପ୍ରକ୍ରିୟା ବିଭିନ୍ନ ପ୍ରଜାତିକ ଗୋଷ୍ଠୀ ମଧ୍ୟରେ ସାମାଜିକ ଆଇନର କାର୍ଯ୍ୟ କରିଥାଏ । ଏହା ଦ୍ୱାରା ସର୍ବସାଧାରଣ ସମକ୍ଷରେ ଦୋଷୀ ସାବ୍ୟସ୍ତ ହେଲାଭଳି ଲଜ୍ଜାଜନକ ପରିସ୍ଥିତିରୁ ଦୂରେଇ ରହିବା ପାଇଁ ଗୋଷ୍ଠୀର ପ୍ରତ୍ୟେକ ସଭ୍ୟ ଚେଷ୍ଟିତ ରହନ୍ତି । ଫଳରେ ସମାଜରେ ଅପରାଧି ପ୍ରବଣତା ହ୍ରାସ ହୋଇଥାଏ ଓ ସାମାଜିକ ଶାନ୍ତି ବଜାୟ ରହିଥାଏ ।

 

କ୍ରମଶଃ ଶାସକମାନେ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ଦୋଷୀଭାବେ ଧୃତ ଅପରାଧୀକୁ ସର୍ବସାଧାରଣ ସମକ୍ଷରେ ବିଭିନ୍ନ ପ୍ରକାର ଦଣ୍ଡ ଦେବା ବିଧି ପ୍ରଚଳିତ ହେଲା । ଉକ୍ତ ଦଣ୍ଡ ଶାସକଙ୍କ ମନ ମୁତାବକ ହେଉଥିଲା କାରଣ ଏଥିନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ବିଧି ନଥିଲା । ଶାସକଙ୍କ ଆଦେଶରେ ସାମାନ୍ୟ ଅପରାଧ ପାଇଁ ଅପରାଧୀର ଅଙ୍ଗଛେଦନ, ବେକ୍ରାଘାତ କିମ୍ବା ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଉଥିଲା । ପୁଣି କେତେକ କ୍ଷେତ୍ରରେ ରାଜ କର୍ମଚାରୀମାନଙ୍କୁ ପ୍ରଲୋଭିତ ବା ପ୍ରଭାବିତ କରି ପ୍ରକୃତ ଦୋଷୀ ଖସି ଯାଉଥିଲା ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ଭୋଗୁଥିଲା ।

 

ରାଜା ଏବଂ ରାଜା କର୍ମଚାରୀମାନଙ୍କ ମନମୁଖୀ ଦଣ୍ଡ ପ୍ରଥାକୁ ନିୟନ୍ତ୍ରିତ କରିବା ନିମନ୍ତେ କାଳକ୍ରମେ କେତେକ ଲିଖିତ ଆଇନ ପ୍ରଣୟନ କରାଗଲା । କିନ୍ତୁ ଏହାଦ୍ୱାରା ଅପରାଧର ବିଚାର ସାକ୍ଷୀଙ୍କ ବୟାନ ଉପରେ ନିର୍ଭର କଲା । କିନ୍ତୁ ଏହାଦ୍ୱାରା ଅପରାଧର ବିଚାର ସାକ୍ଷୀଙ୍କ ବୟାନ ଉପରେ ନିର୍ଭର କଲା । କେତେକ କ୍ଷେତ୍ରରେ ମିଥ୍ୟାସାକ୍ଷ ଚଳରେ ନିର୍ଦ୍ଦୋଷୀ ବ୍ୟକ୍ତି ଦଣ୍ଡ ପାଇଲା ଏବଂ ଦୋଷୀ ସାକ୍ଷୀମାନଙ୍କୁ ପ୍ରଲେଭିତ କରି ଖସି ଯାଇ ପାରିଲା । ଏଣୁ ଆଇନ ପ୍ରଣୟନ କରି ଦୋଷୀକୁ ଦଣ୍ଡ ଦେବା ନିମନ୍ତେ ଆଇନକାକୁନଚ ଯେତେ ସଂସ୍କାର କରାଗଲେ ମଧ୍ୟ ପୂର୍ବରୁ ପ୍ରଚଳିତ ଥିବା ଶପଥ କରିବା (Oath and Ordeal) ପ୍ରତି ଏଯାଏ ପ୍ରତ୍ୟେକ ସମାଜରେ ଗଭୀର ସମର୍ଥନ ଥିବା ଲକ୍ଷ୍ୟ କରାଯାଏ । ବର୍ତ୍ତମାନ ସୁଦ୍ଧା ହିନ୍ଦୁ ସମାଜରେ ଜଗନ୍ନାଥଙ୍କ ପ୍ରସାଦ ବା ଥଣ୍ଡା ଛୁଇଁ ନିୟମ କରିବା, ପୁଅ ମୁଣ୍ଡ ଛୁଇଁ ବା ଭାଗବତ ଗାଦି ଛୁଇଁ ନିୟମ କରିବାକୁ ପ୍ରକୃତ ଦୋଷୀ ପଶ୍ଚାତପଦ ହୋଇଥାଏ । ସେହିପରି ଦେବୀ ମନ୍ଦିରରେ ଦୀପ ଜାଳି; ଜୁଆନି ବିଦ୍ୟା ବା ନଖ ଦର୍ପଣ ଦ୍ୱାରା ଦୋଷୀ ଚିହ୍ନଟ ପ୍ରକ୍ରିୟା ହିନ୍ଦୁ ସମାଜରେ ଏଯାଏ ଲୋପ ପାଇ ନାହିଁ ।

 

କନ୍ଧ ସମାଜରେ ଶପଥ କରିବା ବା ନିୟମ ଧରିବା ନିମନ୍ତେ ‘‘ସାରଡ଼ା ଆଃପା’’ ଅନୁଷ୍ଠିତ ହୋଇଥାଏ ଏବଂ ଏହାପ୍ରତି ଗଭୀର ସାମାଜିକ ସମର୍ଥନ ଯୋଗୁଁ ଏହାର ଗୁରୁତ୍ୱ ଅଧିକ । ସାଧାରଣତଃ ଜମିଜମା ଗୋଳମାଳ, ଚୋରି, ସ୍ତ୍ରୀର ଚରିତ୍ରରେ ସନ୍ଦେହ ହେଲେ ‘‘ସାରଡ଼ା ଆଃପା’’ ଅନୁଷ୍ଠିତ ହୋଇଥାଏ । ଯେଉଁ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏ ଗ୍ରାମ ସଭା ତାହା ଉପରେ ଦଶ ଟଙ୍କାଠାରୁ ଏକଶତ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ଦେଇଥାନ୍ତି । ସଂଯୁକ୍ତ ପକ୍ଷ ଗ୍ରାମ ସଭାରେ ନିଷ୍ପତ୍ତିକୁ ମାନି ନେବାକୁ ମାଧ୍ୟ ହୋଇଥାଏ । ଯଦି କୌଣସି କ୍ଷେତ୍ରରେ ଅବାଧ୍ୟ ହୁଏ, ତାହାପ୍ରତି ସାମାଜିକ ବାସନ୍ଦା ଲାଗୁ କରାଯାଇଥାଏ ।

 

‘‘ସାରଡ଼ା ଆଃପା’’ ସାଧାରଣତଃ ତିନି ପ୍ରକାର । ୧. ସାରଡ଼ା ଆଃପା ୨. ସାରଡ଼ା ମେଃପା ୩. ସାରଡ଼ା ବେଃପା । ବାଦୀ ଓ ପ୍ରତିବାଦୀଙ୍କ ଉପସ୍ଥିତିରେ ଦୋଷୀ ଚିହ୍ନଟ ନିମନ୍ତେ ପରୀକ୍ଷା ଦେବା ପ୍ରକ୍ରିୟାକୁ ସାରଡ଼ା ଆଃପା କୁହାଯାଏ । ସାରଡ଼ା ଆଃପାରେ ଯୋଗ ଦେବା ପୂର୍ବରୁ କାଳେ ଅଜ୍ଞାତରେ ନିଜର ଭୁଲ ଅଛି କି ନାହିଁ ଜାଣିବା ନିମନ୍ତେ ଯେଉଁ ପ୍ରଣାଳୀ ଅବଲମ୍ବନ କରାଯାଇଥାଏ ତାହାକୁ ସାରଡ଼ା ମେଃପା କୁହାଯାଏ । କୌଣସି ଅବଲମ୍ବନ କରାଯାଇଥାଏ ତାହାକୁ ସାରଡ଼ା ମେଃପା କୁହାଯାଏ । କୌଣସି ନିରପରାଧି ବ୍ୟକ୍ତି ଯଦି ଦୋଷୀ ସାବ୍ୟସ୍ତ ହୋଇଯାଏ କିମ୍ବା ଦୋଷୀ ବ୍ୟକ୍ତି ପ୍ରତିଶୋଧ ନେବା ନିମନ୍ତେ ଯେଉଁ ପ୍ରଣାଳୀ ଅବଲମ୍ବନ କରନ୍ତି ତାହାକୁ ସାରଡ଼ା ବେଃପା କହିଥାନ୍ତି ।

 

ନିମ୍ନରେ ଉପରୋକ୍ତ ତିନୋଟି ପ୍ରଣାଳୀର ଏଇ ଲେଖକ ଦ୍ୱାରା ସଂଗୃହୀତ କେତେକ ସାରଡ଼ା ଆଃପା, ସାରଡ଼ା ମେଃପା ଓ ସାରଡ଼ା ବେଃପାର ବର୍ଣ୍ଣନା କରାଯାଇଛି ।

 

୧. ରଢ ନିଆଁରେ ଚାଲି ପ୍ରମାଣ କରିତା : - ଏହି ପ୍ରକ୍ରିୟାକୁ କୁଇ ଭାଷାରେ ‘‘କାଯାତାନି ତାଆକା ନାଙ୍ଗା ସାରଡ଼ା ମଃପା’’ କୁହାଯାଏ ଥାଏ । ସ୍ତ୍ରୀର ଚରିତ୍ର ଉପରେ ସ୍ୱାମୀର ସନ୍ଦେହ ହେଲେ ଏହି ପ୍ରଣାଳୀରେ ସ୍ତ୍ରୀର ସତୀତ୍ୱ ପରୀକ୍ଷା କରାଯାଇଥାଏ । ଏହା ସୀତାଙ୍କ ଅଗ୍ନି ପରୀକ୍ଷାରେ ରୂପାନ୍ତର ଭଳି ମନେ ହୁଏ ।

 

ସ୍ତ୍ରୀ ଚରିତ୍ର ଉପରେ ସ୍ୱାମୀର ସନ୍ଦେହ ସୃଷ୍ଟି ହୋଇ ମନୋମାଳିନ୍ୟ ଘନୀଭୂତ ହେଲା ପରେ ଗ୍ରାମ ମୂଖ୍ୟଙ୍କ ନିକଟରେ କଡ଼ା ପଡ଼େ ଏବଂ ତାହାଙ୍କ ପରାମର୍ଶ କ୍ରମେ ଆପତ୍ତିକାରୀ ସାରଡ଼ା ଆଃପା ନିମନ୍ତେ ରାଜି ହେଲେ ସେଥି ନିମନ୍ତେ ଦିନ ଧାର୍ଯ୍ୟ କରାଯାଏ । ନିର୍ଦ୍ଦିଷ୍ଟ ଦିନ ସ୍ତ୍ରୀର ଭାଇକୁ ସାରଡ଼ା ଆଃପାରେ ସହଯୋଗ କରିବା ପାଇଁ ଡ଼କାଯାଏ । କାରଣ ସ୍ତ୍ରୀର ଭାଇ ରଢ ନିଆଁରେ ଚାଲି ଭଉଣୀର ଚରିତ୍ର ନିର୍ମଳ କିନା ପରୀକ୍ଷା ଦେବାର ବିଧି ରହିଛି ।

 

ଏହି ସାରଡ଼ା ଆଃପା ନିମନ୍ତେ ଗ୍ରାମର ପ୍ରକାଶ୍ୟ ସ୍ଥାନରେ ଆଠହାତ (ବାରଫୁଟ) ଲମ୍ବା ଏବଂ ଦୁଇ ହାତ (ତିନିଫୁଟ) ଓସାର ଏବଂ ଏକ ହାତ (ଦେଢଫୁଟ) ଗଭୀର ବିଶିଷ୍ଟ ଏକ ଗାତ ଖୋଳାଯାଏ । ନିର୍ଦ୍ଦିଷ୍ଟ ଦିନ ସକାଳୁ ଉକ୍ତ ଗାତରେ କାଠଗଡ଼ ଦେଇ ନିଆଁ ଜଳାଯାଏ । ଉକ୍ତ ଗାତ ନିଆଁରେ ଭର୍ତ୍ତିହେଲାଯାଏ ଜଳାଯାଏ । ନିଆଁ ନ ଲିଭିବା ପାଇଁ କୁଲାରେ ବିଞ୍ଚାଯାଉଥାଏ ।

 

ଉକ୍ତ ସ୍ଥାନରେ ଗ୍ରାମ ମୂଖ୍ୟ ଓ ସମସ୍ତ ଗ୍ରାମବାସୀଙ୍କ ସମେତ ଗୁରୁବାଦୀ, ଅଭିଯୁକ୍ତା ସ୍ତ୍ରୀ ଓ ପ୍ରମାଣ ଦେବା ନିମନ୍ତେ ଅଭିଯୁକ୍ତାର ଭାଇ ଉପସ୍ଥିତଥାନ୍ତି । ଅଭିଯୁକ୍ତାର ଭାଇ ଲେଙ୍ଗୁଟି ପିନ୍ଧି ଏକ ଫାର୍ସ । ବାମ କାନ୍ଧରେ ପକାଇ ତାହାରି ବେଣ୍ଟକୁ ବାମ ହାତରେ ଧରିଥାଏ । ସେ ଦୁଇ ଗୋଉର ଆଣ୍ଠୁଯାଏ ଜଡ଼ାତେଲ ଲଗାଇ ତାହା ଉପରେ କଅଁଳ ଅଶ୍ୱସ୍ତ ପତ୍ର ଦେଇ ସାତଖିଆ ନୂଆଁ ସୂତା ଗୁଡ଼ାଇ ନିଆଁରେ ଚାଲିବା ନିମନ୍ତେ ପ୍ରସ୍ତୁତ ହୋଇଥାଏ ।

 

ଗୁରୁ ନିଆଁ ନିକଟରେ ପୂଜା ଦେଇସାରି ଅଭିଯୁକ୍ତାର ଭାଇକୁ ନିଆଁ ଉପରେ ଚାଲିବା ନିମନ୍ତେ ଆଦେଶ ଦେଇଥାନ୍ତି । ତାହା ପୂର୍ବରୁ ପୁଣି ଥରେ ଅଭିଯୁକ୍ତାକୁ ସେ ଦୋଷୀ କି ନିର୍ଦ୍ଦୋଷ ପଚରା ଯାଇଥାଏ । ସେ ନିର୍ଦ୍ଦୋଷ ବୋଲି କହିଲେ ଅଭିଯୁକ୍ତାର ଭାଇକୁ ନିଆଁରେ ଚାଲି ପ୍ରମାଣ ଦେବା ନିମନ୍ତେ ଗ୍ରାମମୂଖ୍ୟ ଆଦେଶ କରନ୍ତି । ଏହି ସମୟରେ ଅଭିଯୁକ୍ତାର ଭାଇ ସମସ୍ତଙ୍କ ସମ୍ମୁଖରେ ଭଉଣୀ ଦୋଷୀ କି ନିର୍ଦ୍ଦୋଷ ପଚାରିଥାଏ । ସେ ନିର୍ଦ୍ଦୋଷ ବୋଲି କହିଲେ ଅଭିଯୁକ୍ତାର ଭାଇ ନିଆଁ ଉପରେ ଚାଲି ଗାତର ଏପଟରୁ ସେପଟକୁ ଯାଏ ଏବଂ ସେପଟରୁ ଏପଟକୁ ଆସେ । ଯଦି ଭଉଣୀ ନିର୍ଦ୍ଦୋଷ ଥାଏ ତେବେ ଭାଇର ଗୋଡ଼ରେ କିଛି କ୍ଷତି ହୁଏ ନାହିଁ । ଯଦି ଭଉଣୀ ଦୋଷୀ ପ୍ରମାଣିତ ହୁଏ ତେବେ ଭାଇ ନିଆଁରୁ ବାହାରି ଆସି ନିଜେ ଧରିଥିବା ଫାର୍ସାରେ ଭଉଣୀକୁ ସମସ୍ତଙ୍କ ସାମ୍ନାରେ ହାଣି ଦୁଇଗଡ଼ କରିଦିଏ । ଏପରି ଏକ ଘଟଣା ଜି. ଉଦୟଗିରି ଥାନା ଗ୍ରେସିଙ୍ଗିଆ ଗ୍ରାମରେ ଦେଖିଥିବା ନିଖିଳ ଭାରତ କୁଇ ସମାଜ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ଜେନା (କଳିଙ୍ଗା)ଙ୍କଠାରୁ ପ୍ରକାଶ ।

 

୨. ଟକମକ ଫୁଟୁଥିବା ଗୋଦର ପାଣିରେ ହାତ ବୁଡ଼ାଇ ସତ୍ୟତା ପ୍ରମାଣ କରିବା : - ଗ୍ରାମରେ ଚୋରି ହୋଇ ଆସାମୀ ଧରା ନ ପଡ଼ିଲେ ଏହି ଉପାୟରେ ଦୋଷୀ ଚିହ୍ନଟ କରାଯାଏ । ଗରମ ଗୋବର ପାଣିରେ ହାତ ବୁଡ଼ାଇବା ଦ୍ୱାରା ଦୋଷୀର ହାତ ଫୋଟକା ହୋଇ ଯାଇଥାଏ ।

 

ଗ୍ରାମସଭାର ବିଚାରରେ ପ୍ରକୃତ ଦୋଷୀ ଚିହ୍ନଟ ହୋଇ ନ ପାରିଲେ ଏହି ଉପାୟ ଅବଲମ୍ବନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥାଏ । ସଙ୍ଗେ ସଙ୍ଗେ ଏକ ନୂଆଁ ହାଣ୍ଡି ଅଣାଯାଇ ପାଣି ଭର୍ତ୍ତି କରାଯାଇ ଗୋବର ଗୋଳାଯାଏ ଏବଂ ଏକ ତମ୍ବା ପଇସା ପକାଯାଏ । ଏହା ପରେ ହାଣ୍ଡିକୁ ଚୁଲ୍ଲୀରେ ବସାଇ ପାଣିକୁ ଗରମ କରାଯାଏ । ପାଣି ଟକମକ ଫୁଟିଲାପରେ ଜଣ ଜଣ କରି ଉକ୍ତ ହାଣ୍ଡିରେ ହାତ ବୁଡ଼ାଇ ତମ୍ବା ପଇସାଟି ବାହାର କରିବାକୁ କୁହାଯାଏ । ଉକ୍ତ ସ୍ଥାନରେ ଜଣେ ଗୁରୁ ବସିଥାନ୍ତି ଏବଂ ଯେଉଁ ଲୋକ ହାତ ବୁଡ଼ାଇବାକୁ ଯାଏ ତାହା ନାମରେ କିଛି ଚାଉଳ ହାଣ୍ଡି ଉପରକୁ ଫିଙ୍ଗି କହିଥାନ୍ତି ଯେ ‘‘ଅମୁକ ଲୋକ ଯଦି ଦୋଷୀ ତାହାର ହାତ ଫୋଟକା ହେଉ, ଯଦି ନିର୍ଦ୍ଦୋଷୀ ତେବେ କିଛି ନ ହେଉ ।’’ ଗୁରୁ ଦୋଷୀଲୋକ ନାମରେ ଚାଉଳ ଫିଙ୍ଗିଲାବେଳେ ହାଣ୍ଡିର ପାଣି ଉଛୁଳିପଡ଼େ ଏବଂ ସେ ହାତ କିଛି ହୁଏ ନାହିଁ । ନିଖିଳ ଭାରତ କୁଇ ସମାଜ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ଜେନା (କଳିଙ୍ଗ) ପିଲା ଦିନେ ଏପରି ଏକ ଅନୁଷ୍ଠାନରେ ଅଂଶଗ୍ରହଣ କରିଥିବା ପ୍ରକାଶ କରନ୍ତି ।

 

୩ . ଟକମକ ଫୁଟୁଥିବା ପାଣିରେ କୁକୁଡ଼ାର ଗୋଡ଼ ବୁଡ଼ାଇ ସତ୍ୟତା ପ୍ରମାଣ କରିବା : - ସାଧାରଣତଃ ଦୁଇ ପକ୍ଷର ଗୋଳମାଳ କିମ୍ବା ଜମିଜମା ସମ୍ପର୍କୀୟ ବିବାଦରେ ପ୍ରକୃତ ଦୋଷୀକୁ ଚିହ୍ନଟ କରିବା ନିମନ୍ତେ ଏହି ଉପାୟ ଅବଲମ୍ବନ କରାଯାଇଥାଏ । ଗ୍ରାମସଭାରେ ନିଷ୍ପତ୍ତିକ୍ରମେ ଏକ ନୂଆ ହାଣ୍ଡିରେ ପାଣି କିମ୍ବା ଗୋବର ପାଣି ଭର୍ତ୍ତି କରାଯାଇ ନିଆଁରେ ବସାଇ ଟକମକ ଫୁଟିଲାଯାଏ ଗରମ କରାଯାଏ । ପାଣି ଫୁଟିଲାପରେ ଉଭୟ ପକ୍ଷରୁ ଆସିଥିବା ଦୁଇଟି କୁକୁଡ଼ାର ଗୋଡ଼ ଦୁଇଟି ବୁଡ଼ାଯାଏ । କୁକୁଡ଼ା ବୁଡ଼ାଇବା ପୂର୍ବରୁ ଗୁରୁ ମନ୍ତ୍ର ପଢି ମଦ ଥିପନ୍ତି । (ମାଟିରେ ଟୋପା ଟୋପା ମଦ ଡାଳନ୍ତି) ଏବଂ ଚାଉଳ ଫିଙ୍ଗନ୍ତି । ଉକ୍ତ ଗରମ ପାଣିରେ କୁକୁଡ଼ାର ଗୋଡ଼ ବୁଡ଼ାଇଲା ପରେ ଦୋଷୀ ପକ୍ଷ କୁକୁଡ଼ା ଗୋଡ଼ରୁ ଛାଲ ଉତୁରି ଯାଇଥାଏ ଏବଂ ନିର୍ଦ୍ଦୋଷ ପକ୍ଷ କୁକୁଡ଼ାର କିଛି କ୍ଷତି ହୋଇ ନ ଥାଏ ।

 

ଏପରି ଏକ ଘଟଣା ଟିକାବାଲି ଥାନା ଅନ୍ତର୍ଗତ ଉପରଖୋଲ ମୌଜାରେ ଦେଖିଥିବା ଶ୍ରୀ ଗୋକୁଳଚନ୍ଦ୍ର ଦାଶ (ଟିକାବାଲି) ପ୍ରକାଶ କରନ୍ତି । ତାହାଙ୍କ କହିବା ଅନୁଯାୟୀ ଟିକାବାଲି ନିମଟସ୍ଥ ବୁଦୁଗୁଡ଼ାରୀ ମୌଜାରି ମାନସିଂ କହଁରଙ୍କ କିଛି ଜମ ଉପରଖୋଲ ମୌଜାରେ ଥିଲା । ଉପରଖୋଲ ମୌଜାର କିଛି ଲୋକ ଉକ୍ତ ଜମିକୁ ଜବରଦସ୍ତ ଦଖଲ କରୁଥିଲେ ଏବଂ ସେହି ଜମି ମାନସିଂ କହଁରଙ୍କର ନୁହେଁ ବୋଲି କହୁଥିଲେ । ସେହି ସମୟରେ ଜମି ବନ୍ଦୋବସ୍ତ ହୋଇ ନ ଥିବାରୁ ଭଦ୍ରବ୍ୟକ୍ତିମାନଙ୍କ ପକ୍ଷରେ ଜମିର ମାଲିକାନା ସ୍ଥିର କରିବା କଷ୍ଟକର ହେଲା । ଏଣୁ ଉପରୋକ୍ତ ପଦ୍ଧତି ଅନୁସୃତ କରାଗଲା ଓ ମାନସିଂ କହଁର ଜୟଯୁକ୍ତ ହେଲେ । ଏହି ମାମଲା ନିଷ୍ପତ୍ତି ଶ୍ରୀ ଗୋକୁଳଚନ୍ଦ୍ର ଦାଶ ଭଦ୍ରବ୍ୟକ୍ତି ଭାବରେ ନିମନ୍ତ୍ରିତ ହୋଇଥିବା ପ୍ରକାଶ କରନ୍ତି ।

 

୪. ପାଣିରେ ବୁଡ଼ି ସତ୍ୟତା ପ୍ରମାଣ କରିବା : - ଗ୍ରାମସଭା ଦ୍ୱାରା କୌଣସି ବିବାଦର ସମାଧନ ହୋଇ ନ ପାରିଲେ ବାଦୀ ଓ ପ୍ରତିବାଦୀ ଉଭୟ ପକ୍ଷରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ପାଣିରେ ବୁଡ଼ାଇ ଦୋଷୀ ଚିହ୍ନଟ କରାଯାଇଥାଏ । ସେଥିନିମନ୍ତେ ନିର୍ଦ୍ଦିଷ୍ଟ ଦିନଟିକୁ ଉଭୟ ପକ୍ଷଙ୍କୁ ଜଣାଇ ଦିଆଯାଏ । ନିର୍ଦ୍ଦିଷ୍ଟ ଦିନ ପାଣିରେ ବୁଡ଼ିବା ନିମନ୍ତେ ଉଭୟ ପକ୍ଷ ଜଣେ ଜଣେ ଲୋକ ଠିକ କରିଥାନ୍ତି ଏବଂ ଉକ୍ତ ଦିନ ସକାଳୁ ବାଦୀ, ପ୍ରତିବାଦୀ, ବୁଡ଼ିବା ଲୋକଙ୍କ ସହିତ ଗ୍ରାମ ମୂଖ୍ୟଙ୍କଠାରେ ଉପସ୍ଥିତ ହୁଅନ୍ତି । ବୁଡ଼ିବା ନିମନ୍ତେ ଠିକ ହୋଇଥିବା ବ୍ୟକ୍ତିଦ୍ୱୟ ଉକ୍ତ ଦିନ ସକାଳୁ ଦାନ୍ତଘଷି ନ ଥାନ୍ତି ଏବଂ ଉପବାସ ଥାନ୍ତି । ଏହି ପ୍ରଣାଳୀରେ ଦୋଷୀ ଚିହ୍ନଟ ନିମନ୍ତେ ବାଦୀ ପ୍ରତିବାଦୀ ବୁଡ଼ିବା ନିୟମ ନ ଥିବାରୁ ଅନ୍ୟ ଦୁଇଜଣ ପାଣିରେ ବୁଡ଼ିବା ନିମନ୍ତେ ଠିକ କରାଯାଇଥାଏ ।

 

ବାଦୀ, ପ୍ରତିବାଦୀ ଓ ଗ୍ରାମ ମୂଖ୍ୟଙ୍କଠାରୁ ଗୋଟିଏ ଲେଖାଏଁ କାଞ୍ଜିଆ ଅଣ୍ଡା ଆଣି କିଛି ଅରୁଆ ଚାଉଳ, ହଳଦୀଗୁଣ୍ଡ, ମଦ ଓ କ୍ଷୀର ଧରି ଜଣେ କିମ୍ବା ଦୁଇଜଣ ଗ୍ରାମବାସୀ ଗୁରୁଙ୍କ ସହିତ ବାଦୀ ପ୍ରତିବାଦୀ ଭଉୟ ପକ୍ଷର ବୁଡ଼ାଳୀଙ୍କୁ ସାଙ୍ଗରେ ଧରି ନିର୍ଦ୍ଦିଷ୍ଟ ଜଳାଶୟ ନିକଟକୁ ଯାଇଥାନ୍ତି । ଉକ୍ତ ଜଳାଶୟର ମୁଣ୍ଡଦିଗରେ କିମ୍ବା ଚାରିହୁଡ଼ା ଦ୍ୱାରା ଆବଦ୍ଧ ବନ୍ଧ ହୋଇଥିଲେ ତାହାର ପୂର୍ବ କିମ୍ବା ଦକ୍ଷିଣ ହୁଡ଼ା ଉପରେ ଗୁରୁ ପୂଜା କରିଥାନ୍ତି । ପୂଜାବେଳେ ମାଟିଦେବତା, ପର୍ବତ, ଜଳ ଦେବତା ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗୋଟିଏ ଅଣ୍ଡା ଓ ଚାଉଳ ପୁଞ୍ଜି ଦେଇ ପୂଜାକରି ଉଭୟ ପକ୍ଷଙ୍କ ନାମରେ ମଦ ଥିପାଇଥାନ୍ତି ।

 

ଏହାପରେ ବୁଡ଼ାଳୀଦ୍ୱୟ ଉକ୍ତ ଜଳାଶୟରେ ସ୍ନାନସାରି ଓଦା ଲୁଗା ପିନ୍ଧି ଜଙ୍ଗଲକୁ ଯାଇ ଗୋଟିଏ ଲେଖାଏଁ ଶାଳଗଛ କାଟି ଆଣନ୍ତି ଏବଂ ତାହା ନେଇ ବନ୍ଧର ପାଣି ଭିତରେ ପୋତନ୍ତି । ଶାଳଖୁଣ୍ଟଗୁଡ଼ିକ ଏପରି ପୋତାଯାଏ ଯେପରି ପୋତିଲାପରେ ଏକ ହାତ ଉପରକୁ ବଳକା ରହେ । ଉକ୍ତ ଖୁଣ୍ଟର ଉପରିଭାଗକୁ ଚାରିଫାଳ କରାଯାଇଥାଏ । ଉକ୍ତ ଖୁଣ୍ଟ କାଟିବା ପୂର୍ବରୁ କିମ୍ବା ଆଣି ବାହାରେ ପୋତିଲାବେଳେ ସାମାନ୍ୟ ପୂଜା କରାଯାଇଥାଏ । ଉକ୍ତ ଖୁଣ୍ଟ ପୋତାଗଲା ପରେ ଖୁଣ୍ଟ ଅଗ୍ରଭାଗରେ ଗୋଟିଏ ଲେଖାଏଁ କାଞ୍ଜିଆ ଅଣ୍ଡା ରଖନ୍ତି ଏବଂ ଦୁଇ ବୁଡ଼ାଳୀଙ୍କ ମୁଣ୍ଡରେ ହାତଦେଇ ବୁଡ଼ିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ବୁାଡ଼ାଳୀ ଦୁଇଜଣ ଏକା ସାଙ୍ଗରେ ପୋତା ଯାଇଥିବା ଶାଳଖୁଣ୍ଟକୁ ଧରି ପାଣି ଭିତରେ ବୁଡ଼ନ୍ତି ଏବଂ ଗୁରୁ ଉଭୟ ଖୁଣ୍ଟ ଅଗ୍ରଭାଗରେ କ୍ଷୀର ଢାଳନ୍ତି । ବୁଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ପ୍ରଥମେ ପାଣିରୁ ବାହାରେ ଉକ୍ତ ପକ୍ଷ ଦୋଷୀ ସାବ୍ୟସ୍ତ ହୋଇଥାଏ । ସମୟେ ସମୟେ ଦୋଷୀ ପକ୍ଷର ବୁଡ଼ାଳୀ ପୋତା ଯାଇଥିବା ଶାଳକାଠ ଉପାଡ଼ି ଧରି ଉପରକୁ ବାହାରିଥାଏ ଏବଂ କେତେକ କ୍ଷେତ୍ରରେ ଗୁରୁ ଢାଳିଥିବା କ୍ଷୀର ଉକ୍ତ ବୁଡ଼ାଳୀର ମୁଣ୍ଡ, ଆଖି, ନାକରୁ ଝରୁଥିବା ଦେଖା ଯାଇଥାଏ ।

 

ବୁଡ଼ିବା ପୂର୍ବରୁ ଉଭୟ ପକ୍ଷ ଗ୍ରାମବାସୀଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମୁତାବକ କିଛି ଟଙ୍କା ପଣ ବାବଦକୁ ରଖିଥାନ୍ତି । ତାହା ପଚିଶ ଟଙ୍କାରୁ ଶହେ ଟଙ୍କାଯାଏ ହୋଇପାରେ । ଦୋଷୀ ପକ୍ଷର ପଣ ଟଙ୍କା ଗ୍ରାମ ପାଣ୍ଠିରେ ଜମାରହେ ଏବଂ ବିଜୟୀ ପକ୍ଷର ପଣ ଟଙ୍କା ଫେରସ୍ତ ଦିଆଯାଇଥାଏ ।

 

୫. ଚାଉଳ ପୁଞ୍ଜି ଖାଇ ସତ୍ୟତା ପ୍ରମାଣ କରିବ : - ବାଲିଗୁଡ଼ା ସବ୍‌ଡ଼ିଭିଜନର ମହାସିଙ୍ଗ ଏବଂ କନ୍ଧମାଳ ସବ୍‌ଡ଼ିଭିଜନର ବଳସକୁମ୍ପାଠାରେ କନ୍ଧମାଳର ପ୍ରସିଦ୍ଧ ଦେବୀ ଶ୍ରୀ ଶ୍ରୀ ବରାଳଦେବୀ ଠାକୁରାଣୀଙ୍କ ଆସ୍ଥାନ ରହିଛି । ଉକ୍ତ ଦେବୀଙ୍କୁ କନ୍ଧମାନେ ଭୟ ଓ ଭକ୍ତି କରନ୍ତି । ତେଣୁ ସେହି ଅଞ୍ଚଳରେ ଚୋରୀ, ଗୁଣି ଇତ୍ୟାଦି ନିମନ୍ତେ ପ୍ରକୃତ ଦୋଷୀକୁ ଚିହ୍ନଟ କରିବା ପାଇଁ ଦେବୀଙ୍କ ପୂଜା ଚାଉଳରୁ କିଛି କିଛି ବାଦୀ ଓ ପ୍ରତିବାଦୀଙ୍କୁ ଖାଇବାକୁ ଦିଆଯାଇଥାଏ । ଦେବୀଙ୍କ ପୂଜା ନିମନ୍ତେ ବାଦୀଙ୍କଠାରୁ ଅନ୍ୟାନ୍ୟ ପୂଜା ଉପକରଣ ସହିତ ବଳି ନିମନ୍ତେ ଛେଳିଟିଏ ବି ଅଣା ଯାଇଥାଏ । ଦେବୀ ପୀଠରେ ଉଭୟଙ୍କ ନିମନ୍ତେ ପୂଜା କରାଯାଇ ଛେଳିବଳି ଦିଆଯାଏ ।

 

ପୂଜାପରେ ଉଭୟପକ୍ଷ ବଳିରରକ୍ତ ଟୀକା ଲଗାନ୍ତି ଓ ପୂଜା ହୋଇଥିବା ପୁଞ୍ଜି ଚାଉଳ କିଛି ଖାଇଥାନ୍ତି । ଉକ୍ତ ଚାଉଳ ଖାଇବା ପୂର୍ବରୁ ଦେବୀଙ୍କ ଆଗରେ ଶପଥ କରି କହିଥାନ୍ତି, ‘‘ମୁଁ ଯଦି ମିଛ କହୁଚି ମୋ ବଂଶ ବୁଡ଼ିଯାଉ ।’’ ଏପରି କହି ମୁଣ୍ଡିଆ ମାରି ଘରକୁ ଫେରନ୍ତି । ଦୋଷୀ ଚିହ୍ନଟ ନିମନ୍ତେ ସାତଦିନ ସମୟ ନିଆଯାଏ । ସାତଦିନ ମଧ୍ୟରେ ଯାହାର କ୍ଷତି ହୁଏ ତାହାକୁ ଦୋଷୀ ବୋଲି ସାବ୍ୟସ୍ତ କରି ଦଣ୍ଠ ଦିଆଯାଇଥାଏ ।

 

ସାରଡ଼ା ମେଃପା ନିମନ୍ତେ ଅନୁସୃତ ହେଉଥିବା କେତୋଟି ପଦ୍ଧତି ନିମ୍ନରେ ଦିଆଗଲା ।

 

୧ . ଖଟ ଦେବତା ପ୍ରୟୋଗ ଦ୍ୱାରା ସତ୍ୟତା ପ୍ରମାଣ କରିବା : - ଖଟ ଦେବତା ଦ୍ୱାରା ବି କନ୍ଧ ସମାଜରେ ଦୋଷୀ ଚିହ୍ନଟ କରିବା ପ୍ରଥା ପ୍ରଚଳିତ ଅଛି । ଜଣେ ଗୁଣିଆ ଏକ ଦଉଡ଼ିଆ ଖଟର ଚାରି ଖୁରାକୁ ଚାରିଜଣ ଯୁବକଙ୍କୁ ଧରାଇ ଉକ୍ତ ଖଟକୁ ପୂଜାକରି ମନ୍ତ୍ରପଢି ହଳଦୀ ଗୋଳା ଚାଉଳ ଖଟ ଉପରକୁ ଫିଙ୍ଗେ । ଏହାପରେ ଖଟ ଦେବତା ଖଟରେ ପ୍ରବ୨େଶ କରି ଖଟ ଚାଲିବାକୁ ଆରମ୍ଭ କରେ । ଖଟ ଗୋଡ଼ ଧରିଥିବା ଯୁବକମାନେ କଟ ଯେଉଁ ଆଡ଼କୁ ଯିବାକୁ ଚାହୁଁଚି ସେହି ଦିଗକୁ ଚାଲିବାକୁ ବାଧ୍ୟ ହୁଅନ୍ତି । କାରଣ ଖଟ ଚାଲିବା ସହିତ ସେମାନେ ନ ଚାଲିବାର ଆୟତ୍ତ ନ ଥାଏ ଏବଂ ଗ୍ରାମସଭା ଦ୍ୱାରା ସେ ଦଣ୍ଡିତ ହୋଇଥାଏ । ସାଧାରଣତଃ ଗୁଣି ଗାରେଡ଼ି, ନାସୁଣିଆ, ପାଙ୍ଗଣିଆ ଇତ୍ୟାଦି ପ୍ରୟୋଗ କରିଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ଏହି ପ୍ରଣାଳୀ ଅନୁସୃତ ହୋଇଥାଏ । ଏଇ ଲେଖକ ହରଭଙ୍ଗା ଥାନା ଅନ୍ତର୍ଗତ ବାଙ୍କାର୍ଜ୍ଜନ ମୌଜାରେ ଖଟ ଦେବତା ପ୍ରୟୋଗ ଦ୍ୱାରା ଦୋଷୀ ଚିହ୍ନଟ ପ୍ରଣାଳୀ ପ୍ରାୟ ପନ୍ଦର ବର୍ଷ ତଳେ ଦେଖିଥିଲା ।

 

୨ . ବାଉଁଶ ଚାପ ପ୍ରୟୋଗ ଦ୍ୱାରା ସତ୍ୟତା ପ୍ରମାଣ କରିବା : - କେତେକ କ୍ଷେତ୍ରରେ ବାଉଁଶ ଚାପ ପ୍ରୟୋଗ କରାଯାଇ ଦୋଷୀ ଚିହ୍ନଟ କରାଯାଇଥାଏ । ଗୋଟିଏ କଞ୍ଚା ବାଉଁଶକୁ ଦୁଇଫାଳ କରି ଦୁଇଜଣ ଯୁବକଙ୍କୁ ଉକ୍ତ ବାଉଁଶର ଶେଷ ମୁଣ୍ଡକୁ ଦୁଇ ହାତରେ ଧରାଇ ଦିଆଯାଏ ।

 

ଏହାପରେ ଗୁରୁ ପୂଜାକରି ଉକ୍ତ ବାଉଁଶ ଉପରକୁ ଚାଉଳ ଫିଙ୍ଗନ୍ତି । ଦୋଷୀ ନାମରେ ଚାଉଳ ଫିଙ୍ଗା ଗଲାବେଳେ ବାଉଁଣଶ ଦୁଇଟି ଲାଗିଯାଏ । ଫଳରେ ଦୋଷୀ ନିଜର ଦୋଷ ମାନିବାକୁ ବାଧ୍ୟ ହୋଇଥାଏ ।

 

ଗୁଣି ଗାରେଡ଼ି ପ୍ରୟୋଗ କରିଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ହୋ ସମାଜରେ ମଧ୍ୟ ଏହି ପଦ୍ଦତି ଅନୁସୃତ ହୋଇଥାଏ ।

 

ଦୋଷୀ ଚିହ୍ନଟ ନିମନ୍ତେ ଅନୁସୃତ ହେଉଥିବା ନିମ୍ନୋକ୍ତ ପ୍ରଣାଳୀଗୁଡ଼ିକ ସାରଡ଼ା ବେଃପା ମଧ୍ୟରେ ଅନ୍ତର୍ଭୁକ୍ତ ।

 

୧ . ଦେବୀ ପୀଠରେ ଦୀପ ବସାଇବା : - ବଉଦ ସବଡ଼ିଭଜନ ଅନ୍ତର୍ଗତ ପୁରୁଣା କଟକସ୍ଥ ଦେବୀ ଭୈରବୀଙ୍କ ପୀଠରେ ଦୋଷୀର ଅମଙ୍ଗଳ ଉଦ୍ଦେଶ୍ୟରେ ତେଲଦୀପ ଜଳା ଯାଇଥାଏ । ଦୀପ ବସାଇବା ପରେ ପରେ ପ୍ରକୃତ ଅମଙ୍ଗଳ କିମ୍ବା ଶାରୀରିକ ଅସୁସ୍ଥତା ଆକସ୍ମିକ ଭାବରେ ଘଟିଥାଏ । ସାଧାରଣତଃ ଚୋରି ଯାଇଥିବା ଜିନିଷ ପାଳନ ପାଇଁ ଏବଂ ଯେଉଁ ସ୍ଥଳରେ ଚୋରି ଧରାପଡ଼େ ନାହିଁ, ସେହି କ୍ଷେତ୍ରରେ ଦୀପ ବସାଯାଇଥାଏ । ଦୀପ ବସା ଯିବାପରେ କେତେକ କ୍ଷେତ୍ରରେ ଚୋର ସମସ୍ତଙ୍କ ଅଜଣାରେ ଚୋରିମାଳ ଫେରସ୍ତ ଦେଇଥାଏ ।

 

୨ . ଯଦି କୌଣସି ନିରପରାଧ ବ୍ୟକ୍ତି ଉପରେ ତାହାର କଥା ବିଚାରକୁ ନ ନେଇ ଅପରାଧି ସାବ୍ୟସ୍ତ କରାଯାଏ କିମ୍ବା ପ୍ରକୃତ ଦୋଷୀ ବ୍ୟକ୍ତି ପ୍ରତିଶୋଧପରା

 

୨ . ଯଦି କୌଣସି ନିରପରାଧ ବ୍ୟକ୍ତି ଉପରେ ତାହାର କଥା ବିଚାରକୁ ନ ନେଇ ଅପରାଧୀ ସାବ୍ୟସ୍ତ କରଯାଏ କିମ୍ବା ପ୍ରକୃତ ଦୋଷୀ ବ୍ୟକ୍ତି ପ୍ରତିଶୋଧପରାୟଣ ହୋଇ ଅପର ପକ୍ଷର କ୍ଷତିସାଧନ କରିବା ନିମନ୍ତେ ନିମ୍ନ ପ୍ରଣାଳୀ ଅବଲମ୍ବନ କରିଥାନ୍ତି । ଏହି ପଦ୍ଧତିରେ ଉପଯୁକ୍ତ ଗୁଣିଆ ଦ୍ୱାରା ନଈ କୂଳରେ କିମ୍ବା ଘରେ ଏକ ପୂଜା କରାଯାଇ ଅପର ପକ୍ଷର ଅମଙ୍ଗଳ ନିମନ୍ତେ ପ୍ରାର୍ଥନା କରାଯାଏ । ଏହି ପୂଜାରେ ଗୋଟିଏ ଘୁଷୁରୀ, ନୁଆନାନ୍ଦା (ନୂଆ ମଦ ଘଡ଼ି)ରେ ମଦ, ଚାଳିଶି ପ୍ରକାର ଚେର ମୂଳ ଓ ପିତା ଲାଉ ଇତ୍ୟାଦି ଦରକାର ହୋଇଥାଏ ।

 

୩ . ଅନ୍ୟ ଏକ ପ୍ରଣାଳୀରେ ଲୁଣ, ବଣ ତୁଳସୀ ଡ଼ାଳ, କେନ୍ଦୁ ଡ଼ାଳ, ଧାତକୀଡ଼ାଳ, ଅଁଏଳା ଡ଼ାଳ, ମାଟି ଇତ୍ୟାଦି ଶୋଳ ପ୍ରକାର ଜିନିଷ ଏକ ନୁଆ ହାଣ୍ଡିରେ ରଖି ମନ୍ତ୍ର କରି ଟେକିଧରି କହିବ, ‘‘ଯଦି ତାହାର ଭୁଲ ହୋଇଥାଏ ସେ ଅମୁକ ହେଉ ।’’

 

ଜିମି ବିବାଦ ନିମନ୍ତେ ଯଦି ଏହି ପ୍ରଣାଳୀରେ ସାରଡ଼ା ବେଃପା କରାଯାଏ ତେବେ ଉକ୍ତ ହାଣ୍ଡି ବିବାଦୀୟ ଜମିର ପୋତି ଦିଆଯାଏ ।

 

୪ . ପିଲାମାନେ ବିଦ୍ୟାରାଣ ପକାଇଲା ପରି ଏକ ପ୍ରକ୍ରିୟାରେ ମଧ୍ୟ ଦୋଷୀ ଚିହ୍ନଟ କରାଯାଇଥାଏ । ଡ଼ାହାଣ ହାତର କାଣି ଆଙ୍ଗୁଠି ଜିଭରେ ଲଗାଇ ବାହାର କରି ଅପର ପକ୍ଷର ଦେହ ଛୁଇଁ ଏକଠାରୁ ସାତଯାଏ ଗଣି ଅପର ପକ୍ଷର ଆଖି ଛୁଇଁ କହିବ ଯେ ତୁ ଯଦି ମିଛ କହୁଚୁ ତୋ ଆଖି ଫୁଟିଯାଉ ।

 

୫ . କୁମ୍ଭାର ଚକ ଦ୍ୱାରା ବି କେତେକ କ୍ଷେତ୍ରରେ ଦୋଷୀକୁ ଚିହ୍ନଟ କରାଯାଇଥାଏ । ବିବାଦୀୟ ପକ୍ଷମାନେ ପ୍ରକୃତ ଦୋଷୀକୁ ଜାଣିବା ପାଇଁ କିଛି ଅରୁଆ ଚାଉଳ ପୂଜା ନିମନ୍ତେ ଆବଶ୍ୟକୀୟ ଦ୍ରବ୍ୟ କୁମ୍ଭାରକୁ ଦିଅନ୍ତି । କୁମ୍ଭାର ତାହାର ଚକକୁ ପୂଜାକରି ସେଥିରେ ଚାଉଳ ପକାଇ ଦୋଷୀର କ୍ଷତି ହେଉ ବୋଲି କହି ଉକ୍ତ ଚକରେ ହାଣ୍ଡି ଗଡ଼େ । ଦୁଇ ଚାରି ଦିନ ମଧ୍ୟରେ ଦୋଷୀର କିଛିନା କିଛି ଅନିଷ୍ଟ ହୋଇଥାଏ । ଏହା ଦ୍ୱାରା ପାପ ହେଲା ବୋଲି ମନେ କରି ଆଜିକାଲି କୁମ୍ଭାରମାନେ ଏହା କରୁ ନ ଥିବା ଜଣାଯାଏ ।

 

୬ . କୁଲା ବୁଲାଇ ବୁଲାଇ କେତେକ କ୍ଷେତ୍ରରେ ଦୋଷୀ ଚିହ୍ନଟ କରାଯାଇଥାଏ । ବାଦୀ ଓ ପ୍ରତିବାଦୀ ପକ୍ଷର ଦୁଇଜଣ ବ୍ୟକ୍ତି ସେମାନଙ୍କ ବାମ ହାତରେ ମଝି ଆଙ୍ଗୁଠି ଦ୍ୱାରା କଇଁଚିର ଧରିବା ପାଖକୁ ସ୍ପର୍ଶକରି ବସନ୍ତି । ଗୁରୁ କୁଲାର ସାମନା ପାଖରେ ମନ୍ତ୍ରପଢି କୁଲା ଉପରକୁ ଚାଉଳ ଫିଙ୍ଗନ୍ତି । ଦୋଷୀର ନାମଧରି ଚାଉଳ ଫିଙ୍ଗିଲାବେଳେ ଦୋଷୀ ପକ୍ଷର ବ୍ୟକ୍ତି ଆଡ଼କୁ କୁଲା ଘୁରିଯାଏ ।

 

ଯଦି ଗୁଣି ଗାରେଡ଼ି ହୋଇଥାଏ ଗୁଣି ହୋଇଥିବା ପଦରେ କୁଲା ବୁଲିଥାଏ । ଏହି ପ୍ରଣାଳୀରେ ଗୁଣିଆର ନାମ, ଗ୍ରାମ, ସାହୀ ଇତ୍ୟାଦି ନିର୍ଣ୍ଣୟ କରାଯାଇଥାଏ । ଏହି ଉପାୟରେ ରୋଗ ନିର୍ଣ୍ଣୟ, ଦେବତା କିମ୍ବା ପିତୃଲୋକଙ୍କ ଦୃଷ୍ଟି ନିର୍ଣ୍ଣୟ, ଗୁଣି ଗାରେଡ଼ି ବିଷୟରେ ଜଣାଯାଇଥାଏ ।

 

ବେମାର ଓ ଦୁର୍ଘଟଣାର କାରଣ ପାଇଁ ଜୁଆଙ୍ଗ ସମାଜରେ ବି କୁଲା ବୁଝାଇବା ପଦ୍ଧତି ପ୍ରଚଳିତ । ହୋ ସମାଜରେ ଗୁଣି ଗାରେଡ଼ି ପ୍ରୟୋଗ କରିଥିବା ବ୍ୟକ୍ତିକୁ ଜାଣିବା ପାଇଁ ମଧ୍ୟ କୁଲା ବୁଲା ଯାଇଥାଏ ।

 

୭ . ତୁରସିକା ନାମରେ ଏକ ଛୋଟ ଗଛ ଅଛି । ଓଡ଼ିଆରେ ଏହାକୁ ଦଣ୍ଡେଇ କହିଥାନ୍ତି । ଏହି ଗଛ ତିନିରୁ ପାଞ୍ଚ ଫୁଟଯାଏ ଉଚ୍ଚ ହୋଇଥାଏ । ଖରାଦିନେ ଉକ୍ତ ଗଛର ଡ଼ାଳ, ପତ୍ର ଓ ଗଣ୍ଡି ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡ଼ିଥାଏ । ଏଣୁ ଏହି ଗଛକୁ ଛୁଇଁ ଶପଥ କରାଯାଏ । ଶପଥ ଭଙ୍ଗ କଲେ ଉକ୍ତ ଗଛ ଛିଣ୍ଡିଲା ପରେ ଶପଥ ଭଙ୍ଗକାରୀ କୁଷ୍ଠ ବ୍ୟାଧିଗ୍ରସ୍ତ ଳହୋଇ ହାତ ଗୋଡ଼ ଛିଣ୍ଡିଯାଏ ବୋଲି ବିଶ୍ୱାସ ରହିଛି । ଏହା ଏକ ଭୟଙ୍କର ଶପଥଭାବେ ଗ୍ରହଣ କରାଯାଇଥାଏ ।

 

ଏହି ଗଛ ଛୁଇଁ ଶପଥ ଭଙ୍ଗ କରିବାପରେ ଯଦି ପ୍ରକୃତ ଫଳାଫଳ ଭୋଗ କରାଯାଏ, ତେବେ ଦୋଷ ମୁକ୍ତ ହେବା ପାଇଁ ଯେଉଁ ଗଛ ଛୁଇଁ ଶପଥ କରାଯାଇଥାଏ ଉକ୍ତ ଗଛର ଚାରି ପାଖରୁ ଏକ ହାତ ଲେଖାଏଁ ଖୋଳି ଗଛଟିକୁ ଉପାଡ଼ି ଚେରସହ ଉକ୍ତ ହାତରେ ପୋତି ଦିଆଯାଏ ଏବଂ କିଛି ଅରୁଆ ଉକ୍ତ ଗାତରେ ପକାଇ କୁହାଯାଏ, ‘‘ଆମେ ଶପଥ ଭଙ୍ଗ କରି ପ୍ରତିଫଳ ପାଇଲୁ, ଏବେ ସେହି ପ୍ରତିଫଳ ଶାନ୍ତ ହେଉ ।’’ ଏପରି କହି ମୁଣ୍ଡିଆ ମାରିବାକୁ ହୁଏ ।

 

ଏହି ପ୍ରକ୍ରିୟାରେ ଶପଥ କରାଇ ବାଲିଗୁଡ଼ା ଥାନା ଚାଞ୍ଚେଡ଼ି ମୌଜାରେ ମଦରନ୍ଧା ଓ ମଦବିକ୍ରି ବନ୍ଦ କରାଯାଇ ପାରିଛି । ଏହି ପଦ୍ଧତିରେ ଶପଥ ଗଣ୍ଡ ଓ କନ୍ଧ ସମାଜରେ ପ୍ରଚଳିତ ।

 

କନ୍ଧ ସମାଜରେ ଏହିପରି ବହୁ ଉପାୟରେ ଦୋଷୀକୁ ଚିହ୍ନଟ କରି ଗ୍ରାମସଭା ଦ୍ୱାରା ଦଣ୍ଡବିଧାନ କରାଯିବାର ପ୍ରଣାଳୀ ଅନୁସୃତ ହୋଇଥାଏ । ଏହାକୁ କେବଳ ଅନ୍ଧବିଶ୍ୱାସ କହି ଉଡ଼ାଇଦେଇ ହେବ ନାହିଁ । କାରଣ ଶପଥ ଭଙ୍ଗକାରୀ ପ୍ରତିଫଳ ଭୋଗୁ ବା ନ ଭୋଗୁ ଏହା ଦ୍ୱାରା ସାମାଜିକ ଆନୁଗତ୍ୟ ବୃଦ୍ଧି ପାଇଥାଏ । ସମସ୍ତ ସଭ୍ୟଙ୍କର ସାମାଜିକ ବ୍ୟବସ୍ଥା ପ୍ରତି ଭୟ ରହେ ।

 

ସର୍ବୋପରି ସାମାଜିକ ସଂହତି ରକ୍ଷା ଦିଗରେ ଏହା ସହାୟକ ହୋଇଥାଏ । ବ୍ୟକ୍ତି ମଧ୍ୟ ଆତ୍ମର୍ଯ୍ୟାଦା ସଚେତନ ହୋଇଥାଏ ।

 

ଏହା ବ୍ୟତୀତ ବିବାଦ ଓ ଅଶାନ୍ତି ଯୋଗୁଁ ଥାନା, କଚେରୀକୁ ଯାଇ ଅଯଥା ଅର୍ଥ ଅପଚୟରୁ ରକ୍ଷା ମିଳିଥାଏ । ଏଣୁ କିଛି ପୂଜା ଦେଇ ସୁସ୍ଥଭାବରେ ବଞ୍ଚିରହିବାକୁ ଆଦିବାସୀ ସୁଖକର ମଣିଥାଏ । ଏଣୁ ସରକାରୀ ଆଇନ କାନୁନର ଆଶ୍ରୟ ନ ନେଈ ବିଭିନ୍ନ ଉପାୟରେ ଷପଥ କରାଇ ଦୋଷୀ ଚିହ୍ନଟ କରି ଗ୍ରାମସଭା ଦ୍ୱାରା ସମସ୍ତ ବିବାଦ ଓ ଅଶାନ୍ତିର ସମାଧାନ ନେବାକୁ ଆଦିବାସୀ ଶ୍ରେୟସ୍କର ମଣିଥାଏ ।

☆☆☆

 

କନ୍ୟାଟଣା

 

କନ୍ଧ ସମାଜରେ ଧାଙ୍ଗିଡ଼ୀ ଘରର ବ୍ୟବସ୍ଥା ରହିଛି । ଗ୍ରାମର ସମସ୍ତ ଅବିବାହିତ ଯୁବତୀ ରାତିରେ ଗୋଟିଏ ଘରେ ଶୋଇଥାନ୍ତି । ତାହାକୁ ଧାଙ୍ଗିଡ଼ୀ ଘର (Deramitory) କୁହାଯାଏ । ଅନ୍ୟ ଗ୍ରାମର ଅବିବାହିତ ଯୁବକମାନେ ଆସି ଧାଙ୍ଗିଡ଼ୀଘରେ ଶୋଇଥିବା ଯୁବତୀମାନଙ୍କୁ ଡ଼ାକି ନଚାଇ ଥାନ୍ତି । ଏହି ନାଚ ଧାଙ୍ଗିଡ଼ୀନାଚ ଭାବରେ ସୁପରିଟିତ । ଏହି ନଚାରୁ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥାଏ ଏବଂ ପରସ୍ପର ବିବାହ କରିବାକୁ ସ୍ୱୀକୃତ ହୋଇଥାନ୍ତି ।

 

କନ୍ଧ ସମାଜରେ ବିଧି ଅନୁସାରେ ଯଦି ଅଭିଭାବକମାନଙ୍କ ଜ୍ଞାତସାରରେ ବିବାହ କରିବାକୁ ହୁଏ, ତାହା ହେଲେ ଗଣ୍ଠି ବା କନ୍ୟାମୂଳ ଦେବାକୁ ହୋଇଥାଏ । ଏହି ଗଣ୍ଠିର ପରିମାଣ ବହୁତ ଅଟେ । ତେଣୁ କେତେକ ଯୁବକ ଗଣ୍ଠି ଦେଇ ବିବାହ କରିବାକୁ ଅସମର୍ଥ ହୋଇଥାନ୍ତି । ସେପରି କ୍ଷେତ୍ରରେ ଭଲ ପାଉଥିବା ଝିଅଟିକୁ ଟାଣିଆଣି ବିବାହ କରିଥାନ୍ତି । ଏପରି ବିବାହରେ ଗଣ୍ଠି ଦେବାକୁ ପଡ଼ି ନ ଥାଏ ।

 

ଏପରି ଟାଣିଆଣି ବିବାହ କରିବାକୁ କୁଇ ଭାଷାରେ ‘‘ବେଜା ନ ତାଃପା’’ କୁହାଯାଏ ।

 

ଯୁବକ ଯୁବତୀ ପରସ୍ପରକୁ ଭଲ ପାଇ ବିବାହ ପାଇଁ ରାଜି ଥିଲେ ମଧ୍ୟ ଅଭିଭାବକମାନେ ଯଦି ରାଜି ହୋଇ ନ ଥାନ୍ତି ସେପରି ସ୍ଥଳେ ବି କନ୍ୟାକୁ ଟାଣି ବିବାହ କରାଯାଇପାରେ ।

 

ପୁର୍ବରୁ ପ୍ରେମ ନ ଥାଇ ମଧ୍ୟ ଯଦି ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରିବାକୁ ଚାହେଁ, ତାକୁ ଟାଣିନେଇ ବିବାହ କରିପାରେ ।

 

ଟାଣିନେଇ ବିବାହ କରାଯିବା କନ୍ୟା ବିବାହିତ ବା ଅବିବାହିତ ଥିବାରେ କୌଣସି ସାମାଜିକ ପ୍ରତିବନ୍ଧକ ନାହିଁ ।

 

ବଉଦ ଅଞ୍ଚଳରେ ଉପରୋକ୍ତ ପ୍ରକାରେ କନ୍ୟା ଟାଣିବା ବ୍ୟତୀତ ଅନ୍ୟ ଏକ ପ୍ରଥା ବି ରହିଛି । କନ୍ୟାର ଘର ଦ୍ୱାର ମୁହଁରେ ପୁରୁଷ ନେଇ ଲୁଗାଟିଏ ଟାଣିଦିଏ ଏବଂ ଏହି ସଙ୍କେତ ଦ୍ୱାରା କନ୍ୟାଟଣା ହେଲା ବୋଲି ଧରି ନିଆଯାଏ ।

 

କନ୍ୟାକୁ ତାର ନିଜ ଘରୁ, କୌଣସି ବନ୍ଧୁବାନ୍ଧବଙ୍କ ଘରୁ, ଜଙ୍ଗଲରୁ, ହାଟ, ବଜାର ବା ଯାତ୍ରାରୁ କିମ୍ବା ଗାଧୁଆଘାଟରୁ ପୁରୁଷ ଓ ତାହାର ସାଙ୍ଗମାନଙ୍କ ଦ୍ୱାରା ଜବରଦସ୍ତ ଟାଣି ନିଆଯାଏ । ସେହି ସମୟରେ କନ୍ୟା ନିକଟରେ ଉପସ୍ଥିତଥିବା ତାର ସଙ୍ଗୀମାନେ କିମ୍ବା ଅନ୍ୟ ପୁରୁଷମାନେ ହରଣକାରୀମାନଙ୍କୁ ସାଧ୍ୟ ମୁତାବକ ପ୍ରହାର କରି କନ୍ୟାକୁ ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ପୁରୁଷ ପକ୍ଷର ଏପରି ଅଚାନକ କାର୍ଯ୍ୟ ନିମନ୍ତେ କନ୍ୟାପକ୍ଷ ଅବଗତ ନ ଥିବାରୁ ସଂଗଠିତ ଓ ସୁଚିନ୍ତିତ ଭାବରେ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବାରୁ ଅନାୟାସରେ କନ୍ୟାକୁ ଟାଣି ନେଇ ବିଜୟ ଗର୍ବରେ କିଳିକିଳାରାବ କରି ନିଜ ଗାଁକୁ ଫେରିଥାନ୍ତି ।

 

କନ୍ୟାଟଣା ହେବା ଖବର କନ୍ୟାର ପିତାମାତା ପାଇଲାପରେ ଗାଁର ଅନ୍ୟ କେତେକ ସ୍ତ୍ରୀ ଓ ପୁରୁଷଙ୍କସହ ପୁରୁଷ ଘରକୁ ଯାଇ କନ୍ୟାକୁ ଫେରାଇବା ପାଇଁ ଦାବୀ କରନ୍ତି । ପୁରୁଷ ଘରର ଲୋକେ କନ୍ୟାକୁ ଫେରାଇବାକୁ ରାଜି ହୁଅନ୍ତି ନାହିଁ ଏବଂ ତାହା ବଦଳରେ ଅନ୍ୟ କଣ ଦରକାର ପଚାରିଥାନ୍ତି ।

 

ଏହାପରେ କନ୍ୟାପକ୍ଷ ମହତ ମାଗନ୍ତି । ପୁରୁଷ ପକ୍ଷରୁ ମହତ ବାବଦକୁ ଟଙ୍କା ଦେଇଥାନ୍ତି । ମହତ ଟଙ୍କା ଆକାରରେ ଟ. ୫ ଙ୍କା (ପାଞ୍ଚ ଟଙ୍କା) ଠାରୁ ଟ. ୨୫ ଙ୍କା (ପଚିଶି ଟଙ୍କା) ଯାଏ ଦିଆଯାଇଥାଏ । ମହତ ପାଇସାରିଲା ପରେ କନ୍ୟାପକ୍ଷ ପୁରୁଷ ଘରକୁ ‘‘ଡ଼୍ରିପାପାଜି’’ (ଘୋଷାରୀ ଆଣିବା ନିମନ୍ତେ ଘୁଷୁରୀ) ଓ ମଦ ମାଗିଥାନ୍ତି ବରପକ୍ଷ ତାହା ଦିଅନ୍ତି ।

 

ଡ଼୍ରିପାପାଜି ଓ ମହତ ପାଇସାରିଲା ପରେ କନ୍ୟାପକ୍ଷରୁ ସମସ୍ତେ ନିଜ ଗାଁକୁ ଫେରିଯାଆନ୍ତି । ଡ଼୍ରିପାପାଜିର ଘୁଷୁରୀଟି ମାରି ସଙ୍ଗରେ ଯାଇଥିବା ସମସ୍ତେ ବାଣ୍ଟିନେଇଥାନ୍ତି । ଯଦି ବରପକ୍ଷ କନ୍ୟାପକ୍ଷକୁ ରହିବାକୁ ବାଧ୍ୟ କରନ୍ତି ତେବେ ସେମାନେ ବରଘରେ ରାତିଏ ରହିଥାନ୍ତି । ବରପକ୍ଷ ଛେଳିମାରି, ଭୋଜିକରି କନ୍ୟା ପକ୍ଷକୁ ଆପ୍ୟାୟିତ କରିଥାନ୍ତି ।

 

ଯଦି ବର ଓ କନ୍ୟାପକ୍ଷ ମଧ୍ୟରେ ସୁସମ୍ପର୍କ ରହେ ତେବେ ‘‘ସିଟେକାଲୁ’’ ବା ନିର୍ବନ୍ଧ ନିମନ୍ତେ ମଦ ଧରିଯାଇ ବରପକ୍ଷ ବିଧିମୁତାବକ କନ୍ୟାମୂଲ ସ୍ଥିରକରି ବିବାହ କରିଥାନ୍ତି । ନଚେତ୍‌ ଝିଅତ ଗଲା ଯାଉ ବୋଲି କନ୍ୟା ପିତାମାତା ତାହାସହ ସମ୍ପର୍କ ତୁଟାଇ ଦେଇଥାନ୍ତି । ସେପରି କ୍ଷେତ୍ରରେ ପୁଅର ଅଭିଭାବକମାନେ ଡ଼େରି ନ କରି ‘‘ବାକପୂଜା’’ କରି ବର କନ୍ୟାଙ୍କୁ ଯୌନସମ୍ପର୍କରେ ସୁଯୋଗ ଦେଇଥାନ୍ତି ।

 

କାଡ଼୍ରା ଅଞ୍ଚଳରେ (ଟିକାବାଲି ଅଞ୍ଚଳ) ବାକପୂଜା ବା ସେନିଟୁଣୁ ପୂଜା (ଢେଙ୍କି ଗାତରେ ପୂଜା) ପରେ ଯୌନ ସମ୍ପର୍କରେ ସୁଯୋଗ ବର କନ୍ୟାଙ୍କୁ ଦିଆଯାଇଥାଏ । ବଉଦ ଅଞ୍ଚଳରେ ଏହି ପୂଜାକୁ କୁଟୁଣିଦେଇ ପୂଜା କହନ୍ତି । ଅଠରମୂଠା (ଘୂ. ଉଦୟଗିରି ଓ ରାଇକିଆ ଅଞ୍ଚଳ) ଅଞ୍ଚଳରେ ବାକପୂଜା କରାଯାଇ ନ ଥାଏ ।

 

ଟଣା ହୋଇଥିବା କନ୍ୟା ଯଦି ବିବାହିତ ହୋଇଥାଏ ବା ତାହାର ବିବାହ ସ୍ଥିର ହୋଇ ସାରିଥାଏ ତେବେ ବରପକ୍ଷ ଲୋକେ ଖବର ପାଇଲା ପରେ କନ୍ୟାକୁ ଟାଣିନେଇଥିବାବ ବରର ଘରେ ପହଞ୍ଚନ୍ତି । ସେମାନେ ବରର ସଂପର୍କୀୟ ହୋଇଥିଲେ ମଧ୍ୟ ଘର ଭିତରକୁ ନଯାଇ ଦାଣ୍ଡରେହିଁ ବସିଥାନ୍ତି । ଏପରିକି ଉକ୍ତ ବରର ଘର ଲୋକେ ଯଦି ଅନୁପସ୍ଥିତ ଥାନ୍ତି, ତେବେ ସେମାନେ ଆସିବାଯାଏ ବାହାରେ ରାନ୍ଧି ଖାଇ ସେହି ଦାଣ୍ଡରେହିଁ ରହିଥାନ୍ତି । ବର ପକ୍ଷର ଲୋକେ ଫେରିଲେ ସେମାନେ କନ୍ୟାକୁ ଫେରାଇ ଦେବା ପାଇଁ ଦାବୀ କରନ୍ତି । ବରପକ୍ଷ ଲୋକେ ଅରାଜି ହୋଇ କନ୍ୟା ବଦଳରେ ସେମାନଙ୍କୁ କଣ ଦରକାର ବୋଲି ପଚାରିଥାନ୍ତି ।

 

ପୂର୍ବ ପରପକ୍ଷର ଲୋକେ କନ୍ୟା ମିଳିବା ଆଶା ଛାଡ଼ି ‘‘ପୁଞ୍ଜୁ’’ (କ୍ଷତିପୂରଣ) ଦାବୀ କରନ୍ତି । କନ୍ୟା ଟାଣିଥିବା ବରପକ୍ଷ ପୁଞ୍ଜୁ ଦେଇଥାନ୍ତି । ପୁଞ୍ଜୁ ନିମନ୍ତେ ଟ ୧୬ ଙ୍କା (ଶୋହଳ ଟଙ୍କା) ଦିଆଯାଇଥାଏ । ପୁଞ୍ଜୁ ପାଇ ସାରିଲା ପରେ ପୂର୍ବ ବରପକ୍ଷର ଲୋକେ ନିଜ ଗାଁକୁ ଫେରି ଯାଇଥାନ୍ତି ।

 

(ପ୍ରଜାତନ୍ତ୍ର ପ୍ରତିଭା, ସେପ୍‌ଟେମ୍ବର ୧୯୮୯ରେ ପ୍ରକାଶିତ)

☆☆☆

 

ବହୁପତ୍ନୀ ଗ୍ରହଣ ପ୍ରଥା

 

ଓଡ଼ିଶାର ୬୨ ଗୋଟି ଆଦିବାସୀ ସଂପ୍ରଦାୟ ମଧ୍ୟରେ ସଂଖ୍ୟା ଦୃଷ୍ଟିରୁ କନ୍ଧ ସଂପ୍ରଦାୟ ପ୍ରଥମ ସ୍ଥାନ ଅଧିକାର କରିଥାଏ । କନ୍ଧ ସମାଜରେ ବହୁପତ୍ନୀ ଗ୍ରହଣ ବିଧି ସମ୍ମତ ହେଲେ ମଧ୍ୟ ଖୁବ୍‌ କମ ବ୍ୟକ୍ତି ଏକାଧିକ ପତ୍ନୀ ଗ୍ରହଣ କରିଥାନ୍ତି । ଉକ୍ତ ପକ୍ରିୟାକୁ ସେମାନଙ୍କ କଥିତ ଭାଷା ‘କୁଇ’ରେ ‘‘ଦଅଗେରି ଡ଼ାଞ୍ଜା’’ ବା ଦ୍ୱିତୀୟ ବିବାହ କହିଥାନ୍ତି । ବହୁପତ୍ନୀ ଗ୍ରହଣ ନିମନ୍ତେ କେତେକ କାରଣ ମୂଖ୍ୟତଃ ଦାୟୀ ।

 

୧. ପତ୍ନୀ ଯଦି ଶାରୀରିକ ବିକଳାଙ୍ଗ କିମ୍ବା କୌଣସି କାରଣରୁ ଅଚଳ ହୋଇଯାଏ ।

 

୨. ବିବାହିତ ପତ୍ନୀ ବନ୍ଧ୍ୟା ବୋଲି ସନ୍ଦେହ କରାଯାଏ ।

 

୩ . ପୂର୍ବରୁ ଅନ୍ୟ କୌଣସି ସ୍ତ୍ରୀ ସହିତ ପ୍ରେମ ସଂପର୍କ ଥିଲେ ।

 

୪ . ବିବାହିତ ପତ୍ନୀ ସହିତ ମନୋମାଳିନ୍ୟ ହେଲେ ।

 

୫ . ପତ୍ନୀ ଚିର ରୁଗ୍‌ଣା ହୋଇଗଲେ ।

 

ପ୍ରଥମ ଦୁଇ କାରଣ କିମ୍ବା ପଞ୍ଚମ କାରଣରୁ ଯଦି ଦ୍ୱିତୀୟ ବିବାହ କରାଯାଏ ତେବେ ପ୍ରଥମ ପତ୍ନୀର ସମ୍ମତି ନିଆଯାଇଥାଏ । କିନ୍ତୁ ତୃତୀୟ ଓ ଚତୁର୍ଥ କାରଣ ନିମନ୍ତେ ପ୍ରଥମ ପତ୍ନୀର ମତାମତ ନିଆଯାଇ ନଥାଏ ।

 

ଦ୍ୱିତୀୟ ବିବାହ ନିମନ୍ତେ କନ୍ୟାକୁ ଟାଣି ଆଣି ହେଉ କିମ୍ବା କନ୍ୟା ପିତାକୁ ସାମାଜିକ ବିଧି ଅନୁସାରେ ଗଣ୍ଠି (କନ୍ୟା ମୂଲ୍ୟ) ଦେଇ ହେଉ ବିବାହ କରାଯାଇଥାଏ । ପୁରୁଷ ନୂତନସ୍ତ୍ରୀକୁ ଆଣି ଘରେ ପୁରାଇଲା ପରେ ପ୍ରଥମ ସ୍ତ୍ରୀ ନିଜେ କିମ୍ବା ପିଲାଛୁଆ ଥିଲେ ତାହାଙ୍କୁ ଧରି ଘରୁ ବାହାରି ଯାଇ ଗାଁରେ ଥିବା (ଜାତିଭେଦ ନିର୍ବିଶେଷରେ) ତାର ସ୍ୱାମୀର ଭାଉଜ ସ୍ଥାନୀୟ ସ୍ତ୍ରୀମାନଙ୍କ ଆଗରେ କହେ ଯେ ‘‘ତା ସ୍ୱାମୀ ତା ଉପରେ ଆଉ ଗୋଟିଏ ସ୍ତ୍ରୀ ଆଣିଲା ।’’ ଉକ୍ତ ପୁରୁଷର ଭାଉଜମାନେ ତାହା ଶୁଣିଲା ପରେ ଖଣ୍ଡିଏ ଖଣ୍ଡିଏ ବାଡ଼ି ଧରି ଏକତ୍ର ହୋଇ ଉକ୍ତ ପୁରୁଷର ଘରକୁ ଯାଇଥାନ୍ତି ।

 

ଏହି ସମୟରେ ପୁରୁଷର ସାଙ୍ଗ ଓ ସହଯୋଗୀମାନେ ନୂତନ ସ୍ତ୍ରୀକୁ ଲୁଚାଇବାର ଚେଷ୍ଟା କରିଥାନ୍ତି ଓ ପୁରୁଷଟି ମଧ୍ୟ ଲୁଚିବା ପ୍ରୟାସ କରିଥାଏ । ସମବେତ ସ୍ତ୍ରୀମାନେ ପ୍ରଥମେ ପୁରୁଷର ସହଯୋଗୀମାନଙ୍କୁ ଭେଟନ୍ତି ଓ ପଚାରିଥାନ୍ତି, ‘‘ଅମୁଁକ ଗୋଟିଏ ଉପରେ ଆଉ ଗୋଟିଏ ସ୍ତ୍ରୀ କାହିଁକି ଆଣିଲା ।’’ ଏପରି ପଚାରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ପିଟିବା (ମାଡ଼ବେହେପା) ଆରମ୍ଭ କରିଦିଅନ୍ତି ଏବଂ ନୂତନ ସ୍ତ୍ରୀକୁ ଓ ପୁରୁଷକୁ ବି ଖୋଜି ଖୋଜି ବାହାର କରି ସେପରି ପ୍ରଶ୍ନ ପଚାରି ପିଟିଥାନ୍ତି । ମାଡ଼ ଖାଉଥିବା ଅବସ୍ଥାରେ ପୁରୁଷମାନେ କହନ୍ତି ଯାହା ହେବାରତ ହେଲାଣି ତୁମର କଣ ଦରକାର କହ । ସ୍ତ୍ରୀମାନେ ଜୋରିମାନାସ୍ୱରପ ଭୋଜି (ନାଣିମାଜି) ମାଗନ୍ତି ଓ ପ୍ରଥମ ସ୍ତ୍ରୀ ନିମନ୍ତେ ପାଣିଢଳା ବା ‘ସିରୁକାପ୍‌କା ପାଇଁ ଦାବୀ କରିଥାନ୍ତି ଏବଂ ପୁରୁଷମାନେ ସେମାନଙ୍କ ଦାବୀକୁ ମାନିନେବା ପରେ ପିଟିବା ବନ୍ଦହୁଏ ।

 

ଦ୍ୱିତୀୟ ପତ୍ନୀ ବିବାହ କରୁଥିବା ପୁରୁଷଟି ଭାଉଜମାନଙ୍କୁ ଚାଉଳ ଓ ଛେଳି ଦେଇଥାଏ । ପୂର୍ବରୂ ଭାଉଜମାନେ ଗାଁର ଯାହା ଗୋଠର ହେଉ ବଡ଼ ଛେଳିଟିଏ ନେଇ ଯାଉଥିଲେ ଓ ପୁରୁଷ ତାହାର ଦାମ ଦେଉ ଥିଲା । ଆଜିକାଲି ସେପରି ହୁଏ ନାହିଁ ।

 

ପ୍ରଥମ ସ୍ତ୍ରୀ ନିମନ୍ତେ ସିରୁକାପ୍‌କା କରିବା ପାଇଁ ଏକ ସୁନା ମାଳୀ ଅଭାବରେ ହଳଦିଆ ସୂତା ବା ଅଙ୍ଗାର ଦରକାର ହୋଇଥାଏ । ପ୍ରଥମ ସ୍ତ୍ରୀକୁ ଦାଣ୍ଡ ଦୁଆର ମୁହଁରେ ଠିଆ କରାଇ ସୁନାମାଳୀ ଦେଇ ପୁରୁଷ କିଛି ପଦ ପଢି ମାଠିଆଏ ପାଣି ତା ଉପରେ ଢାଳି ଦେଇଥାଏ । ପୂତନ ସ୍ତ୍ରୀ ମଧ୍ୟ ସେପରି ମାଠିଆଏ ପାଣି ପ୍ରଥମ ସ୍ତ୍ରୀ ଉପରେ ଢାଳିଥାଏ । ଏହି ପ୍ରକ୍ରିୟାକୁ ‘ସିରୁକାପ୍‌କା’ କୁହାଯାଇଥାଏ । ଏହା ଦ୍ୱାରା ପୂର୍ବ ସଂପର୍କ ଛିନ୍ନ ହେଲା ବୋଲି ଧରାଯାଏ । ପ୍ରଥମ ସ୍ତ୍ରୀର ସମ୍ମତି ଥାଇ ବିବାହ ହେଲେ ମାଡ଼ାବେହେପା ବିଧି ତୁଲାଇବା ଭଳି କରାଯାଇଥାଏ । କିନ୍ତୁ ଅନ୍ୟ ସମସ୍ତ ପ୍ରକ୍ରିୟା ସମାନ ରହେ ।

 

ଏହାପରେ ପ୍ରଥମ ସ୍ତ୍ରୀ ତା ବାପା ଘରକୁ ଯାଇ ସମସ୍ତ ବିଷୟ କହିଥାଏ । ତାହାର ବାପା, ମା, ଭାଇ, ଭଉଣୀ ଓ ଗାଁର କିଛି ସ୍ତ୍ରୀ ପୁରୁଷ ମଧ୍ୟ ଉକ୍ତ ପୁରୁଷ ଘରକୁ ଆସି ସେ କରିଥିବା ଅନ୍ୟାୟର କାରଣ ଜିଜ୍ଞାସା କରିଥାନ୍ତି ଓ ପୁରୁଷ ଶ୍ୱଶୁର ଘରର ପୁରୁଷମାନଙ୍କ ପାଇଁ ଘୁଷୁରୀ ଓ ସ୍ତ୍ରୀ ମାନଙ୍କୁ ନିମନ୍ତେ ଛେଳି ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିଥାନ୍ତି ଓ ଶାଳୀମାନଙ୍କୁ ପାଣି ଢାଳିଥାନ୍ତି ।

 

(ପ୍ରଗତିବାଦୀ ୧୫-୧-୯୦ରେ ପ୍ରକାଶିତ)

☆☆☆

 

ବିଧବା ବିବାହ ଓ ଛାଡ଼ପତ୍ର

 

ବିଧବା ସ୍ତ୍ରୀଟିଏ ପୁର୍ନବିବାହ କରିବା ନିମନ୍ତେ କନ୍ଧ ସମାଜରେ କୌଣସି ବାଧା ନାହିଁ । ବିଧବା ସ୍ତ୍ରୀକୁ କୁଇ ଭାଷାରେ ‘‘ବାଟା ଗାଟାରି’’ ଓ ବିଧବା ପୁରୁଷକୁ ‘‘ବାଟା ଗାଟୁଞ୍ଜୁ’’ କୁହାଯାଇଥାଏ । ବିଧବା ସ୍ତ୍ରୀର ଯଦି ସନ୍ତାନ ନଥାଏ ସେବିଧବା ହେବା ପରେ ସ୍ୱାମୀର ଶୁଦ୍ଧକ୍ରିୟା ସମାପନାନ୍ତେ ବାପ ଘରକୁ ଚାଲିଯାଇଥାଏ ଏବଂ କନ୍ୟାପିତା ସାମାଜିକ ବିଧି ପ୍ରକାରେ କନ୍ୟା ମୂଲ୍ୟ ନେଇ ପୁଣି ଉକ୍ତ ସ୍ତ୍ରୀକୁ ପୁର୍ନବିବାହ ଦେଇଥାଏ । ଯଦି ଛୁଆଥାଏ ବିବାହବେଳେ ସଙ୍ଗରେ ନୁତନ ସ୍ୱାମୀ ଘରକୁ ନିଜ ସଙ୍ଗରେ ନେଇଯାଇଥାଏ । ଉକ୍ତ ସନ୍ତାନକୁ ଅପାମିଡ଼ା ବା ଆଗଚଲା ପିଲା କୁହାଯାଇଥାଏ । ଏପରି ବିବାହରେ ଆଡ଼ମ୍ବର ବହୁତ କମିଯାଇଥାଏ ।

 

କେତେକ କ୍ଷେତ୍ରରେ ବିଧବା ସ୍ତ୍ରୀଟି ନିଜ ସନ୍ତାନମାନଙ୍କ ସହିତ ମୃତ ସ୍ୱାମୀ ଘରେ ରହିଥାଏ । ଯଦି ଏପରି କ୍ଷେତ୍ରରେ ଅନ୍ୟ ପୁରୁଷ ସହିତ ଅବୈଧ ପ୍ରଣୟ ଗଢି ଉଠେ ଏବଂ ତାହା କ୍ରମଶଃ ସମସ୍ତଙ୍କ ଜ୍ଞାତସାରକୁ ଆସିଯାଏ ତେବେ ଉକ୍ତ ଅବୈଧ ପ୍ରେମକୁ ସାମାଜିକ ସ୍ୱୀକୃତି ଦେବା ନିମନ୍ତେ ଏକ ପନ୍ଥା ବି କନ୍ଧ ସମାଜରେ ରହିଛି ।

 

ଗ୍ରାମର କେତେକ ବ୍ୟକ୍ତି ଉକ୍ତ ସ୍ତ୍ରୀ ସହ ଅବୈଧ ପ୍ରଣୟରତ ପୁରୁଷ ଏକତ୍ର ଥିବା ଅବସ୍ଥାରେ ଘେରାଉ କରି ଧରନ୍ତି ଓ ଉକ୍ତ କୁକାର୍ଯ୍ୟ ନିମନ୍ତେ ପୁରୁଷକୁ ପ୍ରହାର କରିଥାନ୍ତି । ପୁରୁଷ ଓ ସ୍ତ୍ରୀ ନିଜ କୁକାର୍ଯ୍ୟ ନିମନ୍ତେ ଲଜ୍ଜିତ ହୋଇ ଚୁପ ରହନ୍ତି ।

 

ଏହି ଗୁପ୍ତ ପ୍ରଣୟ ବିଷୟ ଗ୍ରାମ ମୁଖିଆଠାରେ ଉପସ୍ଥାପନ କରାଯାଏ । ଗ୍ରାମ ମୁଖିଆ ଉଭୟଙ୍କୁ ଡ଼କାଇ ଉକ୍ତ ବିଷୟରେ ସତ୍ୟତା ଅନୁସନ୍ଧାନ କରନ୍ତି । ଯେହେତୁ ଗ୍ରାମର ଅନ୍ୟମାନଙ୍କ ନିକଟରେ ଗୁପ୍ତ ପ୍ରଣୟରତ ଥିବାବେଳେ ଧରାପଡ଼ିଥାନ୍ତି,ତେଣୁ ସମସ୍ତ ବିଷୟ ମାନିଯାନ୍ତି ଓ ପ୍ରାୟ ବିବାହ କରି ଏକତ୍ର ରହିବା ପାଇଁ ସମ୍ମତ ହୋଇଥାନ୍ତି ।

 

ଅବୈଧ ପ୍ରଣୟ ଫଳରେ ଦାରନି ପେନୁ (ମାଟି ଦେବତା) ଅପବିତ୍ର ହୋଇଥାନ୍ତି । ତେଣୁ ମାଟି ଦେବତାଙ୍କୁ ପବିତ୍ର କରିବା ନିମନ୍ତେ ପୁରୁଷଠାରୁ ‘‘ଦାରନି ନବ୍‌ ଗା’’ ବା ଧରଣୀ ଦେବତାଙ୍କୁ ଗାଧୁଆ କରିବା ନିମନ୍ତେ ଘୁଷୁରୀ, କୁକୁଡ଼ା ଓ ମଦ ଗୁପ୍ତ ପ୍ରଣୟରତ ପୁରୁଷଠାରୁ ଦାବୀ କରାଯାଇଥାଏ । ଉକ୍ତ ପୁରୁଷ ଦାବୀ ଅନୁଯାୟୀ ସମସ୍ତ ଦ୍ରବ୍ୟ ଦେଇ ସ୍ତ୍ରୀକୁ ନିଜ ଘରକୁ ନେଇଯାଏ ।

 

ଉକ୍ତ ବିଧବାର ଯଦି ଛୋଟ ଛୁଆଥାଏ ସେ ତାହାକୁ ସଙ୍ଗରେ ଧରି ନୂତନ ସ୍ୱାମୀ ଘରକୁ ଯାଏ ଓ ଯଦି ଛୁଆ ବଡ଼ ହୋଇଥାନ୍ତି ପୂର୍ବ ସ୍ୱାମୀଙ୍କ ଜ୍ଞାତିମାନଙ୍କ ହେପାଜତରେ ରଖାଯାଇଥାଏ । ବା ପୂର୍ବ ସ୍ୱାମୀର ଯେଉଁ ଛୁଆକୁ ସଙ୍ଗରେ ନେଇଯାଏ ତାହାକୁ ଅପାମୀଡ଼ା ବା ଆଗଚଲା ଛୁଆ କୁହାଯାଇଥାଏ ।

 

ନୂତନ ସ୍ୱାମୀ ଘରକୁ ମା ପୂର୍ବ ସ୍ୱାମୀଙ୍କର ଯେଉଁ ସନ୍ତାନ ନେଇଯାଇଥାଏ ତାହାର ଜନ୍ମିତ ପିତାର ସଂପତ୍ତିରେ ଭାଗ ଅକ୍ଷୁର୍ଣ୍ଣ ରହେ । ନୂତନ ପିତାର ପୂର୍ବରୁ ଯଦି ପୁଅ ଥାଏ ତେବେ ଉକ୍ତ ପିତାର ସଂପତ୍ତି ଦୁଇଭାଗ ହୁଏ । ପ୍ରଥମ ଭାଗ ପୂର୍ବ ସ୍ତ୍ରୀର ସନ୍ତାନ ଓ ଅନ୍ୟ ଭାଗଟି ନୂତନ ସ୍ତ୍ରୀର ପୁଅଙ୍କ ମଧ୍ୟରେ ଭାଗ ହୋଇଥାଏ । ସେଥିରେ ଆଗଚଲା ପୁଅର ମଧ୍ୟ ଭାଗ ରହିଥାଏ ।

 

ଯଦି ପୁରୁଷର ପୂର୍ବ ସ୍ତ୍ରୀ ମୃତ ହୋଇଥାଏ ତେବେ ପୂର୍ବ ସ୍ତ୍ରୀର ବାପ ଘରକୁ ଯାଇ ନାଣିକଟକାଲୁ ଥିପାଇ ପ୍ରେତକୁ ଶାନ୍ତ କରନ୍ତି । ଯଦି ଉକ୍ତ ସ୍ତ୍ରୀର ବାପ ଘର ସହିତ ପୂର୍ବରୁ ମନୋମାଳିନ୍ୟ ଥାଏ ତେବେ ଶ୍ୱଶୁର ଘର ଗାଁ ବାଟରେ ନାଣିକଟକାଲୁ କରାଯାଇଥାଏ । ସ୍ତ୍ରୀ ବିଧବା ହୋଇ ପୂର୍ନବିବାହ କଲେ ବି ସେହିପରି ନାଣିକଟକାଲୁ କରାଯାଇଥାଏ ।

☆☆☆

 

ଛାଡ଼ପତ୍ର

 

କନ୍ଧ ସମାଜରେ ସ୍ତ୍ରୀ ପୁରୁଷ ମଧ୍ୟରେ ମନୋମାଳିନ୍ୟ ଘଟିଲେ ସ୍ତ୍ରୀ ତାହାର ବାପ ଘରକୁ ଚାଲିଯାଏ ଏବଂ ପୁନର୍ବାର ସ୍ୱାମୀ ଘରକୁ ଫେରେ ନାହିଁ । ସାଧାରଣତଃ ସ୍ତ୍ରୀମାନେ ସାଧାରଣ କଥାରେ ବି ସ୍ୱାମୀକୁ ତ୍ୟାଗ କରି ବାପ ଘରକୁ ଚାଲିଯାଇଥାନ୍ତି । ସ୍ୱାମୀ ବାରମ୍ବାର ଡ଼ାକି ଗଲେ ମଧ୍ୟ ‘‘ଆଉ ତୋ ପାଖକୁ ଯିବି ନାହିଁ ଇତ୍ୟାଦି କହି ପ୍ରତ୍ୟାକ୍ଷାନ କରିଥାନ୍ତି । ଫଳରେ ସ୍ୱାମୀ ପକ୍ଷରୁ କିଛି ଲୋକ କନ୍ୟାର ଗାଁକୁ ଯାଇ ଗାଁ ମୁଖିଆଙ୍କ ନିକଟରେ ଛାଡ଼ପତ୍ର ନିମନ୍ତେ ମୌଖିକ ଆବେଦନ କରିଥାନ୍ତି ।

 

ଗ୍ରାମ ମୁଖିଆ କନ୍ୟାପିତା ଓ ବରପକ୍ଷକୁ ଏକ ନିର୍ଦ୍ଦିଷ୍ଟ ଦିନ ବିଚାର ନିମନ୍ତେ ସ୍ଥିର କରନ୍ତି । ଉକ୍ତ ଦିନ ଗାଁ ମୁଖିଆ, ଅନ୍ୟାନ୍ୟ ଭଦ୍ର ଲୋକ ଓ କନ୍ୟା ଓ ବରପକ୍ଷକୁ ନେଇ ଏକ ସଭା ବସେ । ଉକ୍ତ ସଭାରେ ବରପକ୍ଷ ପ୍ରଥମେ ଛାଡ଼ପତ୍ର ପ୍ରସ୍ତାବ ଉପସ୍ଥାପିତ କରନ୍ତି । ଗାଁ ମୁଖିଆ ବରକୁ ଏବଂ କନ୍ୟାକୁ ସେମାନଙ୍କ ମତାମତ ପଚାରନ୍ତି । ସାଧାରଣତଃ ବର କନ୍ୟାକୁ ନେବା ସପକ୍ଷରେ ଏବଂ କନ୍ୟା ବର ସହିତ ନଯିବା ପାଇଁ ମତ ଦେଇଥାନ୍ତି । ଏହାପରେ ଛାଡ଼ପତ୍ର କରିବାର କାରଣ ଜିଜ୍ଞାସୁ କରି କେଉଁ ପକ୍ଷର ଭୁଲ ଅଧିକ ନିର୍ଣ୍ଣୟ କରାଯାଏ । ଯେଉଁ ପକ୍ଷର ଭୁଲ ଅଧିକ ଥିବା ଜଣାଯାଏ ସେହିପକ୍ଷ ଅପର ପକ୍ଷକୁ ପାଞ୍ଚ ଟଙ୍କାଠାରୁ ପଚିଶ ଟଙ୍କାଯାଏ ମହତ ଦେବା ପାଇଁ ସଭା ନିଷ୍ପତ୍ତି ଦେଇଥାଏ । ଏହାପରେ କନ୍ୟା ପକ୍ଷକୁ ପୁଞ୍ଜୁ (କ୍ଷତିପୂରଣ) ଦାବୀ କରାଯାଏ ଓ କନ୍ୟାପକ୍ଷ ପୁଞ୍ଜୁ ବାବଦକୁ ଶୋହଳ ଟଙ୍କା ବରପକ୍ଷକୁ ଦେଇଥାନ୍ତି ।

 

ଏହାପରେ ବରପକ୍ଷ ଦେଇଥିବା କନ୍ୟାମୂଲ, ବିଭିନ୍ନ ସମୟରେ କନ୍ୟାପକ୍ଷୀୟ ବ୍ୟକ୍ତିମାନଙ୍କୁ ଦେଇଥିବା ଲୁଗାପଟା ଓ କନ୍ୟା ଘରକୁ ଗଲା ବେଳେ ନେଇଥିବା ଜିନିଷର ମୂଲ୍ୟାୟନ ହୋଇଥାଏ । କନ୍ୟାକୁ ଦିଆଯାଇ ଥିବା ଅଳଙ୍କକାର ଓ ଭୋଜି ଇତ୍ୟାଦିରେ ହୋଇଥିବା ଖର୍ଚ୍ଚ ଏଥି ସହିତ ହିସାବ ହୋଇଥାଏ । କନ୍ୟାପକ୍ଷରୁ ବର ଘରର ବିଭିନ୍ନ ସମୟରେ ଦିଆ ଯାଇଥିବା ଲୁଗାପଟା ଓ ବର ଘରକୁ ନେଇଯାଇଥିବା ଜିନିଷ ଇତ୍ୟାଦିର ମଧ୍ୟ ହିସାବ କରାଯାଇଥାଏ । ଉଭୟ ଭୂଲ୍ୟାୟନ ମଧ୍ୟରୁ ବାଦଦେଇ ବଳକା ଟଙ୍କା ଯେଉଁ ପକ୍ଷର ଦେୟ ହୁଏ ତାହା ଫେରସ୍ତ ଦେବା ନିମନ୍ତେ ସଭା ନିର୍ଦ୍ଦେଶ ଦିଏ । ଉକ୍ତ ପକ୍ଷ ସଙ୍ଗେ ସଙ୍ଗେ ଉକ୍ତ ଦେୟ ଦେଇ ନପାରିଲେ ସଭା ପକ୍ଷରୁ ଏକ ଦିନ ନିର୍ଦ୍ଦିଷ୍ଟ କରାଯାଇ ଉକ୍ତ ଟଙ୍କା ଫେରାଇବା ପାଇଁ କୁହାଯାଏ । ଉକ୍ତ ନିର୍ଦ୍ଦିଷ୍ଟ ଦିନ ଦେୟ ପକ୍ଷ ଉକ୍ତ ଟଙ୍କା ଗ୍ରାମ ମୁଖ୍ୟଙ୍କଠାରେ ଦାଖଲ ଦେଇଥାନ୍ତି । ସଭା ଶେଷ ହେବା ପୂର୍ବରୁ କନ୍ୟା ଓ ବର ଏକ କୁଟାର ଦୁଇପାଖ ଧରି ଟାଣି ଛିଣ୍ଡାଇଥାନ୍ତି । ଏହା ଦ୍ୱାରା ବୈବାହିକ ସଂପର୍କ ଛିନ୍ନ ହେଲା ବୋଲି ଧରାଯାଏ । ଏହାପରେ ମଦ ଥିପାଯାଇଥାଏ ଏବଂ ସଭା ଭଙ୍ଗ କରାଯାଏ ।

 

(ପ୍ରଗତିବାଦୀ ୧୫-୧-୯୦ରେ ପ୍ରକାଶିତ)

☆☆☆

 

ଅପ ମୃତ୍ୟୁରେ ଶୁଦ୍ଧିକ୍ରିୟା

 

ହିନ୍ଦୁ ସମାଜରେ ଗ୍ରହଦୋଷ ଉପଶମ ନିମନ୍ତେ ପୂଜା, ହୋମ, ଦେବତା ମାର୍ଜନା ଇତ୍ୟାଦି କରାଯାଇ ଥାଏ । ସେପରି କନ୍ଧ ସମାଜରେ ମଧ୍ୟ ଅପ ମୃତ୍ୟୁକୁ କୌଣସି ଅପ ଦେବତାର କୁଦୃଷ୍ଟିରୁ ଘଟିଥାଏ ବୋଲି ବିଶ୍ୱାସ କରାଯାଏ ଏବଂ ସେହି ଅପ ଦେବତାର କୁଦୃଷ୍ଟିର ପ୍ରଭାବରୁ ପରିବାରର ଅନ୍ୟମାନେ ମୁକ୍ତ ରହିବା ନିମନ୍ତେ ‘‘ସୁପାଡ଼ୁ ଉଃପା‘‘ ପାଳନ କରାଯାଏ ଥାଏ ।

 

ବାଘ, ଭାଲୁ, ହାତୀ ଇତ୍ୟାଦି ବନ୍ୟଜନ୍ତୁ ଦ୍ୱାରା ଆକ୍ରାନ୍ତ ହୋଇ, ସର୍ପାଘାତରେ, ପାଣିରେ ବୁଡ଼ି, ଗଛରୁ ପଡ଼ି, ଦଉଡ଼ି ଦେଇ କିମ୍ବା ଦୁର୍ଘଟଣାଜନୀତ ଅପମୃତ୍ୟୁ ହେଲେ ‘‘ସୁପାଡ଼ୂ ଉଃପା’’ ପାଳନ କରାଯାଇଥାଏ । ଏପରି ଅପମୃତ୍ୟୁ ଘରେ ନହୋଇ ଗ୍ରାମ ବାହାରେ ହୋଇଥିଲେ ମୃତ ବ୍ୟକ୍ତି ନିମନ୍ତେ ତାହାର ଆତ୍ମୀୟ ସ୍ୱଜନମାନେ ସ୍ୱାଭାବିକ ଶୁଦ୍ଧିକ୍ରିୟା ପାଳନ କରିଥାନ୍ତି । ଏହା ବ୍ୟତୀତ କେତେକ ଲୋକଙ୍କର ବିଷ ତୁଣ୍ଡ ବାଜିଲେ ବି ନିଶ୍ୱାସ ପଡ଼ିଲେ ସ୍ତ୍ରୀମାନେ ପ୍ରସବ କରି ପାରି ନଥାନ୍ତି । ଗୋରୂମାନେ ପେଟ ଫୁଲାଇ ମରିଥାନ୍ତି । କୁଉଡ଼ା ଇତ୍ୟାଦି ଗୃହପାଳିତ ପ୍ରାଣୀ ମରିଥାନ୍ତି ବୋଲି ବିଶ୍ୱାସ କରାଯାଏ । କେତେକ ସ୍ଥଳରେ କଳା ହୋଇ ଆସୁଥିବା ଧାନ ଫସଲ ଧଳା ପାଲଟି ଯିବାର ମୂଳକାରଣ ଏହି ବିଷ ତୁଣ୍ଡ ବା ନିର୍ଯ୍ୟାସ ବୋଲି କନ୍ଧମାନଙ୍କର ବିଶ୍ୱାସ ରହିଛି । କୌଣସି ବୃଦ୍ଧ ବା ବୃଦ୍ଧା ଯଦି କୌଣସି ଏକ ଘରୁ କିଛି ଦ୍ରବ୍ୟ ମାଗିବାକୁ ଯାଇ, ସେ ଘରେ ସେହି ଦ୍ରବ୍ୟ ଥାଇବି ନପାଏ ଓ ନିରାଶ ହୋଇ ଫେରେ ଏବଂ ଏ ଘରୁ ଲୁଣ ଟିକେ କି ତୁଣ ଟିକେ ବି ମାଗିଲେ ମିଳିଲା ନାହିଁ ଇତ୍ୟାଦି କିଛି କହିଥାଏ ଓ ତା’ ପରେ ପରେ ଯଦି ଉପରୋକ୍ତ ବିପଦ ମଧ୍ୟରୁ କୌଣସିଟି ଉକ୍ତ ଘରେ ବା ପରିବାର ମଧ୍ୟରେ ଘଟେ ତେବେ ତୁଣ୍ଡ ବାଜିଛି ବି ନିଶ୍ୱାସ ବାଜିଛି ବୋଲି ବିଶ୍ୱାସ କରାଯାଏ । ଏଣୁ କୁଉଟା (ସତ୍ୟତା ଜାଣିବା ପ୍ରଣାଳୀ) ଦ୍ୱାରା ସତ୍ୟତା ଜାଣିବାକୁ ଚେଷ୍ଟା କରାଯାଏ । କୁଉଟାରେ ଯଦି ତୁଣ୍ଡ ବାଜିବା ବି ନିଶ୍ୱାସ ବାଜିବା କଥା ଜଣାଯାଏ ତେବେ ବିପଦାକ୍ରାନ୍ତ ବ୍ୟକ୍ତିର ବାରିପଟେ ‘‘ସୁପାଡ଼ୁ ଉଃପା’’ କରାଯାଏ ଥାଏ ।

 

ଅପ ମୃତ୍ୟୁରେ ମୃତ ବ୍ୟକ୍ତିର ଶବକୁ ଗାଁକୁ ଅଣାଯାଇ ନଥାଏ । ବାହାରେ ବାହାରେ ଉକ୍ତ ଶବ ସତ୍କାର କରାଯାଇଥାଏ । ଶବକୁ ସ୍ପର୍ଶ କରିଥିବା ବ୍ୟକ୍ତିମାନେ ‘‘ସୁପାଡ଼ୁ ଉଃପା’’ ପ୍ରଣାଳୀରେ ଶୁଦ୍ଧ ନହେବା ଯାଏ ଘରକୁ ଯାଇ ନଥାନ୍ତି । ଯଦି ମୃତବ୍ୟକ୍ତି ଗାଁରେ ଦଉଡ଼ି ଦେଇ ମରିଥାଏ, ସେ ମରିଥିବା ଘରଟିକୁ ଭାଙ୍ଗି ଦିଆଯାଇଥାଏ । ମଧ୍ୟ ପ୍ରଦେଶର ଅବୁଝ ମାରିଆ ଆଦିବାସୀ ଗୋଷ୍ଠୀରେ ବାଘ ନଯାଇ ସେହି ସ୍ଥାନରେ ପୋତି ଦିଆଯାଇଥାଏ । (୧)

 

ସୁପାଡ଼ୁ ଉଃପା ପାଳନ କରିବା ନିମନ୍ତେ ଗ୍ରାମର ଅବଳା ବୃଦ୍ଧବନିତା ଜଣେ ପାଣ ଗୁରୁ (ପୁରୋହିତ)ଙ୍କ ସହିତ ନିକଟସ୍ଥ ନାଳ ବା ନଦୀକୁ ଯାଇଥାନ୍ତି । ବହି ଯାଇଥିବା ପାଣି ସ୍ରୋତ ଉପର ମୁଣ୍ଡରେ ଦୁଇ ହାତ ଛଡ଼ାରେ ଦୁଇଟି କେନ୍ଦୁ ଖୁଣ୍ଟି ପୋତାଯାଏ । ଦୁଇ ଖୁଣ୍ଟରେ କଣ୍ଟେଇ କୋଳି ଡ଼ାଳ, ଭାଲିଆ ଡ଼ାଳ, ଈଶ୍ୱର ଜଟ ଓ କିଛି ଡ଼ାବଝଣ ବନ୍ଧାଯାଏ । ଦୁଇ ଖୁଣ୍ଟରେ ବନ୍ଧା ଯାଇଥିବା ଡ଼ାଳର ଅଗ୍ରଭାଗ ପୁଣି ଏକାଠି ବାନ୍ଧି ଦିଆଯାଏ । ଉକ୍ତ ଖୁଣ୍ଟିର ତଳ ଦିଗରେ ଅର୍ଥାତ୍‌ ପାଣି ବହି ଯାଉଥିବା ଦିଗରେ ସମସ୍ତ ଗ୍ରାମବାସୀଙ୍କୁ ଧାଡ଼ିବାନ୍ଧି ଠିଆ ହେବା ପାଇଁ ଗୁରୁ ନିର୍ଦ୍ଦେଶ ଦିଅନ୍ତି । ଧାଡ଼ିର ପ୍ରଥମରେ ଅପମୃତ୍ୟୁ ଲଭିଥିବା ବ୍ୟକ୍ତିଙ୍କ ଘରର ମୂଖ୍ୟ ବ୍ୟକ୍ତି ଠିଆ ହୁଅନ୍ତି । ତାହାଙ୍କ ପଛକୁ ଅନ୍ୟମାନେ ଠିଆ ହୁଅନ୍ତି । ସମସ୍ତେ ଠିଆ ହେଲା ପରେ କେନ୍ଦୁ ଖୁଣ୍ଟର ଉପର ପାଖରେ ରହି ଗୁରୁ କେନ୍ଦୁ ଖୁଣ୍ଟି ମୂଳରେ ଚାଉଳ ପୁଞ୍ଜି ଦେଇ ତା’ ଉପରେ କାଞ୍ଜିଆ ଅଣ୍ଡାଟିଏ ରଖି ମନ୍ତ୍ର ପଢି ପୂଜା କରନ୍ତି ଓ ମଦ ଥିପାଇ ଥାନ୍ତି ।

 

ପୂଜା ସରିଲା ପରେ ଗୁରୁ ଏକ ଲାଉ ଡ଼ଙ୍କାରେ ପାଣି’ କାଣ୍ଡିଆ କୁଣ୍ଡା, ଜାମୁ ଛେଲି, କେରଡ଼ି ଛାଲି ପକାଇ କେନ୍ଦୁ ଡ଼ାଳ, ଭାଲିଆ ଡ଼ାଳ, କଣ୍ଟେଇ କୋଳି ଡ଼ାଳ, ଡ଼ାବଛଣ ଓ ଈଶ୍ୱର ଜଟ ଏକତ୍ର ହାତରେ ଧରି ଉକ୍ତ ଡ଼ଙ୍କାରେ ସମସ୍ତ ଡ଼ାଳ ବୁଡ଼ାଇ ବୁଲି ବୁଲି ସମସ୍ତ ଗ୍ରାମବାସୀଙ୍କ ଉପରକୁ ଛିଞ୍ଚିଥାନ୍ତି । ଏହାକୁ ନିହିରେଇବା ବା ପବିତ୍ର କରିବା କୁହାଯାଇଥାଏ ।

 

ଏହାପରେ ଗୁରୁ ଦୁଇ ଖୁଣ୍ଟ ମଝି ଦେଇ ଧାଡ଼ିର ସମସ୍ତ ବ୍ୟକ୍ତିଙ୍କୁ ନିରୀକ୍ଷଣ କରିଥାନ୍ତି । ଏହାଦ୍ୱାରା କାହାଠାରେ ଅପମୃତ୍ୟୁର ଲକ୍ଷଣ ବା ‘‘ସିଙ୍ଗାଲ’’ ଅଛି ସେ ଜାଣି ପାରନ୍ତି । କୌଣସି ବ୍ୟକ୍ତିଠାରେ ସିଙ୍ଗାଲ ଥିବା ଜାଣି ପାରିଲେ ଗୁରୁ ତାହା ପାଖକୁ ଧାଇଁଯାଇ ଶରୀରର ଯେଉଁ ସ୍ଥାନରେ ସିଙ୍ଗାଲ ଥାଏ ଉକ୍ତ ସ୍ଥାନକୁ ପାଟିରେ ଶୋଷି ରକ୍ତ ବାହାର କରି ଫିଙ୍ଗି ଦେଇଥାନ୍ତି । ଏହାଦ୍ୱାରା ଅପମୃତ୍ୟୁ ଦୋଷ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ । ଯଦି ସିଙ୍ଗାଲ ଥିବା ସ୍ଥାନରୁ ଗୁରୁ ପାଟିରେ ଶୋଷି ରକ୍ତ ବାହାର କରି ନପାରନ୍ତି ଉକ୍ତ ବ୍ୟକ୍ତିକୁ ଧାଡ଼ିରୁ ବାହାର କରି ଦିଆଯାଏ ଏବଂ ତାହା ନିମନ୍ତେ ସ୍ୱତନ୍ତ୍ର ପ୍ରାୟଶ୍ଚିତର ବ୍ୟବସ୍ଥା କରାଯାଇଥାଏ । ଓଡ଼ିଶାର ଅନ୍ୟତମ ଆଦିବାସୀ ଗୋଷ୍ଠୀ ସଉରାମ ନଙ୍କ ମଧ୍ୟରେ ବି ଏହି ପ୍ରଥା ପ୍ରଚଳିତ ଥିବା ଜଣାଯାଏ । (୨)

 

ସିଙ୍ଗାଲ ଦେଖା ଓ ବାହାର କରିବା ପ୍ରକ୍ରିୟା ଶେଷ ହେଲା ପରେ ଧାଡ଼ିରେ ଠିଆ ହୋଇଥିବା ସମସ୍ତଙ୍କ ଗୋଡ଼ ମେଲାଇ ଠିଆ ହେବା ନିମନ୍ତେ ଗୁରୁ ନିର୍ଦ୍ଦେଶ ଦିଅନ୍ତି । ଗୁରୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ପରେ ଗୁରୁ ପୂଜାଦ୍ରବ୍ୟ ଓ କେନ୍ଦୁଖୁଣ୍ଟ ଦୁଇଟି ଉପାଡ଼ି ପାଣିରେ ଭସାଇ ଦିଅନ୍ତି । ଉକ୍ତ ଦ୍ରବ୍ୟ ଗୁଡ଼ିକ ସମସ୍ତଙ୍କ ଗୋଡ଼ ସନ୍ଧି ଦେଇ ତଳକୁ ଭାସି ଯାଇଥାଏ ଏବଂ ଭାସି ଗଲାବେଳେ ଯେପରି ଗୋଡ଼ରେ ନଲାଗେ ସେ ନିମନ୍ତେ ପ୍ରତ୍ୟେକ ସତର୍କ ଥାନ୍ତି ।

 

ଏହି ବିଧି ଅନୁସାରେ ପ୍ରଥମେ ପାଣ ଗୁରୁ ଓ ପରେ କନ୍ଧ ଗୁରୁଙ୍କ ଦ୍ୱାରା ସମସ୍ତ ଗ୍ରାମବାସୀ ଶୁଦ୍ଧ ହୋଇଥାନ୍ତି ।

 

ଆକସିକଭାବେ ଅପମୃତ୍ୟୁ ହେଲେ ତାହା କୌଣସି ଦେବତାଙ୍କ କୁଦୃଷ୍ଟିରେ ହୋଇଛି ବୋଲି କନ୍ଧମାନେ ବିଶ୍ୱାସ କରନ୍ତି । ଏଣୁ ସେହି ଶବକୁ ଗାଁକୁ ନଆଣି ବାହାରେ ବାହାରେ ଶବ ସତ୍କାର କରାଯାଇଥାଏ । କାରଣ ଶବ ଗାଁକୁ ଆସିବା ଦ୍ୱାରା ଅପମୃତ୍ୟୁ ଦୋଷ ଗାଁ ଭିତରେ ବ୍ୟାପି ଯିବାର ଭୟ ଅଛି ବୋଲି ସେମାନଙ୍କ ବିଶ୍ୱାସ । ଏହା ସତ୍ତ୍ୱେ ବି ଗ୍ରାମ ଉପରେ କୌଣସି ଅପଦେବତାଙ୍କ କୁଦୃଷ୍ଟି ପଡ଼ିବାରୁ ଜଣକର ଅପମୃତ୍ୟୁ ହେଲା ଓ ଆଉ କେତେକଙ୍କର ବି ଅପମୃତ୍ୟୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ନଯାଇ ପାରେ ବୋଲି ବିଶ୍ୱାସ କରାଯାଇଥାଏ । ଏଣୁ ଉକ୍ତ ଦୋଷ ନିବାରଣ ନିମନ୍ତେ ଗାଁର ସମସ୍ତ ଅଧିବାସୀଙ୍କୁ ଶୁଦ୍ଧ ହେବାକୁ ପନିଥାଏ । ଉକ୍ତ ଶୁଦ୍ଧ ହେବାର ପ୍ରଣାଳୀର ନାମ ହିଁ ‘‘ସୁପାଡ଼ୁ ଉଃପା’’ ।

 

ସହାୟକ ଗ୍ରନ୍ଥସୂଚୀ–

1. Watts Nevile A The Half clad Tribes of Eastern India Calcufta 1970P

 

2.      IbidP

☆☆☆

 

ଲେଖକ ପରିଚିତ

 

ଆଲୋଚକ ଶ୍ରୀଯୁକ୍ତ ରଘୁନା ଥରଥଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ଶ୍ରୀକରପୁର ଗ୍ରାମରେ ୧୯୪୫ ମସିହା ଅଗଷ୍ଟ ମାସ ୨୩ ତାରିଖରେ। ପିତା ୰କାଶିନାଥ ରଥ ଓ ମାତା ୰ହେମଲତା ଦେବୀଙ୍କର ସେ ପ୍ରଥମ ସନ୍ତାନ । ଶ୍ରୀଯୁକ୍ତ ରଥଙ୍କର ଗବେଷଣା ଧର୍ମୀ ପ୍ରବନ୍ଧ, ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ମଧ୍ୟ ଦକ୍ଷତା ରହିଛି । ୧୯୫୭ ରୁ ସେ ଲେଖା ଆରମ୍ଭ କରନ୍ତି । ସଂପ୍ରତି ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ର ପତ୍ରିକାରେ ତାଙ୍କର ଅନେକ ଉପାଦେୟ ଲେଖା ପ୍ରକାଶିତ ।

 

ଶ୍ରୀଯୁକ୍ତ ରଥ ଜଣେ ଦକ୍ଷ ସଂଗଠକ ମଧ୍ୟ । ସଂପ୍ରତି ସେ ଓଡ଼ିଶାର ବହୁ ପତ୍ରପତ୍ରିକାରସହଯୋଗୀ ସଂପାଦକ, ସଂଗଠକ, ସୌଜନ୍ୟ ସଂପାଦକ ଅଛନ୍ତି । ଏତଦ୍‌ ବ୍ୟତୀତ ସେ INTACH ନୂଆଦିଲ୍ଲୀ ଓ Folklore Academy ଭୁବନେଶ୍ୱର ସଭ୍ୟ ଅଛନ୍ତି । ୧୯୮୯ରେ ସେ InterNational Seminar on Tribal Culture for Changing World ଏବଂ ୧୯୯୧ରେ National Seminar on Folklore Study in India ଓ National Seminar on Litereture by Children ରେ ଯୋଗଦାନ କରି ପ୍ରବନ୍ଧ ଉପସ୍ଥାପନ କରିଛନ୍ତି ।

 

ତାଙ୍କ ସଂପାଦନାରେ ୧୯୮୭ରେ ‘ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ପରିଚୟ’ ଓ ୧୯୮୯ରେ ‘ପତ୍ର ପତ୍ରିକା ଓ ଲେଖକ ପରିଚୟ, ଫୁଲବାଣୀ-୧୯୮୯’ ପୁସ୍ତକ ପ୍ରକାଶିତ ।

 

ସଂପ୍ରତି ଶ୍ରୀଯୁକ୍ତ ରଥ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଅବସ୍ଥାପିତ ଓ ଇତିହାସ, ଆଦିବାସୀ ସଂସ୍କୃତି ତଥା ଲୋକ ସାହିତ୍ୟ ବିଷୟରେ ଗବେଷଣାରତ ।

 

-ପ୍ରକାଶକ-

Image